ଫୁଲବାଣୀ, ୧୪/୮ : ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ କାର୍ଯ୍ୟରତ ସବ ଇନ୍ସପେକ୍ଟର। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ପୁଲିସ ଅଧିକାରୀ ଜଣକ ହେଲେ କୋଟଗଡ଼ ଥାନାର ଏସଆଇ ସ୍ମୃତି ସାଗର ସାମଲ । ସୂଚନା ଅନୁଯାୟୀ, ସ୍ମୃତି ସାଗର ପୂର୍ବରୁ ଗୋଚ୍ଛାପଡା ଥାନାରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଥାନା ପାଖରେ ଥିବା ଜଣେ ମହିଳାଙ୍କ ଭେରାଇଟି ଷ୍ଟୋରକୁ ସେ ଯିବା ଆସିବା କରି ସମ୍ପୃକ୍ତା ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିଲେ ଅଭିଯୁକ୍ତ। ୨୦୨୪ ମେ ମାସରେ ଘରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ପ୍ରଲୋଭିତ କରି ବଳାତ୍କାର କରିଥିଲେ ସ୍ମୃତି ସାଗର।
ଏ ନେଇ କାହାକୁ କହିଲେ ସ୍ବାମୀଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏଭଳି ଭୟଭୀତ କରାଇ ମହିଳାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ଶେଷରେ ପୀଡ଼ିତା ହୋମଗାର୍ଡ ଥିବା ତାଙ୍କ ସ୍ବାମୀଙ୍କୁ ଜଣାଇବା ସହ ତତ୍କାଳୀନ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ତେବେ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଗତ ବୁଧବାର ପୁଣି ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପୁଲିସ ଏ ନେଇ କେଶ ନଂ ୧୮୬/୨୫ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ଗୁରୁବାର ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଅଧିବକ୍ତା ପଙ୍କଜ କୁମାର ବେହେରା ସୂଚନା ଦେଇଛନ୍ତି।