ନୂଆଦିଲ୍ଲୀ ୧୩/୧୦: ଗତ ୧୦ ତାରିଖ ଅର୍ଥାତ୍‌ ଗୁରୁବାର ପୃଥିବୀରେ ଭୟଙ୍କର   ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହୋଇଥିଲା । ଏହା ଯୋଗୁ   ଗତ ଶୁକ୍ରବାର ଲେହ୍‌ ଆକାଶ ଚମତ୍କାର ଆଲୋକର   ଆଭାରେ ଆଚ୍ଛାଦିତ ହୋଇଥିଲା । ହାନ୍‌ଲେଠାରେ   ଭାରତର ସର୍ବୋଚ୍ଚ ପର୍ଯ୍ୟବେକ୍ଷଣ ଗୃହରେ ଏହି   ଦୃଶ୍ୟ କଏଦ ହୋଇଥିଲା । ଏହି ଘଟଣା ସୂର୍ଯ୍ୟରୁ   ନିର୍ଗତ ଶକ୍ତିଶାଳୀ କୋରୋନାଲ୍‌ ମାସ୍‌ ଇଜେକ୍ସନ୍‌ (ସିଏମ୍‌ଇ) ଯୋଗୁ ହୋଇଥିଲା, ଯାହା ଗତ ଶୁକ୍ରବାର  ପୃଥିବୀରେ ପହଞ୍ଚିଥିଲା । ଗତ ୯ ତାରିଖରେ ଏକ  ୧.୮ ସୌରଜ୍ଜ୍ୱାଳାରୁ ଝଡ଼ ଉତ୍ପନ୍ନ ହୋଇଥିଲା ଏବଂ ଘଣ୍ଟା ପ୍ରତି ୧୫ ଲକ୍ଷ ମାଇଲଠୁ   ଅଧିକ ବେଗରେ ଗତି କରିଥିଲା । ନ୍ୟାସ୍‌ନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସପିଅରିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ (ନୋଆ) ଏହି ଭୂ-ଚୁମ୍ବକୀୟ ଝଡ଼କୁ ଜି୪ ଶ୍ରେଣୀରେ ବର୍ଗୀକୃତ  କରିଥିଲା । ତା’ର ଗମ୍ଭୀର ସ୍ଥିତିକୁ ଇଙ୍ଗିତ କରିଥିଲା, ଯାହା ପାୱାର ଗ୍ରୀଡ୍‌ ଓ ସାଟେଲାଇଟ୍‌  କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ବୋଲି ସ୍ପଷ୍ଟ କରିଥିଲା ।

ରିପୋର୍ଟ ଅନୁସାରେ, ଏଭଳି ଝଡ଼ରୁ ସୃଷ୍ଟ ଆଲୋକ ସାଧାରଣ ତୁଳନାରେ ବହୁତ ଅଧିକ   ଦୃଶ୍ୟମାନ ହୋଇପାରେ । ସେହିପରି ଆମେରିକାର   ଆଲବାମା ଓ ଉତ୍ତର କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ଏହା  ଦେଖାଯାଇପାରେ । ଲେହ୍‌ରେ ଝଡ଼ରୁ ଉତ୍ପନ୍ନ ଆଲୋକର  ଆଭା ରାତ୍ରି ଆକାଶରେ ଅତ୍ୟନ୍ତ ମନୋରମ  ଥିଲା । ଏହି ଚମତ୍କାର ଦୃଶ୍ୟ ସତ୍ତେ୍ୱ  ବୈଜ୍ଞାନିକମାନେ ଏହାର ସମ୍ଭାବ୍ୟ  ବିନାଶକାରୀ ବିପଦ ସମ୍ପର୍କରେ ଚେତାଇ ଦେଇଥିଲେ ।  ସୂର୍ଯ୍ୟ   ନିଜର ଚରମ ସୌର ସ୍ଥିତିରେ  ପହଞ୍ଚିବା ଦ୍ୱାରା ସୌର ଗତିବିଧି ବଢ଼ିଯାଏ । ଭୂ-ଚୁମ୍ବକୀୟ ଝଡ଼   ଏହି ଅବଧିର ଅଂଶ । ୨୦୨୫ରେ ସୌର ଗତିବିଧି ଶୀର୍ଷରେ  ପହଞ୍ଚିବାର ଅନୁମାନ କରାଯାଉଛି । ଏହି ଚକ୍ର ସୌର ପ୍ରଜ୍ଜ୍ୱଳନ ଓ  ସିଏମ୍‌ଇ ବୃଦ୍ଧିକୁ ତ୍ୱରାନ୍ୱିତ କରିଛି, ଯାହା ଆକାଶରେ ଲାଲ୍‌ ଆଲୋକ   ସୃଷ୍ଟି କରନ୍ତି । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ଚାର୍ଜ କଣିକାଗୁଡ଼ିକ  ମାଡ଼ ହେବା ଦ୍ୱାରା ଏହି ଆଲୋକ ଉତ୍ପନ୍ନ ହୁଏ ।