ଫିରିଙ୍ଗିଆ, ୯।୮: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାନ୍ତ ଅଞ୍ଚଳ ସୁମେରୁବନ୍ଧ ପଞ୍ଚାୟତରେ ଥିବା ୧୩୬ ବାଟାଲିଆନ ବିଏସଏଫ କ୍ୟାମ୍ପରେ ପବିତ୍ର ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଛି l ୧୩୬ ବାଟାଲିଆନ ବିଏସଏଫ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁମେରୁବନ୍ଧ ପଞ୍ଚାୟତ ସରପଞ୍ଚ ସୁଶୀଳା କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧରେ ମଣ୍ଡଳ ସଭାପତି ଦେବେଶ୍ୱର ଦୀପ, ୱାର୍ଡ ମେମ୍ବର ରବୀନ୍ଦ୍ର କହଁର ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମରେ ବାଇଡ଼ି ପଦର, ଡମାଙ୍ଗ ପଦର, ସୁମେରୁବନ୍ଧ, ବୃଡ଼ି ଗୁଡା ଗାଁର ଶତାଧିକ ଜନସାଧାରଣ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଖୀ ବାନ୍ଧି ଶାନ୍ତି ମୈତ୍ରୀ, ସଦଭାବନାର ବାର୍ତ୍ତା ଦେଇଥିଲେ l ବିଏସଏଫ କମାଣ୍ଡର ଇନ୍ସପେକ୍ଟର ଉଦୟ ବୀର ସିଂ ଏବଂ ବିଏସଏଫର ସମସ୍ତ ଯବାନମାନଙ୍କୁ ଜନସାଧାରଣ ରାକ୍ଷୀ ବାନ୍ଧିଥିଲେ l
ଅନୁରୂପ ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଚ୍ଛାପଡ଼ା ଠାରେ ୧୧୬ ବାଟାଲିଅନ ବିଏସଏଫ ଦ୍ୱାରା ପବିତ୍ର ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଚ୍ଛାପଡ଼ାର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଞ୍ଚଳ ର ବରିଷ୍ଠ ବୁଦ୍ଧିଜୀବୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l ବିଦ୍ୟାଳୟରେ ଏକ ଶାନ୍ତି ମୈତ୍ରୀ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧି ଉତ୍ସବ ମନାଇ ଥିଲେ l କାର୍ଯ୍ୟକ୍ରମରେ ୧୧୬ ବାଟାଲିଅନ ବିଏସଏଫର କମାଣ୍ଡର ଓ ଯବାନମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l