ଝାଡ଼ଖଣ୍ଡ, ୨୫।୩: ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାରୁ ମିଳିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବିଶାଳକାୟ ବୋମା ଏବେ ସେନା ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ପ୍ରାୟ ୯ ଦିନ ବିତିଯାଇଥିଲେ ମଧ୍ୟ ଏହି ୨୨୭ କିଲୋଗ୍ରାମ ଓଜନର ଜୀବନ୍ତ ବୋମାକୁ ଏପର୍ଯ୍ୟନ୍ତ ନିଷ୍କ୍ରିୟ କରାଯାଇପାରିନାହିଁ । ବିସ୍ଫୋରଣର ଭୟାବହତାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏବେ ଏହାକୁ ନିଷ୍କ୍ରିୟ କରିବା ପାଇଁ ‘ବଙ୍କର ଟେକ୍ନୋଲୋଜି’ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ଗତ ମାର୍ଚ୍ଚ ୧୭ ତାରିଖରେ ବହରାଗୋଡ଼ା ଥାନା ଅନ୍ତର୍ଗତ ପାନିପଡ଼ା-ନାଗୁଡ଼ସାଇ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀ କୂଳରୁ ଏହି ଶକ୍ତିଶାଳୀ ବୋମାଟି ଉଦ୍ଧାର କରାଯାଇଥିଲା । ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ମଡେଲ୍ର ବୋମା ଯାହା ୫୦୦ ପାଉଣ୍ଡ ହେବ । ସେହି ସମୟରେ ବିମାନରୁ ଏହାକୁ ନିକ୍ଷେପ କରାଯାଇଥିଲେ ହେଁ କୌଣସି କାରଣବଶତଃ ଏହା ବିସ୍ଫୋରଣ ନହୋଇ ବାଲି କିମ୍ବା ମାଟି ତଳେ ପୋତି ହୋଇ ରହିଯାଇଥିଲା । ନିକଟରେ ବାଲି ଖନନ ସମୟରେ ଏହା ବାହାରକୁ ଆସିଥିଲା ।
ଏହା ବି ପଢ଼ନ୍ତୁ... ଭାରତ-ଶ୍ରୀଲଙ୍କା ମଧ୍ୟରେ ବଢ଼ିବ ବନ୍ଧୁତା: ଶକ୍ତି ସହଯୋଗ ଓ ଆଞ୍ଚଳିକ ସୁରକ୍ଷା ନେଇ ମୋଦୀ-ରାଷ୍ଟ୍ରପତିଙ୍କ ବଡ଼ ଆଲୋଚନା
କ’ଣ ଏହି ‘ବଙ୍କର ଟେକ୍ନୋଲୋଜି’ ?
୨୨୭ କିଲୋର ଏହି ବୋମାଟି ଏବେ ବି ସମ୍ପୂର୍ଣ୍ଣ ସକ୍ରିୟ ବା ଜୀବନ୍ତ ଅବସ୍ଥାରେ ଅଛି । ଏହାକୁ ଖୋଲା ସ୍ଥାନରେ ନିଷ୍କ୍ରିୟ କଲେ ପ୍ରବଳ କମ୍ପନ ସହ ମାଟି ଓ ପଥର ମାଡ଼ ହେବାର ଆଶଙ୍କା ରହିଛି । ତେଣୁ ସେନା ପକ୍ଷରୁ ବଙ୍କର ଟେକ୍ନୋଲୋଜି ବ୍ୟବହାର କରାଯିବ । ବୋମା ଚାରିପଟେ ବାଲି ଭର୍ତ୍ତି ବୋରାର ଏକ ଉଚ୍ଚ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ । ମାଟି ତଳେ ଏକ ବିଶେଷ ଗାତ ତିଆରି କରାଯାଇ ବୋମାକୁ ରଖାଯିବ, ଯାହାଫଳରେ ବିସ୍ଫୋରଣର ଚାପ ଓ ଶବ୍ଦ ମାଟି ଭିତରେ ହିଁ ରହିଯିବ । ଏଥିପାଇଁ ୧ କିଲୋମିଟର ଅଞ୍ଚଳ ସିଲ୍ କରାଯିବା ସହ ଡ୍ରୋନ୍ ଜରିଆରେ ନଜର ରଖାଯିବ । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଘଟଣାସ୍ଥଳରୁ ୧ କିଲୋମିଟର ପରିଧି ମଧ୍ୟରେ ଥିବା ପାନିପଡ଼ା ଗ୍ରାମର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସେନା ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବୋମା ନିଷ୍କ୍ରିୟ ସମୟରେ ସେହି ଆକାଶ ମାର୍ଗରେ କୌଣସି ବିମାନ ବା ହେଲିକପ୍ଟର ଉଡ଼ିବା ଉପରେ ରୋକ୍ ଲଗାଯାଇଛି । ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ସମ୍ପୂର୍ଣ୍ଣ ଅଞ୍ଚଳ ଉପରେ ନଜର ରଖାଯାଇଛି ।
ଆହୁରି ବୋମା ଥିବା ସନ୍ଦେହ:
ସେନା ପକ୍ଷରୁ ମେଟାଲ୍ ଡିଟେକ୍ଟର ଓ ଡ୍ରୋନ୍ ସର୍ଭେ ସମୟରେ ସେହି ଅଞ୍ଚଳରେ ଆଉ ଏକ ବୋମା ଥିବାର ସଙ୍କେତ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ନଦୀ ପଠାରେ ମାଟି ତଳେ ଆହୁରି ଅନେକ ପୁରୁଣା ବୋମା ପୋତି ହୋଇ ରହିଥାଇପାରେ । ସେନା ଏବେ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।