ଫିରିଙ୍ଗିଆ,୧୩/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପଠାରେ ରାଜ୍ୟସ୍ତରୀୟ ଗାଁ ଦିବସ ସମ୍ମାନ ଓ କଳା କ୍ଷେତ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗ୍ରାମାଞ୍ଚଳରେ ଲୁଚି ରହିଥିବା ପାରମ୍ପରିକ କଳା ଓ କଳାକାରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ବିକାଶ ଉପରେ କାର୍ଯ୍ୟକ୍ରମ ଜାରି ରଖିଥିବା ରାଜ୍ୟର ଅଗ୍ରଣୀ କଳାକାର ସଂଗଠନ କଳାକ୍ଷେତ୍ର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କନ୍ଧମାଳ ଜିଲ୍ଲାର ହଜାରେରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ I

କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘର ସଭାପତି ଅକ୍ଷୟ କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଳାକ୍ଷେତ୍ର ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ସଦସ୍ୟ ତଥା ସମ୍ପାଦକ ବାସୁଦେବ ମାଳବିଶୋଇ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ବରିଷ୍ଠ ବିଜେପି ନେତା ସଞ୍ଜିତ ମଣ୍ଡଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ, ସଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ତଥା ବରିଷ୍ଠ ନାଟ୍ୟ ନିର୍ଦେଶକ ମହାଦେବ ସାହୁ ପରିଚଳନା କରିଥିଲେ I

କାର୍ଯ୍ୟକ୍ରମ ଆରମ୍ଭରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ପ୍ରାୟ ୪୦ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ I ପରେ କଲ୍ୟାଣ ମଣ୍ଡପଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଜିଲ୍ଲାର ପ୍ରାୟ ଶହେ ଜଣ ପାରମ୍ପରିକ କଳାକାରକୁ ସମ୍ମାନିତ କରାଯାଇଥିବାବେଳେ ଅତିଥିମାନଙ୍କ ଦ୍ୱାରା କଳାଗ୍ରାମ ଲୋଗୋ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ପାରମ୍ପରିକ ଲୋକ କଳାକାର ସଙ୍ଘର ସଦସ୍ୟାଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ I କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ I