ମୁମ୍ବାଇ,୧୫/୧୧: ଆଗାମୀ ଆଇପିଏଲ୍-୧୯ର ମିନି ନିଲାମ ପୂର୍ବରୁ ଖେଳାଳି ବଦଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଖେଳାଳି ରିଟେନ ତାଲିକା ଘୋଷଣା କରାଯିବ । ଡିସେମ୍ବର ୧୬ ତାରିଖରେ ମିନି ନିଲାମ ଅନୁଷ୍ଠିତ ହେବ । ଇତି ମଧ୍ୟରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ପସନ୍ଦର ଖେଳାଳି ରିଟେନ୍ କରି ବାକି ଖେଳାଳିଙ୍କୁ ନିଲାମ ପାଇଁ ମୁକ୍ତ କରିଛନ୍ତି । ଅନେକ ନାମି ଦାମୀ ଖେଳାଳି ରିଟେନ ତାଲିକାରୁ ବାଦ ପଡ଼ିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ପ୍ରମୁଖ ପେସ୍ ବୋଲର ମହମ୍ମଦ ସାମିଙ୍କୁ ଟ୍ରେଡ କରିଛି । ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ତାଙ୍କୁ ପୂର୍ବ କିଣା ମୂଲ୍ୟରେ ନେଇଛି । ଗତ ମେଗା ନିଲାମରେ ସନରାଇଜର୍ସ ସାମିଙ୍କୁ ୧୦କୋଟି ଟଙ୍କାରେ କିଣିଥିଲା । ସୁପରଜାଏଣ୍ଟ୍‌ସ କୌଣସି ଖେଳାଳି ବଦଳ ନକରି ସନରାଇଜର୍ସକୁ ସାମିଙ୍କ କିଣା ମୂଲ୍ୟ ପ୍ରଦାନ କରିଛି । ଭାରତୀୟ ଦଳରେ ସ୍ଥାନ ପାଇ ନଥିବା ସାମି ସମ୍ପ୍ରତି ଫିଟ୍ ଓ ଫର୍ମରେ ରହିଛନ୍ତି । ଚଳିତ ରଣଜୀ ଟ୍ରଫିରେ ସେ ୪ଟି ମ୍ୟାଚ୍‌ରୁ ୧୫ଟି ୱିକେଟ୍ ନେଇ ସାରିଛନ୍ତି । ଅବଶ୍ୟ ଗତ ଆଇପିଏଲ୍‌ରେ ତାଙ୍କ ପ୍ରଦର୍ଶନ ଦୁର୍ବଳ ରହିଥିଲା । ଏଥର ସେ ଫିଟ୍‌ ନେସ୍ ଫେରି ପାଇଛନ୍ତି । ବର୍ତ୍ତମାନ ଭରତ ଅରୁଣ ସୁପରଜାଏଣ୍ଟ୍‌ସ ଦଳର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି। ତାଙ୍କ ଅଧିନରେ ସାମି ପୂର୍ବ ଲୟ ଫେରି ପାଇବେ ବୋଲି ଆଶା କରାଯାଉଛି । ସନରାଇଜର୍ସ ଏଥର ହେନରିକ୍ କ୍ଲାସେନଙ୍କୁ ରିଟେନ କରିବାକୁ ନିଷ୍ପତ୍ତି ନେଇଛି । ଗତ ମେଗା ନିଲାମ ପୂର୍ବରୁ ମଧ୍ୟ ସନରାଇଜର୍ସ ତାଙ୍କୁ ୨୩କୋଟି ଟଙ୍କାରେ ରିଟେନ କରିଥିଲା ।

