ଭୁବନେଶ୍ୱର,୦୫/୦୮: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି  କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ ।  ସୋମବାର ଏପରି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସ୍କୁଲ ପିଲାଙ୍କର ସ୍ୱାସ୍ଥ୍ୟକୁ କିପରି ଅଧିକ ଗୁରୁତ୍ୱ ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା । 

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଛାତ୍ରାବାସ, ଛାତ୍ରୀ ନିବାସରେ ରହୁଥିବା ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ । ଏହି କାର୍ଡରେ ପିଲାଟିର ବିସ୍ତୃତ ସ୍ୱାସ୍ଥ୍ୟ ଇତିହାସ ରହିବ । ଏହା ସମୟାନୁସାରେ ରୋଗ ନିର୍ଣ୍ଣୟ ଓ ଚିକିତ୍ସା  କରିବାରେ ସାହାଯ୍ୟ କରିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ଗଣ୍ଡ । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଠି  ହଷ୍ଟେଲ ନାହିଁ କିମ୍ବା ଯେଉଁଠି ଅଧା ନିର୍ମାଣ ହୋଇ ପଡ଼ିଛି, ଶୀଘ୍ର  ସାରିବାକୁ କାମ କରୁଥିବା ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯିବ ।