ନୂଆଦିଲ୍ଲୀ,୦୧/୦୮: ବ୍ରେକ୍‌ ମାରିବା ବେଳେ ୧୦୦ ଥର ଭାବନ୍ତୁ । ରାଜରାସ୍ତାରେ ହଠାତ୍‌ ବ୍ରେକ୍ ମାରିଲେ ହୋଇପାରନ୍ତି ଦଣ୍ଡିତ । ଘରୁ ଗାଡ଼ି କାଢିଲେ କିଛି ନିଷ୍ପତ୍ତି ବିଷୟରେ ଭଲ ଭାବେ ଜାଣି ନିଅନ୍ତୁ । ଏ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ବିନା କୌଣସି ସଙ୍କେତ ଦେଇ ରାଜପଥରେ ଯଦି ଜଣେ କାର୍‌ ଚାଳକ ହଠାତ୍‌ ବ୍ରେକ୍‌ ମାରନ୍ତି ତେବେ ତାକୁ ଘୋର ଅବହେଳା ଭାବେ ବିବେଚନା କରାଯିବ । ଏଭଳି କ୍ଷେତ୍ରରେ ଯଦି ଦୁର୍ଘଟଣା ଘଟେ ତେବେ କାର୍‌ ଚାଳକଙ୍କୁ ଦାୟୀ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୁଧାଂଶୁ ଧୁଳିଆ ଓ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାମିଲନାଡୁର କୋଏମ୍ବାଟୁରରେ ଘଟିଥିବା ଏକ ସଡକ ଦୁର୍ଘଟଣା ମାମଲାର ଶୁଣାଣି କରିବା ଅବସରରେ ଏହି ରାୟ ଦେଇଛନ୍ତି ।

୨୦୧୭ ଜାନୁଆରୀ ୭ରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗୋଡ ହରାଇଥିଲେ ଏସ୍‌ ମହମ୍ମଦ ହକିମ । ବାଇକରେ ଯାଉଥିବା ହକିମଙ୍କ ଆଗରେ ହଠାତ ଏକ କାର୍‌ ବ୍ରେକ ମାରିବାରୁ ହକିମ ପଛରୁ ଧକ୍କା ଦେଇ ତଳେ ପଡିଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ବସ୍‌ ହକିମଙ୍କ ବାମ ଗୋଡ ଉପରେ ଚଢ଼ି ଯାଇଥିଲା । ଶୁଣାଣି ବେଳେ କାର୍‌ ଚାଳକ କହିଥିଲେ ତାଙ୍କ ଗର୍ଭବତୀ ପତ୍ନୀଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ସେ ବ୍ରେକ୍‌ ମାରିଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ତାକୁ ଗ୍ରହଣ କରିନଥିଲେ । କହିଥିଲେ ଯେତେ ଜରୁରି ଥିଲେ ସୁଦ୍ଧା ପଛରୁ ଆସୁଥିବା ଗାଡିକୁ କୌଣସି ସଙ୍କେତ ନ ଦେଇ ରାସ୍ତା ଉପରେ ହଠାତ୍‌ ବ୍ରେକ ମାରିବା ବିପଜ୍ଜନକ ଓ ଦାୟିତ୍ୱହୀନତା । ଏହି ଘଟଣାରେ ସମ୍ପୃକ୍ତ ୩ ପକ୍ଷ (କାର ଚାଳକ, ବସ୍‌ ଡ୍ରାଇଭର ଓ ହକିମ)ଙ୍କୁ ଦାୟୀ କରିଥିଲେ ସର୍ବୋଚ୍ଚ ଅଦାଲତ । 

ଖଣ୍ଡପୀଠ କହିଥିଲେ ଏଥିରେ କାର୍‌ ଚାଳକଙ୍କ ୫୦ ପ୍ରତିଶତ ଭୁଲ ଥିଲା ବେଳେ ବସ୍‌ ଚାଳକଙ୍କର ୩୦ ପ୍ରତିଶତ ଓ ହକିମଙ୍କର ୨୦ ପ୍ରତିଶତ ଭୁଲ ରହିଛି । କାରଣ ହକିମ ଆଗରେ ଯାଉଥିବା ଗାଡିଠାରୁ ସର୍ବନିମ୍ନ ଦୂରତା ବଜାୟ ରଖି ନଥିଲେ ଏବଂ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା । ତେଣୁ ଏହି ଘଟଣାରେ ବୀମା କମ୍ପାନି ଠାରୁ ହକିମଙ୍କୁ ୧ କୋଟି ୧୪ ଲକ୍ଷ ଟଙ୍କା କ୍ଷତିପୂରଣ କରିବା କଥା । କିନ୍ତୁ ତାଙ୍କର ୨୦ ପ୍ରତିଶତ ଭୁଲ ଥିବାରୁ ହକିମଙ୍କୁ ୯୧ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ମିଳିବ । କାର୍‌ ଓ ବସ୍‌ର ବୀମା କମ୍ପାନିଙ୍କୁ ୪ମାସ ଭିତରେ କ୍ଷତିପୂରଣ ରାଶି ହକିମଙ୍କୁ ପ୍ରଦାନ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।