ମୟଙ୍କଙ୍କୁ ରଖିଲା ସୁପରଜାଏଣ୍ଟ୍‌ସ ସୁପରଜାଏଣ୍ଟ୍‌ସ ଏଥର କିଛି ଯୁବ ଖେଳାଳିମାନଙ୍କୁ ରିଟେନ କରିବାକୁ ନିଷ୍ପତ୍ତି ନେଇଛି । ବାରମ୍ବାର ଆହତ ହେଉଥିବା ଫାଷ୍ଟ ବୋଲର ମୟଙ୍କ ଯାଦବଙ୍କୁ ସୁପରଜାଏଣ୍ଟ୍‌ସ ରିଟେନ କରିବାକୁ ନିଷ୍ପତ୍ତି ନେଇଛି ।ତାଙ୍କ ସହ ଆର୍ସିନ କୁଲକର୍ଣ୍ଣୀ, ମାଥ୍ୟୁ ବ୍ରିଜକୀ ଓ ଦିଗବେଶ ରାଠିଙ୍କୁ ମଧ୍ୟ ରିଟେନ କରିବାକୁ ସୁପରଜାଏଣ୍ଟ୍‌ସ ନିଷ୍ପତ୍ତି ନେଇଛି । ମାତ୍ର ଲେଗ ସ୍ପିନର ରବି ବିଷ୍ଣୋଇ, ପେସ୍ ବୋଲର ଆକାଶ ଦୀପ, ଦକ୍ଷିଣ ଆଫ୍ରିକା ବ୍ୟାଟର ଡେଭିଡ୍ ମିଲରଙ୍କୁ ଫ୍ରାଞ୍ଚାଇଜ ମୁକ୍ତ କରିଛି ।

ଲିଭିଙ୍ଗଷ୍ଟୋନ ବିଦା

ନିଲାମ ପାଇଁ ମୁକ୍ତ ହୋଇଥିବା ତାରକା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଇଂଲଣ୍ଡର ଲାଏମ ଲିଭିଙ୍ଗଷ୍ଟୋନ । ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ସଦସ୍ୟ ଥିଲେ । ତାଙ୍କୁ ୮.୭୫ କୋଟି ଟଙ୍କା ମୂଲ୍ୟରେ ରୟାଲ୍ ଚ୍ୟାଲେଞ୍ଜର୍ସ କିଣିଥିଲା । ସେ ଗତ ସିଜନରେ ୮ଟି ମ୍ୟାଚରୁ ୧୧୨ ରନ ସଂଗ୍ରହ କରିଥିଲେ । ଲିଭିଙ୍ଗଷ୍ଟୋନଙ୍କ ବ୍ୟତୀତ ମୟଙ୍କ ଅଗରୱାଲ୍, ବ୍ଲେସିଂ ମୁଜରବାନି, ରସିକ ଧରଙ୍କୁ ମଧ୍ୟ ମୁକ୍ତ କରିବା ନିଶ୍ଚିତ ।

ମ୍ୟାକ୍ସୱେଲଙ୍କୁ ମୁକ୍ତ କଲା ପଞ୍ଜାବ କିଙ୍ଗ୍‌ସ:

ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ୱେଲଙ୍କୁ ପଞ୍ଜାବ କିଙ୍ଗ୍‌ସ ମୁକ୍ତ କରିଛି । ଗତ ନିଲାମରେ ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ୪.୨କୋଟି ଟଙ୍କାରେ କିଣିଥିଲା । ମ୍ୟାକ୍ସୱେଲଙ୍କ ବ୍ୟତୀତ ପଞ୍ଜାବ କିଙ୍ଗ୍‌ସ ଆରନ ହାର୍ଡି, କେଲି ଜାମିସନ, ମିଚେଲ ଓଏନ, କୁଲଦୀପ ସେନ, ପ୍ରବୀଣ ଦୁବେ, ବିଷ୍ଣ ବିନୋଦଙ୍କୁ ମୁକ୍ତ କରିଥିବା ଜଣା ପଡ଼ିଛି ।

କନୱେ, ରଚିନ ମୁକ୍ତ ରବିନ୍ଦ୍ର:

ଜାଡ଼େଜା ଓ ସାମ କୁରାନଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲ୍ସରୁ ଆଣି ସାରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ନିଲାମ ପାଇଁ ଦୁଇ ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନୱେ ଓ ରଚିନ ରବିନ୍ଦ୍ରଙ୍କୁ ମୁକ୍ତ କରିଛି । ଗତ ମେଗା ନିଲାମରେ ସୁପରଜାଏଣ୍ଟ୍ସ କନୱେଙ୍କୁ ୬.୨୫କୋଟି ଓ ରବିନ୍ଦ୍ରଙ୍କୁ ଆରଟିଏମ କାର୍ଡ(୪କୋଟି ଟଙ୍କା)ରେ କିଣିଥିଲା । ଉଭୟ ଗତ ସିଜନରେ ନିରାଶ କରିଥିଲେ । ଏମାନଙ୍କ ବ୍ୟତୀତ ସୁପରକିଙ୍ଗ୍ସ ଦୀପକ ହୁଡ଼ା, ବିଜୟ ଶଙ୍କର, ଜାମି ଓଭରଟନ, ରାହୁଲ ତ୍ରିପାଠୀଙ୍କୁ ମଧ୍ୟ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ।

