ନୂଆଦିଲ୍ଲୀ,୦୭/୦୧: ବୁଲା କୁକୁର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, କୁକୁର କେଉଁ ମନୋଭାବରେ ଅଛି ତାହା ଜାଣିବା ସମ୍ଭବ ନୁହେଁ । ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । କୁକୁର କାହାକୁ କେତେବେଳେ କାମୁଡିବେ ପୂର୍ବାନୁମାନ କରିବା କଷ୍ଟକର ।
ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କ ୩ ଜଣିଆ ଖଣ୍ଡପୀଠ ବୁଲା କୁକୁର ଓ ଗୋରୁଗାଈ ମାମଲାର ଶୁଣାଣି କରିଛନ୍ତି । ଯାହା ରାସ୍ତା ଏବଂ ରାଜପଥରେ ପଶୁମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି, କୁକୁର କାମୁଡିବା ବିଷୟ ନୁହେଁ ବରଂ କୁକୁରମାନଙ୍କ ଦ୍ୱାରା ହେଉଥିବା ବିପଦ ବିଷୟ ମଧ୍ୟ । କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭ ବ। ଏହାସହ ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି । ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ''କୁକୁର କେବଳ କାମୁଡନ୍ତି ନାହିଁ ସେମାନେ ଲୋକଙ୍କୁ ପିଛା ମଧ୍ୟ କରନ୍ତି ଯାହା ଦୁର୍ଘଟଣାର କାରଣ ହୋଇଥାଏ । ଯେତେବେଳେ ସେମାନେ ରାସ୍ତାରେ ଦୌଡନ୍ତି, ବିଶେଷ କରି ରାସ୍ତାରେ ଯାନବାହାନ ଚଳାଚଳ କରେ, ସେତେବେଳେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି ।'' ହେଲେ ଆଇନଜୀବୀ କପିଳ ଶିବଳ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି କୁକୁରମାନେ ରାସ୍ତାରେ ନାହାନ୍ତି, ସେମାନେ କମ୍ପାଉଣ୍ଡରେ ଅଛନ୍ତି । ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ ଯେ, ଯଦି କେହି ପଶୁମାନଙ୍କୁ ସହାନୁଭୂତିର ବ୍ୟବହାର କରେ, ତେବେ ସେମାନେ ଆକ୍ରମଣ କରିବେ ନାହିଁ । ତାଙ୍କ ସହିତ ଭଲ ବ୍ୟବହାର କରିବା ଆକ୍ରମଣକୁ ଏଡାଇ ଦେଇଥାଏ । ଯଦି ସେମାନଙ୍କ ସ୍ଥାନ ଛଡାଇ ନିଆଯାଏ ତେବେ ସେମାନେ ଆକ୍ରମଣ କରିବେ । ଏହାକୁ ନେଇ କୋର୍ଟରେ ବିତର୍କ ଆହୁରି ସରଗରମ ହୋଇଥିଲା ।