ନୂଆଦିଲ୍ଲୀ, ୨୫।୩: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏବେ ବିଶ୍ୱର ନଜର ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଉପରେ । ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ନୌସେନା ନିଜର ସାହସିକତା ଓ ରଣନୀତି ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛି । ବିଶ୍ୱର ଏହି 'ଲାଇଫ୍ ଲାଇନ୍'ରେ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକୁ ସୁରକ୍ଷିତ ବାହାର କରିବା ପାଇଁ ଭାରତୀୟ ନୌସେନା ଏବେ ଢାଲ ସାଜି ଛିଡ଼ା ହୋଇଛି ।
ତୈଳ ଓ ଗ୍ୟାସ୍ ଟ୍ୟାଙ୍କରକୁ ଏସ୍କର୍ଟ କରୁଛି ନୌସେନା:
ଇରାନ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅନେକ ଦେଶର ଜାହାଜ ହୋର୍ମୁଜ ପ୍ରଣାଳୀରେ ଫସି ରହିଛନ୍ତି । କିନ୍ତୁ ଭାରତ ପାଇଁ ଆଶ୍ୱସ୍ତିର ଖବର ହେଉଛି ଯେ, ଭାରତୀୟ ଜାହାଜଗୁଡ଼ିକୁ ଏହି ରୁଟ୍ ଦେଇ ଯିବାକୁ ଅନୁମତି ମିଳୁଛି । ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକ ଏହି ଟ୍ୟାଙ୍କରଗୁଡ଼ିକୁ କେବଳ ପହରା ଦେଉନାହାଁନ୍ତି, ବରଂ ସୁରକ୍ଷିତ ଭାବେ ପାର୍ସିଆନ ଗଲ୍ଫରୁ ବାହାର କରିବା ପାଇଁ ପର୍ଯ୍ୟାୟକ୍ରମେ ଗାଇଡ୍ ମଧ୍ୟ କରୁଛନ୍ତି ।
ଏହା ବି ପଢ଼ନ୍ତୁ... ୯ ଦିନ ପରେ ବି ନିଷ୍କ୍ରିୟ ହେଲାନି ବୋମା, ସୁରକ୍ଷା ପାଇଁ ସେନା ଆପଣେଇବ ‘ବଙ୍କର୍ ଟେକନିକ୍’
ଓମାନ ପର୍ଯ୍ୟନ୍ତ ବଢ଼ିଲା ନୌସେନାର ଶକ୍ତି:
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ନିଜର କାର୍ଯ୍ୟକ୍ଷେତ୍ରକୁ ଓମାନ ଉପସାଗର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛି । ଅତ୍ୟାଧୁନିକ ଡେଷ୍ଟ୍ରୋୟର ଏବଂ ଫ୍ରିଗେଟ୍ ଜାହାଜଗୁଡ଼ିକୁ ସେଠାରେ ମୁତୟନ କରାଯାଇଛି । ଜାହାଜଗୁଡ଼ିକର ନିରନ୍ତର ଯାତାୟାତ ପାଇଁ ସମସ୍ତ ପ୍ରକାରର ଯାନ୍ତ୍ରିକ ଓ ଖାଦ୍ୟପେୟ ସହାୟତା ଯୋଗାଇ ଦିଆଯାଉଛି । ରିପୋର୍ଟ ଅନୁସାରେ, ଇରାନ ଦ୍ୱାରା ସମୁଦ୍ର ମଧ୍ୟରେ ଅଣ୍ଡରୱାଟର ମାଇନ୍ସ ବିଛାଯିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ସାମାନ୍ୟ ଭୁଲ୍ ବିପଦଜନକ ହୋଇପାରେ । ଏଠାରେ ଭାରତର ହାଇଡ୍ରୋଗ୍ରାଫିକ୍ ଚାର୍ଟ ବଡ଼ ଭୂମିକା ଗ୍ରହଣ କରୁଛି । ସମୁଦ୍ରର ଗଭୀରତା, ପଥର ଏବଂ ଲୁଚି ରହିଥିବା ବିପଦର ସଠିକ୍ ସୂଚନା ଦେବାରେ ଭାରତୀୟ ଚାର୍ଟ ବିଶ୍ୱସ୍ତରୀୟ । କେବଳ ଭାରତ ନୁହେଁ, ଅନେକ ବନ୍ଧୁରାଷ୍ଟ୍ର ମଧ୍ୟ ସୁରକ୍ଷିତ ଯାତ୍ରା ପାଇଁ ଭାରତର ଏହି ସର୍ଭେ ଉପରେ ନିର୍ଭର କରନ୍ତି ।
ସାରା ବିଶ୍ୱରେ ଭାରତର ଦବଦବା:
ବର୍ତ୍ତମାନର ସଙ୍କଟ ସମୟରେ ଭାରତର ଏହି ପଦକ୍ଷେପ ପ୍ରମାଣ କରିଛି ଯେ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଶକ୍ତି । ଭାରତୀୟ ନୌସେନାର ସତର୍କତା ଯୋଗୁଁ ଦେଶର ଏନର୍ଜି ସପ୍ଲାଏ ଚେନ୍ ସୁରକ୍ଷିତ ରହିଛି, ଯାହା ଫଳରେ ଦେଶରେ ତୈଳ ଓ ଗ୍ୟାସ୍ର ଅଭାବ ପରିଲକ୍ଷିତ ହେଉନାହିଁ ।