କଟକ/ଖୁଣ୍ଟୁଣୀ,୨୭/୦୭: ପ୍ରେମ ମାନେନି ସୀମା ସରହଦ । ପ୍ରେମ ମାନେନି ଜାତି, ଧର୍ମ, ଭାଷା, ଗୋରାକଳାର ଭେଦଭାବ । ଏହାର ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ଅଞ୍ଚଳରେ । ଜଣେ ବିଦେଶୀ ଯୁବତୀ ଓଡ଼ିଆ ଘରର ବୋହୂ ହୋଇଛନ୍ତି । ପାରମ୍ପରିକ ରୀତିନୀତି ଓ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଖୁଣ୍ଟୁଣୀର ସୁବଳ ବେଉରାଙ୍କ ସହ ପୋଲାଣ୍ଡର ଯୁବତୀ ଡାଏନାଙ୍କ ହାତଗଣ୍ଠି ପଡ଼ିଛି । ମୁଣ୍ଡରେ ଓଢ଼ଣି, ମଥାରେ ସିନ୍ଦୂର, ପାଦରେ ଅଳତା ପିନ୍ଧି ବେଉରା ଘରର ବୋହୂ ସାଜିଛନ୍ତି ଡାଏନା । ଓଡ଼ିଆ ପରମ୍ପରା, ହୋମ ନିଆଁ, ସାତ ଫେରା, ସିନ୍ଦୁର, ମେହେନ୍ଦି ଆଉ ଅଳତା, ସବୁକିଛିକୁ ଖୁସି ଖୁସି ଆପଣାଇ ନେଇଛନ୍ତି ପୋଲାଣ୍ଡର ଡାଏନା।
ମହାଲକ୍ଷ୍ମୀପୁର ଅଞ୍ଚଳର ରତ୍ନାକର ବେଉରା ଓ ପ୍ରତିମା ବେଉରାଙ୍କ ପୁଅ ସୁବଳ ବେଉରା ଜଣେ ମେଧାବୀ ଛାତ୍ର । ପଞ୍ଜାବ ଆଇଆଇଟିରୁ ପାସ୍ କରି ଗତବର୍ଷ ଜୁଲାଇରେ ନେଦରଲାଣ୍ଡ୍ ଯାଇଥିଲେ ଏକ ଇଣ୍ଟରଭ୍ୟୁ ଦେବାକୁ । ସେଠାରେ ଏକ ରେସ୍ତୋରାଁରେ ଖାଉଥିବା ବେଳେ ଡାଏନାଙ୍କ ସହ ତାଙ୍କର ପ୍ରଥମ ଥର ଦେଖା ହୋଇଥିଲା । ପ୍ରଥମ ଦେଖାରେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ଫୋନ୍ ନମ୍ବର ଦିଆନିଆ ହୋଇଥିଲା । କିଛି ଦିନର ଗପସପ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଜୀବନସାଥୀ ଭାବେ ପରସ୍ପରର ହାତ ଧରି ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏଥିପାଇଁ ସୁବଳ ଓ ଡାଏନାଙ୍କୁ ନିଜ ନିଜ ପରିବାରକୁ ମନାଇବା ଥିଲା କଷ୍ଟସାଧ୍ୟ ।
ସୁବଳ ଘରକୁ ଫୋନ୍ କରି ବାପାମା’ଙ୍କୁ ଡାଏନାଙ୍କ ବିଷୟରେ କହିଥିଲେ । ପୁଅ କଥାରେ ପରିବାର ରାଜି ହୋଇଥିଲେ କିନ୍ତୁ ଡାଏନାଙ୍କ ପରିବାରକୁ ବୁଝାଇବା ଥିଲା କଷ୍ଟ । ଡାଏନାଙ୍କ ଘର ପୋଲାଣ୍ଡକୁ ରାତି ଅନିଦ୍ରା ହୋଇ କାର୍ରେ ଯାତ୍ରା କରିଥିଲେ ଉଭୟ । ସେଠାରେ ତାଙ୍କ ପରିବାର ସହିତ କଥାବାର୍ତ୍ତା କରିବା ସହ ୭ ଦିନ ପୋଲାଣ୍ଡରେ ରହିଥିଲେ ସୁବଳ । ଉଭୟ ପୋଲାଣ୍ଡ ଓ ଓଡ଼ିଆ ସଂସ୍କୃତି, ପରମ୍ପରାର ଆଦାନପ୍ରଦାନ ହୋଇଥିଲା । ସୁବଳ ସେଠାରେ ଡାଏନାଙ୍କ ପରିବାରକୁ ଭାରତୀୟ ଖାଦ୍ୟ ଭାତ, ଡାଲି, ରୁଟି, ପନିର ଟିକା ମସଲା, ବିରିୟାନୀ ଆଦି ଖୁଆଇଥିଲେ । ଡାଏନାଙ୍କ ପରିବାର ମଧ୍ୟ ଆତିଥେୟତା ଦେବାରେ ହେଳା କରିନଥିଲେ । ସୁବଳଙ୍କ ଯୋଗ୍ୟତା, ବ୍ୟବହାର ଓ ସଂସ୍କାର ଦେଖି ଡାଏନାଙ୍କ ପରିବାର ବାହାଘର ପାଇଁ ରାଜି ହୋଇଥିଲେ । ଏବେ ଉଭୟ ଖୁଣ୍ଟୁଣୀକୁ ଆସି ବୈଦିକ ରୀତିନୀତିରେ ବିବାହ କରିଛନ୍ତି ।
ବିବାହ ପରେ ନବବଧୂ ଶାଢ଼ି ପିନ୍ଧି ଘରର ବଡ଼ମାନଙ୍କର ଆଶୀର୍ବାଦ ନେଇଥିଲେ । ଉଭୟ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଥିଲେ । ସୁବଳ କହିଛନ୍ତି, ଡାଏନା ଉଚ୍ଚଶିକ୍ଷିତା । ତାଙ୍କ ପରିବାର ବହୁତ ଭଲ । ୭ଦିନ ପୋଲାଣ୍ଡରେ ରହିବା ଭିତରେ ମୋତେ ପରୀକ୍ଷା ଦେବା ଭଳି ଲାଗିଥିଲା । ଡାଏନା ମଧ୍ୟ ଓଡ଼ିଆରେ କହିଛନ୍ତି ‘ଓଡ଼ିଆ ଘରର ବୋହୂ ହୋଇ ମୁଁ ବହୁତ ଖୁସି । ଏଠାକାର ପରିବେଶ ବହୁତ ଭଲ ଲାଗୁଛି । ନୂଆ କମ୍ୟୁନିଟି, ନୂଆ ପରିବେଶ ମୋତେ ଆନନ୍ଦିତ କରିଛି । ସୁବଳଙ୍କ ମା’ ପ୍ରତିମାଙ୍କ କହିବା କଥା, ଡାଏନା ଆମକୁ ବହୁତ ପସନ୍ଦ ହେଇଛି । ଖୁବ୍ କମ୍ ଦିନରେ ସେ ଆମ ସହ ମିଶିସାରିଛି । ବରା, ଇଡଲି ଖାଇ ଡାଏନା ବେଶ୍ ଖୁସି ବୋଲି ପ୍ରତିମା ପ୍ରକାଶ କରିଛନ୍ତି ।