କେରଳ, ‘ଭଗବାନଙ୍କ ନିଜ ଦେଶ’ । ମଣିଷକୁ ପ୍ରକୃତିର ଅନବଦ୍ୟ ଉପହାର କହିଲେ ଅତ୍ୟୁକ୍ତି ହେବନି । ଏଭଳି ଏକ ସ୍ଥାନର ଅନୁଭୂତି ସାଉଣ୍ଟିବାର ସୁଯୋଗ କିଏ ବା ହାତଛଡ଼ା କରେ । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦିଆଯାଇଥିବା ଏହି ସୁଯୋଗରେ ସାମିଲ ହୋଇ ଯାଇଥିଲି । ସାଙ୍ଗରେ ନିଜ ପେସାର ବଡ଼ସାନ ସାଥୀ ଥିଲେ ମଧ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ, ତେଣୁ ମତାନ୍ତର କି ମନାନ୍ତରର କାଣିଚାଏ ପ୍ରଶ୍ନ ନଥିଲା । କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରକଳ୍ପ ବୁଲିବା ମଧ୍ୟରେ ବେଳଅବେଳରେ ସ୍ଥାନୀୟ ଲୋକଙ୍କ ହାବଭାବ ଦେଖିବାକୁ ଭଲ ଲାଗୁଥାଏ । ସହର ଥିଲା ସମ୍ପୂର୍ଣ୍ଣ ଭିକାରିମୁକ୍ତ । ଯଦି କେଉଁଠି ଭିକାରି ଦେଖାଯାଉଥିଲେ, ସେମାନେ ରାଜ୍ୟ ବାହାରୁ ଆସିଥିବା ଜୋର୍ ଦେଇ କୁହାଯାଇପାରେ ।
ରାଜଧାନୀ ତିରୁବନନ୍ତପୁରମରେ ଏକ ତାରକା ହୋଟେଲରେ ଅବସ୍ଥାନ କରୁଥିଲୁ । ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ସକାଳୁ ହାତରେ କିଛି ସମୟ ବଳକା ରହିଥିଲା । ତେଣୁ ପ୍ରାତଃଭ୍ରମଣ ନାମରେ ଅନୁଜସମ ପିଆଇବିର ବରିଷ୍ଠ ଅଧିକାରୀଙ୍କ ସହ ରାସ୍ତାକୁ ବାହାରି ପଡ଼ିଥିଲି । ଫୁଟପାଥ୍ରେ କିଛି ବାଟ ଯିବାପରେ ଗୋଟିଏ ରାସ୍ତା ଅତିକ୍ରମ କରି ଅପରପାଶ୍ୱର୍କୁ ଯିବାକୁ ଉଦ୍ୟତ ହେଉଥିଲୁ । ପାଖରେ କୌଣସି ଛକ ନଥିଲା । ସକାଳ ହୋଇଥିଲେ ମଧ୍ୟ ରାଜଧାନୀ ରାସ୍ତାରେ ଗାଡ଼ିର ଧାଡ଼ି ଲମ୍ବିସାରିଥିଲା । ତେଣୁ ରାସ୍ତା ଅତିକ୍ରମ କରିବା ଏତେ ସହଜ ନୁହେଁ । କେବଳ ଗତିଶୀଳ ଗାଡ଼ିଗୁଡ଼ିକ ସହ ତାଳଦେଇ ମୁଣ୍ଡକୁ ଡାହାଣରୁ ବାମକୁ ବୁଲାଇବାରେ ବ୍ୟସ୍ତ ଥିଲୁ । ଅଚାନକ ଆମଠୁ କେଇ ଫୁଟ ଦୂରରେ କେଏସଆରଟିସି (ରାଜ୍ୟ ସଡ଼କ ପରିବହନ)ର ଗାଡ଼ିଟି ବ୍ରେକ୍ ସହ ହର୍ଣ୍ଣ ମାରିବାରେ ଲାଗିଥିଲା । ପଛକୁ ୬/ଟି ଗାଡ଼ି ମଧ୍ୟ ଛିଡ଼ା ହୋଇ ସାରିଥିଲେ । ଗାଡ଼ି ସମ୍ମୁଖରେ କେହି ନଥିଲେ, ବୁଝି ପାରୁନଥିଲି, ଡ୍ରାଇଭରର ଉଦ୍ଦେଶ୍ୟ କ’ଣ । ସାଥୀ ମୋର କହିଲେ- ସାର୍, ଡ୍ରାଇଭର ଆମକୁ ରାସ୍ତା ଅତିକ୍ରମ କରିବାକୁ ଠାରୁଛି, ଆମ ପାଇଁ ବ୍ରେକ୍ ମାରି ଛିଡ଼ା ହୋଇଛି । ବିସ୍ମିତ ହୋଇଗଲି, ଆମେ ତ କେବଳ ଛିଡ଼ା ହୋଇ ସୁଯୋଗ ଖୋଜୁଥିଲୁ ଭିଡ଼ କମିବାକୁ । କିନ୍ତୁ ଆମ ପାଇଁ ଡ୍ରାଇଭରଟି ଏତେ ବଡ଼ ବସ୍ଟିକୁ ଅଟକାଇବା ସହ ପଛ ଗାଡ଼ିକୁ ବି ଅଟକାଇ ଦେଇଛି । ଧଳାସାର୍ଟ ପିନ୍ଧି କେରଳର ଅଭିନେତାମାନଙ୍କ ଭଳି ମୋଟା ନିଶ ରଖିଥିବା ଡ୍ରାଇଭରର ମୁହଁ ସ୍ପଷ୍ଟ ଦେଖାଯାଉଥିଲା । କ୍ଷଣକରେ ମନକୁ ଆସିଲା, ଇଏ କି କଥା? ଆମ ବୁଲାବୁଲି କ’ଣ ସେମାନଙ୍କ କାମଠୁ ବଡ଼? ମୁହଁରେ ହସ ଫୁଟାଇ ଡ୍ରାଇଭରକୁ ହାତ ଉଠାଇ ଠାରିଲୁ ନଅଟକି ଆଗେଇ ଯିବାକୁ । ଡ୍ରାଇଭର ମଧ୍ୟ ହସିଦେଇ ଗାଡ଼ିର ଗିଅର ବଦଳାଇଲା । ଭାବିଲି, ଏହା ବୋଧେ ଭଗବାନଙ୍କ ରାଇଜର ଆତିଥ୍ୟ! ତେବେ ମନେ ପଡ଼ିଯାଉଥିଲା କେଇଦିନ ତଳେ ଓଡ଼ିଶାର ସମସ୍ତ ପ୍ରମୁଖ ଖବରକାଗଜର ହେଡ୍ଲାଇନ ‘ଆମ ବସ୍ ନା ଯମ’, ‘କିଲର୍ ଆମ ବସ୍’ ।
ଦୁର୍ଭାଗ୍ୟକୁ ଆମ ଗସ୍ତ ଭିତରେ ପଡ଼ିଗଲା ଫେବ୍ରୁଆରୀ ୧୨, ଟ୍ରେଡ ୟୁନିଅନର ‘ଭାରତ ବନ୍ଦ’ । ଓଡ଼ିଶା ହୋଇଥିଲେ ବେକରେ ‘ପ୍ରେସ୍’ କାର୍ଡଟିକୁ ଓହଳାଇ ପ୍ରେସ୍ ଲେଖାଥିବା ଗାଡ଼ି ଗଡ଼ାଇବାରେ ଅସୁବିଧା ନଥିଲା । କିନ୍ତୁ ଏଠି? ଶୁଣିଥିଲୁ କେରଳରେ ଟ୍ରେଡ ୟୁନିଅନର ଦବ୍ଦବା ବହୁତ । ତେଣୁ ଗାଡ଼ି ଗଡ଼ିବା ମୁସ୍କିଲ ହୋଇପାରେ । ହେଲା ବି ତାହା । ହୋଟେଲ କର୍ତ୍ତୃପକ୍ଷ, ପୁଲିସ ଓ ପାଖଆଖ ଦୋକାନୀ ସ୍ପଷ୍ଟ କରିଦେଲେ- କୁଆଡ଼େ ଯାଆନ୍ତୁ ନାହିଁ ହୋଟେଲରେ ରୁହନ୍ତୁ । କଥା ମାନିଲୁ । ତେବେ ଗାଡ଼ିରେ ‘ଟୁରିଷ୍ଟ’ ଲେଖାଥିଲେ ଗାଡ଼ି ଅଟକାଇଲେ ମଧ୍ୟ କେହି କ୍ଷତି କରିବେନି ବୋଲି ସମସ୍ତେ ଶତପ୍ରତିଶତ ଗ୍ୟାରେଣ୍ଟି ଦେଉଥିଲେ । ବୁଲିବାର ଇଚ୍ଛାକୁ ଚାପିଦେଇ ତଥାପି ଚାଲି ଚାଲି ବାହାରିଲୁ ‘ବନ୍ଦ’ର ଅନୁଧ୍ୟାନ ପାଇଁ । ଦୋକାନ-ବଜାର ବନ୍ଦ, ଯେମିତିକି କର୍ଫ୍ୟୁ । ଅନତି ଦୂରରେ ଥିଲା ଷ୍ଟେସନ । ଛୋଟ ବଡ଼ କ୍ୟାମେରା, ବୁମ୍ ଧରି ଭିଡ଼ ଜମାଇଥିଲେ କେରଳର ଆମ ଜାତିଭାଇମାନେ । ଥକା ମେଣ୍ଟାଉଥିବା ଲୋକ, ବଡ଼ ବ୍ୟାଗ ବୋହୁଥିବା ଲୋକଙ୍କ ଉପରକୁ ସେମାନଙ୍କ କ୍ୟାମେରା ବୁଲୁଥିଲା ଏବଂ ମାଲୟାଲମରେ କହୁଥିଲେ- ଆମ ପାଇଁ ଥିଲା ଦୁର୍ବୋଧ୍ୟ । ଏହି ସମୟରେ ହଠାତ୍ ଭିଡ଼ ବଢ଼ିଗଲା । ବୋଧହୁଏ ଷ୍ଟେସନରେ ଟ୍ରେନ ଲାଗିଲା । ଏଭଳି ସମୟରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ୨୦/୨୫ ଛୋଟ ବଡ଼ ଆମ୍ବୁଲାନ୍ସ ଷ୍ଟେସନ ଫାଟକ ପାଖରେ ଲାଗିଗଲା । ଯାତ୍ରୀମାନଙ୍କୁ ବସାଇ ଆଗପଛ ହୋଇ ପଳାଇଗଲେ । ତେବେ କାହାରି ସାଇରନ ବାଜୁନଥିଲା । ଦୃଶ୍ୟରେ ଯବନିକା ହୋଇନଥିଲା । ବଡ଼ ବଡ଼ ପୁଲିସ ଭ୍ୟାନ କେତୋଟି ମଧ୍ୟ ଧାଡ଼ି ହୋଇ ଆସିଥିଲେ, ଆଉ ଯେଉଁ ବଳକା ଯାତ୍ରୀ ଥିଲେ ସେମାନଙ୍କୁ ବୋହି ନେଇ ପଳାଇଲେ । ବିସ୍ମିତ ହୋଇଗଲୁ । ଇଏ କ’ଣ ଯେ? ପାଖରେ ବୁଲୁଥିବା ଜଣେ କନଷ୍ଟେବଳକୁ ହିନ୍ଦୀ-ଇଂରାଜୀ ମିଶା ପ୍ରଶ୍ନ କଲୁ ଏ ବାବଦରେ । ସେ ହିନ୍ଦୀ-ମାଲୟାଲମ ମିଶା ଭାଷାରେ ବୁଝାଇଦେଲା। ବନ୍ଦ ବେଳେ ଲୋକଙ୍କ ସେବାରେ ପୁଲିସ ଭ୍ୟାନ ଓ ଆମ୍ବୁଲାନ୍ସ ରହିଥାନ୍ତି । କେହି ବିରୋଧ କରିବେନି କି ଯାତ୍ରୀମାନେ ହଇରାଣ ହେବେନି । ଆଇନ ବାହାରେ ସହୃଦୟତାର ଏହି ବ୍ୟବସ୍ଥା ‘ଓଡ଼ିଶା ବନ୍ଦ’ ବେଳେ ବ୍ୟବହାର କଲେ ଚଳିବ କି ବୋଲି ଭାବୁଥିଲୁ!
