ସାଢେ ୬ କୋଟି ବର୍ଷ ପୁରୁଣା ଦେବଶିଳାରେ ତିଆରି ହେବ ରାମଲଲାଙ୍କ ପ୍ରତିମା, ଅଣାଯାଉଛି ଅଯୋଧ୍ୟା

ପାଟନା, ୨୭/୦୧ : ସାଢେ ୬ କୋଟି ବର୍ଷ ପୁରୁଣା ଦେବଶିଳାରେ ତିଆରି ହେବ ରାମଲଲାଙ୍କ ପ୍ରତିମା। ଏହି ଶିଳାର ଐତିହାସିକ, ପୌରାଣିକ, ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ଵ ରହିଛି। ନେପାଳର ମ୍ୟାଗ୍ଦି ଜିଲ୍ଲାରେ ପ୍ରବାହିତ ହେଉଥିବା ପବିତ୍ର ଗଣ୍ଡକି ନଦୀରୁ ଏହି ପଥର ସଂଗୃହୀତ ହୋଇ ଅଯୋଧ୍ୟା ଆସୁଛି। ଗୋଟିଏ ପଥରର ଓଜନ ୨୭ ଟନ୍ ଥିବା ବେଳେ ଆଉ ଗୋଟିଏ ପଥରର ଓଜନ ୧୪ ଟନ୍ ରହିଛି।
ଏହି ପବିତ୍ର ଶିଳା ମ୍ୟାଗ୍ଦିରୁ ଆସିବା ପୂର୍ବରୁ ଶାସ୍ତ୍ର ଅନୁଯାୟୀ, କ୍ଷମା ପୂଜା କରାଯାଇଥିଲା। ଏହାପରେ ଜିୟୋଲୋଜିକାଲ ଏବଂ ଆର୍କିଲୋଜିକାଲ ବିଶେଷଜ୍ଞଙ୍କ ଦ୍ଵାରା ପଥର ଖୋଳାଯାଇଥିଲା। ଏକ ବଡ଼ ଟ୍ରକ୍ରେ ଲଦା ହୋଇ ଏହି ଶୀଳାକୁ ରାଜକୀୟ ସମ୍ମାନର ସହ ଅଯୋଧ୍ୟା ଅଣାଯାଉଛି। ରାସ୍ତା ସାରା ଶ୍ରଦ୍ଧାଳୁମାନେ ଏହି ଶୀଳାକୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି।
ପ୍ରାୟ ୭ ମାସ ତଳେ ନେପାଳର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିମଳେନ୍ଦ୍ର ନିଧି ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ନିକଟରେ ଏହି ପ୍ରସ୍ତାବ ରଖିଥିଲା। ମିଥିଳାରେ ଝିଅମାନଙ୍କୁ ବିବାହ ସମୟରେ କିଛି ଦେବାର ପରମ୍ପରା ରହିଛି। ଏହି ପରମ୍ପରା ଅନୁଯାୟୀ, ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରରେ ଜନକପୁର ଏବଂ ନେପାଳର କିଛି ଯୋଗଦାନ ରହୁ ବୋଲି ବିମଳେନ୍ଦ୍ର ନିଧି ଭାରତ ସରକାରଙ୍କ ନିକଟରେ ଅପିଲ୍ କରିଥିଲେ। ଭାରତ ସରକାର ଏବଂ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ସବୁଜ ସଙ୍କେତ ମିଳିବା ପରେ ହିନ୍ଦୁ ସ୍ଵୟଂ ସେବକ ସଙ୍ଘ, ବିଶ୍ଵ ହିନ୍ଦୁ ପରିଷଦ ଏହି ନିଷ୍ପତ୍ତି ନେଇଥିଲେ। ରାମ ମନ୍ଦିର ଦୁଇ ହଜାର ବର୍ଷ ପାଇଁ ନିର୍ମାଣ ହେବାକୁ ଯାଉଥିବା ବେଳେ ଏହାର ମୂର୍ତ୍ତି ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଯେପରି ରହିପାରିବ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା।
ଏହାପରେ ନେପାଳ କ୍ୟାବିନେଟ୍ ବୈଠକରେ ଏନେଇ ସ୍ଵୀକୃତି ପ୍ରାପ୍ତ ହୋଇଥିଲା। ଏହାପରେ ଗଣ୍ଡକି ନଦୀରୁ ପବିତ୍ର ଶାଳଗ୍ରାମ ନେବା ପାଇଁ ଅନୁମତି ଦିଆଯାଇଥିଲା। ଏହି ଶୀଳାର ଆୟୁ ୬ କୋଟି ବର୍ଷ ପୁରୁଣା ହୋଇଥିବା ବେଳେ ଏବେ ଏହାର ଆୟୁ ଆହୁରି ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ରହିଛି। ପବିତ୍ର କାଳୀ ଗଣ୍ଡକି ନଦୀ ଦାମୋଦର କୁଣ୍ଡରୁ ବାହାରି ଭାରତରେ ପ୍ରବାହିତ ହେଉଥିବା ଗଙ୍ଗା ନଦୀରେ ମିଶିଛି। ଏହି ନଦୀ କୂଳରୁ ଶାଳଗ୍ରାମ ମିଳିଥାଏ।