ଭୁବନେଶ୍ବର, ୨୦/ ୨ : ରାଜ୍ୟ ବଜେଟ୍ ୨୦୨୬-୨୭ ଉପସ୍ଥାପିତ। ମୋଟ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହିତ ସମନ୍ଵୟ ଆଣିବା ପାଇଁ, ପୁରୀରେ "ଶାମୁକା" ପ୍ରକଳ୍ପ ଏବଂ ହୀରାକୁଦକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଚିହ୍ନଟ କରାଯାଇଛି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ନୈସର୍ଗିକ ବେଳାଭୂମିର ଅନୁଭୂତି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଏକ ବିଶ୍ବମାନର ଉପକୂଳ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଣତ କରିବା ପାଇଁ ପ୍ରାୟ ୧୫ ଶହ ଏକର ପରିମିତ ଅଞ୍ଚଳରେ "ଶାମୁକା ପ୍ରକଳ୍ପ"ର ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପର ଅବସ୍ଥିତି ପୁରୀ ଏବଂ ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟବର୍ତ୍ତୀ ହୋଇଥିବାରୁ ଏହା ଜାତୀୟ ଓ ଆନ୍ତର୍ଜାତୀୟ ସଂଯୋଗକୁ ସୁନିଶ୍ଚିତ କରିବ ।

ପୁରୀର ଶାମୁକାଠାରେ ପ୍ରସ୍ତାବିତ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର (WTC) ଆଲୋଚନା, ନବ ସୃଜନ, ଗବେଷଣା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକଳାପ ପାଇଁ ଏକ ବିଶ୍ବ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ଯାହା ଓଡ଼ିଶାର ଅନ୍ତର୍ଜାତୀୟ ସ୍ଥିତିକୁ ସୁଦୃଢ କରିବ ।

ହୀରାକୁଦର ସମନ୍ବିତ ପର୍ଯ୍ୟଟନ ବିକାଶର ଲକ୍ଷ୍ୟ ହେଉଛି ଡ୍ୟାମ୍ ଅଞ୍ଚଳ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦ୍ବୀପ ସମୂହ ଏବଂ ଆଖପାଖ ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏହି ଅଞ୍ଚଳକୁ ଏକ ସ୍ଥାୟୀ, ବିଶ୍ବସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳରେ ପରିଣତ କରିବା । ଏଥିନିମିତ୍ତ ଜଳଭଣ୍ଡାର-କ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ପୂର୍ବରୁ ଅନୁମୋଦନ କରାଯାଇଛି ।