କଟକ, ୦୪/୦୭: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ଏହି ପରୀକ୍ଷା ଲାଗି ଏଥର ରେକର୍ଡ ୭୫ ହଜାର  ୪୦୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ଆବେଦନ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା  ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ  ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ  ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ  ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ  ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା  ରହିବ ନାହିଁ ବୋଲି ଆଶଙ୍କା ଥିବାରୁ  କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । ୩୦ ଜିଲ୍ଲାରେ  ମୋଟ୍‌ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । 

ପରୀକ୍ଷାରେ କପି କରି ଯଦି କୌଣସି ଶିକ୍ଷକ ଧରାପଡ଼ିବେ, ତାଙ୍କ  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ତେଣୁ ଓଟିଇଟି ଆବେଦନକାରୀମାନେ ପରୀକ୍ଷା ଦେବା  ବେଳେ ସତର୍କତା ଅବଲମ୍ବନ କରିବାକୁ ବୋର୍ଡ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।  ପ୍ରଶ୍ନପତ୍ର ବିଭ୍ରାଟ ରୋକିବା ଲାଗି ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ଡିଜି ଲକରରେ  ସମସ୍ତ କେନ୍ଦ୍ରକୁ ପଠାଯିବ । କପି ନିୟନ୍ତ୍ରଣ ଲାଗି ସେଣ୍ଟରଗୁଡ଼ିକରେ ସିସିଟିଭି  କ୍ୟାମେରା ବନ୍ଦୋବସ୍ତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।  

୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି  ସାର୍ଟିଫିକେଟ୍‌ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ  ବାଧ୍ୟ ହୋଇଛନ୍ତି । ପୂର୍ବରୁ ଯେତେଥର ଓଟିଇଟି ଦେବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ୭ରୁ ୧୦ହଜାର ଶିକ୍ଷକ  ଆବେଦନ କରୁଥିଲେ । ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ  ପରେ ଆବେଦନକାରୀଙ୍କ ସଂଖ୍ୟା ୭୫ ହଜାର ପାର ହୋଇଛି ।