ଗସ୍ତ ଅବସରରେ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା । ଭେଟିଲୁ ମଧ୍ୟ । ଓଡ଼ିଶାରୁ ଆସିଛୁ ଜାଣି ଓଡ଼ିଆଙ୍କ ସମେତ ଓଡ଼ିଶା, ଜଗନ୍ନାଥ ଓ ମହୋଦଧିର ଭୂରି ଭୂରି ପ୍ରଶଂସା କଲେ । ବାର୍ତ୍ତାଳାପ ମଧ୍ୟରେ ମାନ୍ୟବରଙ୍କ ପ୍ରଶ୍ନ ଥିଲା- ‘ଆମ କେରଳ’ କିପରି ଲାଗିଲା? ଭଲଭାବେ ଜାଣିଥିଲୁ ରାଜ୍ୟପାଳ ଗୋଆର ବାସିନ୍ଦା, ଯୁବାବସ୍ଥାରୁ ବିଜେପିର ପ୍ରଚଣ୍ଡ ସମର୍ଥକ ଓ କାର୍ଯ୍ୟକର୍ତ୍ତା । ବଡ଼ ହେବାପରେ ଗୋଆ ବିଜେପିର ପ୍ରବୀଣ ନେତା ଭାବେ ପରିଚିତ । କେରଳରେ ଅଣ-ବିଜେପି ସରକାର ଆସୀନ । କିନ୍ତୁ ପ୍ରତି ଧାଡ଼ିରେ ‘ଆମ କେରଳ’, ‘ଆମ ଲୋକମାନେ’ ଉଚ୍ଚାରଣ ଶୁଣି ବେଶ୍ ଖୁସି ଲାଗୁଥିଲା । କହିଥିଲେ, କେରଳ ଆସିବା ପରେ ଏଠାରେ ସବୁଠାରୁ କ’ଣ ଭଲ ବୋଲି ସେ କେତେକଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କୁ ଉତ୍ତର ମିଳିଥିଲା ଏଠାକାର ଲୋକମାନେ ହିଁ ବହୁତ ଭଲ । ଆଉ କେଇ ମାସ ମଧ୍ୟରେ ଏହାହିଁ ସତ୍ୟ ବୋଲି ସେ ଅନୁଭବ କରିଥିବା ରାଜ୍ୟପାଳ କହିଥିଲେ । ମୁଚୁକୁନ୍ଦ ରାଜନୈତିକ ହସ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରଶଂସାରେ ତିଳେ ମଧ୍ୟ କାର୍ପଣ୍ୟ କରିନଥିଲେ । ବୋଧହୁଏ ଭାରତୀୟ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଏହା ହିଁ ମୂଳ ବିଶେଷତ୍ୱ । ସେଥିପାଇଁ ସର୍ବତ୍ର ରାଜ୍ୟପାଳଙ୍କ ଅଭିଭାଷଣରେ ‘ମୋ ସରକାର’ ହିଁ ଉଚ୍ଚାରିତ ହୋଇଥାଏ । ବଚନର ଏହି ଚରିତ୍ର ବାସ୍ତବତାରେ ଆମ ନିଜ ପରିବାର ଓ ସମାଜର ଚରିତ୍ରରେ କେତେ ପରିଲକ୍ଷିତ ହୋଇଥାଏ? ଏହି ପ୍ରଶ୍ନ ମୋ ମନକୁ ଆସୁଥିଲା ।