ନୂଆଦିଲ୍ଲୀ, ୧୯/୦୩ : ସମସ୍ତ ଜରୁରୀ ଗାଇଡ୍ଲାଇନ୍ ମାନିଲେ ଯାଇ ଏଲନ୍ ମସ୍କଙ୍କ କମ୍ପାନି ଷ୍ଟାର୍ଲିଙ୍କ୍କୁ ଭାରତରେ କାରବାର ଆରମ୍ଭ କରିବା ପାଇଁ ସରକାରଙ୍କଠାରୁ ମିଳିବ ଲାଇସେନ୍ସ। କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହା କହିଛନ୍ତି। ସେ କହିଛନ୍ତି ଯେ, ଉପଭୋକ୍ତାଙ୍କ ହିସାବରେ ନୀତି ତିଆରି କରିବା ଆମର ଲକ୍ଷ୍ୟ। ଯଦି କୌଣସି କମ୍ପାନି ଭାରତରେ ସାଟେଲାଇଟ୍ ଇଣ୍ଟର୍ନେଟ୍ ସେବା ଦେବାକୁ ଚାହାଁନ୍ତି ପ୍ରଥମେ ଉକ୍ତ କମ୍ପାନିକୁ ଭାରତ ସରକାରଙ୍କ ସମସ୍ତ ସର୍ତ୍ତ ମାନିବାକୁ ପଡ଼ିବ। ଲାଇସେନ୍ସ ନେବାକୁ ପଡ଼ିବ। ସ୍ପେକ୍ଟ୍ରମ ହାସଲ କରିବାକୁ ପଡ଼ିବ । ଏହା ପରେ ହିଁ ଉକ୍ତ କମ୍ପାନି ଦେଶରେ କାରବାର ଆରମ୍ଭ କରିପାରିବ।
ଷ୍ଟାର୍ଲିଙ୍କ୍ର ୪ ବର୍ଷରୁ ଅଟକି ରହିଥିବା ଲାଇସେନ୍ସ ଆବେଦନ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ସିନ୍ଧିଆ କହିଛନ୍ତି ଯେ, କମ୍ପାନି ସମସ୍ତ ନିୟମର ପାଳନ କରିବା ପରେ ହିଁ ତାହାକୁ ଲାଇସେନ୍ସ ପ୍ରଦାନ କରାଯିବ। ଭାରତରେ ପୂର୍ବରୁ ହିଁ ୱାନ୍ ୱେବ୍ ଏବଂ ଜିଓ ଏସ୍ଇଏସ୍କୁ ଦୁଇଟି ଲାଇସେନ୍ସ ଦିଆସରିଛି। ଆମ ବଜାର ସମ୍ପୂର୍ଣ୍ଣ ରୂପେ ଖୋଲା ରହିଛି । କିନ୍ତୁ କମ୍ପାନିଗୁଡ଼ିକୁ ସମସ୍ତ ନିୟମର ଅନୁପାଳନ କରିବାକୁ ହେବ । ସାଟେଲାଇଟ୍ କମ୍ୟୁନିକେଶନ୍ ଦୂର ଦୂରାନ୍ତ ଅଞ୍ଚଳରେ କନେକ୍ଟିଭିଟି ଯୋଗାଇବାରେ ସହାୟକ ହେବ । ଭାରତରେ ଏଣ୍ଟ୍ରି ପୂର୍ବରୁ କେନ୍ଦ୍ର ସରକାର ଷ୍ଟାର୍ଲିଙ୍କ୍ ଆଗରେ କେତେକ ସର୍ତ୍ତ ରଖିଛନ୍ତି । ସରକାର କହିଛନ୍ତି ଯେ, ସଟ୍ଡାଉନ୍ କଣ୍ଟ୍ରୋଲ ପାଇଁ ଦେଶରେ ହିଁ କଣ୍ଟ୍ରୋଲ ରୁମ୍ ବନାଯାଉ । ଅର୍ଥାତ ଯଦି ଏହି ସେବାକୁ କେବେ ବନ୍ଦ କରିବାକୁ ହୁଏ, ତେବେ ଏଥିପାଇଁ କଣ୍ଟ୍ରୋଲ ରୁମ୍ ଭାରତରେ ହେଉ । ଏହାସହିତ ଡାଟା ସୁରକ୍ଷା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୁବିଧା ଦିଆଯାଉ ଯେ, ସେମାନେ କଲ୍ ଇଣ୍ଟର୍ସେପ୍ଟ ଅର୍ଥାତ୍ ଡାଟା ଉପରେ ନଜର ରଖିପାରିବେ । ଏହାବ୍ୟତୀତ ସାଟେଲାଇଟ୍ ଜରିଆରେ ବିଦେଶକୁ କରାଯାଉଥିବା କଲ୍ର ସିଧାସଳଖ ଫର୍ୱାର୍ଡ ବଦଳରେ ଷ୍ଟାର୍ଲିଙ୍କ୍କୁ ପ୍ରଥମେ ଏହାକୁ ଭାରତରେ ବନାଯାଇଥିବା ଷ୍ଟାର୍ଲିଙ୍କ୍ ଗେଟ୍ୱେକୁ ଆଣିବାକୁ ହେବ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଥମ ଦୁଇଟି ସର୍ତ୍ତ ଦେଶର ଟେଲିକମ୍ କମ୍ପାନି ଜିଓ, ଏୟାର୍ଟେଲ ଏବଂ ଭୋଡାଫୋନ୍-ଆଇଡିଆ ଉପରେ ଲାଗୁ ହୋଇଛି । ରିପୋର୍ଟ ଅନୁସାରେ, ଷ୍ଟାର୍ଲିଙ୍କ୍ର ସାଟେଲାଇଟ୍ କମ୍ୟୁନିକେଶନ ଲାଇସେନ୍ସିଂର ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ରହିଛି । କମ୍ପାନି ଭାରତରେ ଇଣ୍ଟର୍ନେଟ୍ ସେବା ପାଇଁ ଜିଓ ଏବଂ ଏୟାର୍ଟେଲ ସହ ମାର୍କେଟିଂ ଏବଂ ନେଟ୍ୱର୍କ ସମ୍ପ୍ରସାରଣ ନିମନ୍ତେ ଚୁକ୍ତି କରିଛି । ଦେଶରେ କୌଣସି ପ୍ରାନ୍ତରେ ଆଇନ ବ୍ୟବସ୍ଥା ବିଗିଡ଼ିବା ସ୍ଥିତିରେ ସଞ୍ଚାର ସେବାକୁ ତତ୍କାଳ ବନ୍ଦ କରିବା ଲାଗି ଭାରତରେ କଣ୍ଟ୍ରୋଲ ରୁମ୍ ରହିବା ଜରୁରୀ । ଏଥିରେ ସାଟେଲାଇଟ୍ ସେବା ସାମିଲ । ଏଥିପାଇଁ ଷ୍ଟାର୍ଲିଙ୍କ୍ର କଣ୍ଟ୍ରୋଲ ସେଣ୍ଟର ଭାରତରେ ସ୍ଥାପନ କରିବା ପାଇଁ ଦାବି କରାଯାଉଛି ।