ନୂଆଦିଲ୍ଲୀ,୦୩/୦୮: ବିଶ୍ୱ ଚାମ୍ପିଅନ୍‌ସିପ ଆଫ୍ ଲିଜେଣ୍ଡ ୨୦୨୫ ଫାଇନାଲରେ ବାଜି ମାରିଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନ ଚମ୍ପିଅନ୍‌ ଧୂଳି ଚାଟିଛି । ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାଉଥ ଆଫ୍ରିକା ଦମଦାର ବିଜୟ ସହ ଚାମ୍ପିଅନ୍ ହୋଇଛି । ଏବି ଡିଭିଲିୟର୍ସ ବିସ୍ଫୋରକ ଶତକ ହାସଲ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ଇନିଂସ- ୧୯୬ ରନ୍‌ରେ ବିଜୟ ଲକ୍ଷ୍ୟ ନେଇ  ଦକ୍ଷିଣ ଆଫ୍ରିକା ଦମଦାର ପାଳି ଆରମ୍ଭ କରିଥିଲା । ୬ ଓଭରରେ ୭୨ରନ୍ କରିଥିଲା । ପାୱାରପ୍ଲେର ଶେଷ ବଲରେ ହାଶିମ ଅମଲା ୧୮ ରନ୍ କରି ଆଉଟ ହୋଇଥିଲେ । ଏହାପରେ ପାକିସ୍ତାନର ଫିଲ୍ଡିଂ ଦୁର୍ବଳ ହୋଇଥିଲା । ଅନେକ କ୍ୟାଚ ଛାଡିଥିଲା ଦଳ । ଏବି ଡିଭିଲିୟର୍ସ ଆହତ ପରେ ବି ଧୁଆଁଧାର ପାଳି ଖେଳିଥିଲେ । ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଓହ୍ଲାଇଥିବା ମିଷ୍ଟର ୩୬୦ ୪୭ ବଲର ତୃତୀୟ ଶତକ ହାସଲ କରିଥିଲେ । ୬୦ ବଲରେ ୧୨୦ରନ୍‌ ପାଳି ଖେଳିଥିଲେ । ଯେଉଁଥିରେ ୧୨ ଚୌକା, ୭ ଛକା ସାମିଲ ଅଛି । ଏବିଡିଙ୍କ ସହିତ ଜେପି ଡୁମିନି ମଧ୍ୟ ଭଲ ଇନିଂସ ଖେଳିଥିଲେ । ଦୁହେଁ ମିଶି ୬୫ ବଲରେ ୧୨୫ ରନ୍‌ର ପାର୍ଟନରସିପ୍ କରିଥିଲେ । ଡୁମିନି ୨୮ ବଲ୍‌ରେ ଅପରାଜିତ ୫୦ ରନ୍‌ କରିଥିଲେ ।  ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ୧୬.୫ ଓଭରରେ ଗୋଟିଏ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ୯ ୱିକେଟ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ସାଉଥ୍ ଆଫ୍ରିକା ।

ପାକିସ୍ତାନ ଇନିଂସ- ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଚାମ୍ପିଅନ୍‌ ଅଧିନାୟକ ମହମ୍ମଦ ହଫିଜ୍ । ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସଫଳତା ମିଳିଥିଲା । ଅକମଲ ୧୦ ବଲରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସୋଏବ ମଲିକ ୨୫ ବଲରେ ୨୦ରନ୍ କରି ପାଭିଲିୟନ ଫେରିଥିଲେ । ସର୍ଜିଲ ଖାନ  ୭୬ରନ୍‌ର ଇନିଂସ ଖେଳିଥିଲେ । ଅମର ଅମୀନ ଓ ଆସିଫ୍ ଅଲୀ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦୁହେଁ ୩୧ ବଲରେ ୬୧ ରନ୍ ଯୋଡିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୫ ୱିକେଟ ହରାଇ ୧୯୫ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକାର ବେନ୍ ପାର୍ନିଲ ୩୨ ରନ୍ ଦେଇ ୨ଟି ୱିକେଟ ନେଇଥିଲେ । ହାର୍ଡସ ବିଜ୍ଜୋଏନ୍‌ଙ୍କୁ ବି ୨ଟି ସଫଳତା ମିଳିଥିଲା ।