ଭେଙ୍କଟେଶ ବିଦା, ରହିବେ ରାହାଣେ:

ନିଲାମ ପୂର୍ବରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ କିଛି ପ୍ରମୁଖ ଖେଳାଳିଙ୍କୁ ମୁକ୍ତ କରିବାକୁ ଯାଉଛି । ଆଇପିଏଲ୍ ଇତିହାସର ତୃତୀୟ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିବା ଭେଙ୍କଟେଶ ଆୟରଙ୍କୁ ନାଇଟ୍ ରାଇଡର୍ସ ମୁକ୍ତ କରିଛି । ମାତ୍ର ଭେଟେରାନ ଅଜିଙ୍କ୍ୟ ରାହାଣେଙ୍କୁ ରିଟେନ କରିବାକୁ ଫ୍ରାଞ୍ଚାଇଜ ନିଷ୍ପତ୍ତି ନେଇଛି । ଗତ ମେଗା ନିଲାମରେ ଭେଙ୍କଟେଶଙ୍କୁ ୨୩.୭୫ କୋଟି ଟଙ୍କାରେ କିଣିଥିଲା ନାଇଟ ରାଇଡର୍ସ । ମାତ୍ର ସେ ମାତ୍ର ୧୪୨ ରନ ସଂଗ୍ରହ କରିଥିଲେ । ଦଳ ପାଇଁ ବୋଝ ପାଲଟିଥିବା ଭେଙ୍କଟେଶଙ୍କୁ ମୁକ୍ତ କରି ନାଇଟ୍ ରାଇଡର୍ସ ଆସ୍ୱସ୍ତ ହୋଇଛି । ସେହିପରି କ୍ୱିଣ୍ଟନ ଡି କକ୍, ଆନରିଚ ନର୍ଜଙ୍କୁ ମଧ୍ୟ ନାଇଟ୍ ରାଇଡର୍ସ ମୁକ୍ତ କରିଛି ।

ବେୟାରଷ୍ଟୋଙ୍କୁ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ:

ଗତ ଆଇପିଏଲ ସମୟରେ ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ଯୋଗୁଁ ଅନେକ ବିଦେଶୀ ଖେଳାଳି ନିଜ ନିଜ ଦେଶକୁ ଫେରିଯାଇଥିଲେ । ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ୱିଲ ଜ୍ୟାକ୍ସଙ୍କ ସ୍ଥାନରେ ଭେଟେରାନ ଜନି ବେୟାରଷ୍ଟୋଙ୍କୁ ଅସ୍ଥାୟୀ ଭାବେ କିଣିଥିଲା । ଏଥର ଫ୍ରାଞ୍ଚାଇଜ ତାଙ୍କୁ ରିଟେନ କରିବାକୁ ନିଷ୍ପତ୍ତି ନେଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ସେଭଳି ବଡ଼ ପରିବର୍ତ୍ତନ କରୁନଥିଲେ ହେଁ ଓପନର ଜେକ ଫ୍ରେଜର ମ୍ୟାକ-ଗର୍କ, ପେସ୍ ବୋଲର ଟି ନଟରାଜନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ ରୟାଲ୍ସ ମଧ୍ୟ ୱିକେଟ୍ କିପର/ ବ୍ୟାଟର ଲହୁଆନ ନ୍ଦ୍ରେ ପ୍ରିଟୋରିୟସ, ସ୍ପିନର ମହୀଶ ତୀକ୍ଷଣା, ପେସ୍ ବୋଲର ଫଜଲହକ୍ ଫାରୁକି, କ୍ୱେନା ମଫାକାଙ୍କୁ ମୁକ୍ତ କରିଛି ।