ନୂଆଦିଲ୍ଲୀ ୨୭/୦୭: ଦକ୍ଷିଣ କୋରିଆର ବ୍ୟବସାୟୀ ଏବଂ ଏସ୍କେ ଗ୍ରୁପର ଅଧ୍ୟକ୍ଷ ଚେ ତାଏୱୋନ୍ଙ୍କ ଛାଡ଼ପତ୍ର ମାମଲା ଏବେ ପୁଣି ଚର୍ଚ୍ଚାରେ । ସିଓଲ ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରି ପୂର୍ବତନ ପତ୍ନୀ ରୋ ସୋ-ୟୋଙ୍ଗଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୮୨୦୦ କୋଟି ଟଙ୍କା ଭରଣପୋଷଣ ଆକାରରେ ଦେବାକୁ ୱୋନ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ହାଇପ୍ରୋଫାଇଲ୍ ମାମଲାକୁ ସ୍ଥାନୀୟ ମିଡିଆ ‘ଶତାଦ୍ଦୀର ଛାଡ଼ପତ୍ର’ ନାମ ଦେଇଛି । ଅବଶ୍ୟ ୱୋନ୍ ଚାହିଁଲେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିପାରିବେ ।
୬୫ ବର୍ଷୀୟ ଚେ-ତାଏ-ୱୋନ୍ ଦକ୍ଷିଣ କୋରିଆର ଜଣେ ବଡ଼ ବ୍ୟବସାୟୀ ଏବଂ ଏସ୍କେ ଗ୍ରୁପର ଅଧ୍ୟକ୍ଷ । ଏସ୍କେ ଗ୍ରୁପ୍ର ଏକ ସହାୟକ କମ୍ପାନି ଏସ୍କେ ହାଇନିକ୍ସ ବିଶ୍ୱର ଅଗ୍ରଣୀ ମୋମୋରି ଚିପ୍ ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ । ଏସ୍କେ ହାଇନିକ୍ସ ଏଆଇ କମ୍ପ୍ୟୁଟିଂ ଜାଏଣ୍ଟ ଏନ୍ଭିଡିଆକୁ ଉଚ୍ଚ କ୍ଷମତାସଂପନ୍ନ ମେମୋରି ଚିପ୍ ଯୋଗାଣ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ସେକ୍ଟରରେ ଏକ ଚର୍ଚ୍ଚିତ ନାମ ପାଲଟିଛି । ପୂର୍ବତନ ପତ୍ନୀ ରୋ ସୋ-ୟୋଙ୍ଗ(୬୫) ଙ୍କୁ ୱୋନ୍ ୧୯୮୮ ମସିହାରେ ବିବାହ କରିଥିଲେ । ଦମ୍ପତିଙ୍କର ୩ ପିଲା ଅଛନ୍ତି । ମନୋମାଳିନ୍ୟ ଯୋଗୁ ସେମାନେ କିଛି ବର୍ଷ ଧରି ଅଲଗା ରହିଆସୁଥିଲେ । ତେବେ ଅନ୍ୟ ଜଣେ ମହିଳାଙ୍କ ସହ ୱୋନ୍ଙ୍କର ଏକ ସନ୍ତାନ ଥିବା ଦାବି କରି ୨୦୧୭ ମସିହାରେ ରୋ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଏହାପରେ ଦମ୍ପତିଙ୍କ ମଧ୍ୟରେ ବୁଝାମଣା ଲାଗି ବହୁ ଉଦ୍ୟମ କରାଯାଇଥିଲା । କିନ୍ତୁ ତାହା ସଫଳ ହୋଇନଥିଲା ।
ଆହୁରି ପଢ଼ନ୍ତୁ...ହର୍ମୁଜରେ ବଡ ବିସ୍ଫୋରଣ, ଲ୍ୟାଣ୍ଡମାଇନ୍ ସହ ଧକ୍କା ହେଲା ମାଲବାହୀ ଜାହାଜ…
ଶୁକ୍ରବାର ମାମଲାର ଶୁଣାଣି ସମୟରେ ସିଓଲ ହାଇକୋର୍ଟ କହିଥିଲେ ଯେ, ବିବାହ ଅବଧି ମଧ୍ୟରେ ଚେ ତାଏ-ୱୋନ୍ଙ୍କ ବ୍ୟାବସାୟିକ ସମ୍ପତ୍ତି ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଥିଲା । ଏହି ସମୟରେ ରୋ ସୋ-ୟୋଙ୍ଗ ପରିବାର, ପିଲାଙ୍କ ଲାଳନପାଳନ ଏବଂ ସାମାଜିକ ଦାୟିତ୍ୱବୋଧକୁ ତୁଲାଇ ୱୋନ୍ଙ୍କ ସଫଳତାରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସେହି ଆଧାରରେ ତାଙ୍କୁ ୱୋନ୍ଙ୍କର ସମ୍ପତ୍ତିର ଏକ ବଡ଼ ଅଂଶ ମିଳିବା ଉଚିତ୍ । ଏସ୍କେ ଗ୍ରୁପ୍ରେ ୱୋନ୍ଙ୍କର ଅଂଶଧନ ପ୍ରାୟ ୫.୫ ବିଲିଅନ ଡଲାର ହୋଇଥିବା କୁହାଯାଉଛି । ସୂଚନାଥାଉକି, ଏହା ପୂର୍ବରୁ ସିଓଲ ହାଇକୋର୍ଟ ୨୦୨୪ରେ ଏହି ମାମଲାର ଶୁଣାଣି କରି ରୋ’ଙ୍କୁ ପ୍ରାୟ ୯,୧୩୦ କୋଟିର ଭରଣପୋଷଣ ଦେବାକୁ ୱୋନ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିକଟରେ ସୁପ୍ରିମକୋର୍ଟ ସିଓଲ ହାଇକୋର୍ଟଙ୍କୁ ସେହି ରାୟ ସଂପର୍କରେ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।