ମୁମ୍ବାଇ ୧୪/୦୩: ହର୍ଷବର୍ଦ୍ଧନ ରାଣେଙ୍କ ପରେ ଅଭିନେତ୍ରୀ ସୋନମ ବାଜୱାଙ୍କ ନାଁ ମିଲାପ ମିଲନ ଜାଭେରୀଙ୍କ ଫିଲ୍ମ ‘ଦିୱାନୀୟତ୍‌’ରେ ଯୋଡ଼ି ହୋଇଛି । ଏହା ଏକ ଭାବପ୍ରବଣ ପ୍ରେମ କାହାଣୀ ହେବ । ଏହି ଫିଲ୍ମ ଜରିଆରେ ହର୍ଷବର୍ଦ୍ଧନ ଓ ସୋନମ ପ୍ରଥମ ଥର ବଡ଼ ପରଦାରେ ନଜର ଆସିବେ । ଫିଲ୍ମ ନିର୍ମାଣ କରୁଛନ୍ତି ଅମୁଲ ଭି. ମୋହନ ଓ ଅଂଶୁଲ ମୋହନ । ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ ନିର୍ମିତ ହୋଇଛି। 

‘ଦିୱାନୀୟତ୍‌’ର ନିର୍ଦ୍ଦେଶକ ଜାଭେରୀ ‘ସତ୍ୟମେବ ଜୟତେ’ ଓ ‘ମରଜାୱାଁ’ ଭଳି ଫିଲ୍ମ ପାଇଁ ପରିଚିତି ପାଇଛନ୍ତି । ଫିଲ୍ମର କାହାଣୀ ଉଭୟ ଜାଭେରୀ ଓ ମୁସ୍ତାକ ଶେଖ୍‌ ଲେଖିଛନ୍ତି । ଆଗାମି କିଛି ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ବର୍ଷ ଶେଷ ବେଳକୁ ଏହା ଥିଏଟରକୁ ଆସିବ । ଫିଲ୍ମରେ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଗୀତ କାହାଣୀର ଭାବନାକୁ ଭଲ ଭାବେ ଦେଖାଇବ, ଯାହା ଫିଲ୍ମକୁ ଆହୁରି ପ୍ରଭାବଶାଳୀ କରିବ । ମେଲୋଡି ଓ ଇମୋସନ୍‌ ଫିଲ୍ମକୁ ଖାସ୍‌ କରିବ । 

ସୋନମ ପଞ୍ଜାବୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ଏବେ ସେ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଏ ବର୍ଷ ତାଙ୍କ ଅଭିନୀତ ‘ହାଉସ୍‌ଫୁଲ-୫’ ଓ ‘ବାଗୀ-୪’ ଭଳି ବିଗ୍‌ ବ୍ୟାନର ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏଥର ‘ଦିୱାନୀୟତ୍‌’ ଜରିଆରେ ସେ ରୋମାଣ୍ଟିକ୍‌ ଫିଲ୍ମରେ ନିଜକୁ ପ୍ରମାଣ କରିବାକୁ ଯାଉଛନ୍ତି । ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ-୫’ ଜରିଆରେ ସୋନମ ବଲିଉଡ୍‌ରେ ଏଣ୍ଟ୍ରି କରିବେ । ଏହା ପରେ ଟାଇଗର ଶ୍ରଫ୍‌ଙ୍କ ସହ ‘ବାଗୀ୪’ରେ ମଧ୍ୟ ନଜର ଆସିବେ । ମଡେଲିଂରୁ ସୋନମ ଅଭିନୟ ଜଗତକୁ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବି ବେଶ ଅଧିକ ।