ଟିକାବାଲି,୨୪/୦୧: ସରସ୍ୱତୀ ପୂଜା ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଟିକାବାଲି ସରକାରୀ ହାଇସ୍କୁଲର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିଲେ । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା ।
ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ୍ ଅଫିସ୍ ନିକଟ ବିଏସ୍ଏନ୍ଏଲ୍ ଟାୱାର ତଳେ ଦୁଇ ନାବାଳକ ଛାତ୍ର ମଦ ପିଇ ନିଶାସକ୍ତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା । ବାନ୍ତି କରି ସେଠାରେ ଅଚେତ ହୋଇ ତଳେ ଗଡ଼ୁଥିଲେ । ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ଛାତ୍ରଙ୍କ ସ୍କୁଲ ୟୁନିଫର୍ମ ଦେଖି ପ୍ରଧାନଶିକ୍ଷକ କାମରାଜ କହଁରଙ୍କୁ ଖବର ଦେଇଥିଲେ । ଛାତ୍ରଙ୍କୁ ଟିକାବାଲି ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଉଭୟ ଛାତ୍ର ଅତ୍ୟଧିକ ମଦ ପିଇଥିବା ଜଣାପଡ଼ିଥିଲା । ପ୍ରଧାନଶିକ୍ଷକଙ୍କ ସୂଚନା ମୁତାବକ, ଛାତ୍ରଙ୍କ ପରିବାରକୁ ଅବଗତ କରାଯାଇଛି । ସେମାନେ ଆସିବା ପରେ ପିଲାଙ୍କୁ ସ୍କୁଲରୁ ବହିଷ୍କାର କରାଯିବ । ମାତ୍ର ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
ଆହୁରି ପଢ଼ନ୍ତୁ:-ବାଘ- ମଣିଷ ଲଢ଼େଇରେ ମଲା ବାଘ, ଘଟଣାର ତଦନ୍ତ କରୁଛି ବନ ବିଭାଗ
ପିଲା ବାହାରକୁ କିଭଳି ଗଲେ, ମଦ କେଉଁଠୁ ପାଇଲେ, ତାର ଅନୁସନ୍ଧାନ ନ କରି ଶିକ୍ଷା ବର୍ଷ ମଝିରେ ପିଲାଙ୍କୁ ବହିଷ୍କାର କଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଟିକାବାଲି ହାଇସ୍କୁଲ ପରିସରରେ ପୂର୍ବରୁ ମଧ୍ୟ ଛାତ୍ରମାନେ ବିଡ଼ି, ସିଗାରେଟ୍ ଏବଂ ଗୁଟ୍ଖା ବ୍ୟବହାର କରୁଥିବା ଶୁଣିବାକୁ ମିଳୁଥିଲା । ଏହି ଘଟଣା ପାଇଁ କେବଳ ଛାତ୍ରଙ୍କୁ ଦାୟୀ ନ କରି, ଯେଉଁ ଦୋକାନୀ ସେମାନଙ୍କୁ ମଦ ବିକ୍ରି କରିଛନ୍ତି ଏବଂ ଯେଉଁ ହଷ୍ଟେଲ ୱାର୍ଡେନଙ୍କ ଅବହେଳା ପାଇଁ ପିଲାମାନେ ବାହାରକୁ ଗଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।