ବ୍ରହ୍ମପୁର/ଗୋପାଳପୁର,୦୩/୦୫: ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଆଉ ଦୁଇଜଣ ତଥା ଡ୍ରାଇଭର ହିଞ୍ଜିଳିକାଟୁ ଥାନା ଖରିଡ଼ା ଗ୍ରାମର ଶୁଭମ ନାୟକ(୨୦) ଓ ସହଯୋଗୀ ପୁନରାଖଣ୍ଡି ଗ୍ରାମର ଗେଡୁ ଓରଫ୍ ଶୁଭମ ଗୌଡ଼(୨୦)ଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି ପୁଲିସ । ଏହି ମାମଲାରେ ୯ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲ୍‌ରେ ଥିବାବେଳେ ପର୍ଯ୍ୟାୟକ୍ରମେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଉପରୋକ୍ତ ଦୁଇଜଣ ଜେଲ୍‌ରେ ଥିଲେ । ଅପହରଣ ଓ ହତ୍ୟାରେ ଏହି ଦୁଇଜଣଙ୍କ ଭୂମିକା ରହିଛି । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ପୁଲିସ ଜେଏମ୍ଏଫ୍ସି (ଗ୍ରାମାଞ୍ଚଳ)ରେ ଆବେଦନ କରିଥିଲା । କୋର୍ଟ ଦୁଇଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ ।

ଶନିବାର ଉଭୟଙ୍କୁ ବ୍ରହ୍ମପୁର ଜେଲ୍‌ରୁ କଡ଼ା ସୁରକ୍ଷା ଭିତରେ ଗୋପାଳପୁର ଥାନାକୁ ନିଆଯାଇଛି । ଶୁଭମ ନାୟକ ଓ ଶୁଭମ ଗୌଡ଼ ଡ୍ରାଇଭର । ଏହି ଦୁଇଜଣଙ୍କ ଘର ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ । ସେପଟେ ସୁଧୀରଙ୍କ ଝିଆରି ତଥା ଅଭିଯୁକ୍ତ ନିବେଦିତା ପାତ୍ରଙ୍କ ମାମୁଘର ମଧ୍ୟ ହିଞ୍ଜିଳି ଥାନା ଅଞ୍ଚଳରେ । ଏହି ଦୁଇଜଣଙ୍କୁ ନିବେଦିତା ନିୟୋଜିତ କରିଥିଲେ ନା ତାଙ୍କ ପୁରୁଷ ବନ୍ଧୁ ତଥା ମୁଖ୍ୟ ଅଭିଯୁକ୍ତ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗ୍ରାମର କାଳୁ ଚରଣ ପ୍ରଧାନ ଓରଫ୍ କାଳିଆ (୨୮) ଆଣିଥିଲେ ତାକୁ ନେଇ ପୁଲିସ ପଚରାଉଚରା କରିଥିବା ସୂଚନା ମିଳିଛି ।  ଏହି ଅଭିଯୁକ୍ତଙ୍କୁ ନେଇ ପୁଲିସ ସୁଧୀରଙ୍କୁ ଅପହରଣ ହୋଇଥିବା ସ୍ଥାନ ବଣଗାଁରେ ପହଞ୍ଚିଥିଲା । ପୁଣି ବଣଗାଁରେ ସିନ୍ ରି-କ୍ରିଏସନ୍ ହୋଇଥିଲା । ଦୁଇ ଅଭିଯୁକ୍ତ ସୁଧୀରଙ୍କୁ କିଭଳି ଅପହରଣ କରାଗଲା ସମସ୍ତ ଦୃଶ୍ୟ ପୁଲିସକୁ ଜଣାଇଥିଲେ । ଅପହରଣ ସମୟରେ ଗୋଟିଏ ବୋଲେରୋ ଗାଡ଼ି ଆସିଥିଲା । ସେହି ଗାଡ଼ି ଚଳାଉଥିଲେ ଶୁଭମ ନାୟକ । ସେ ସୁଧୀରଙ୍କୁ ନେଇ ବୁଗୁଡ଼ା ରାମପାଦ ପର୍ଯ୍ୟନ୍ତ ଯାଇଥିଲେ । ଶୁଭମ ଗୌଡ଼ ଓରଫ ଗେଡ଼ା ସୁଧୀରଙ୍କୁ ଅପହରଣ ପରେ ହିଞ୍ଜିଳିକାଟୁରେ ରହିଯାଇଥିଲା । ସୁଧୀରଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ତାଙ୍କୁ ଫୋନ୍ କରି ଜଣାଇଥିଲା । ସେ ବୋଲେରୋ ଗାଡ଼ି ଲୁଚାଇବା ସହ ଅଭିଯୁକ୍ତଙ୍କ ପାଇଁ ପୁରୁଣା ପୋଷାକ ଯୋଗାଡ଼ କରି ନେଇଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଏହି ସବୁ ସତ୍ୟତା ପଦାକୁ ଆସିଛି । ସୁପରିକଳ୍ପିତ ଏହି ମାମଲାରେ ଏବେବି ଅନେକ ଅପରାଧୀଙ୍କ ଟେର ପାଇନି ପୁଲିସ । ପ୍ରାଥମିକ ଭାବେ ୯ଜଣ ଅଭିଯୁକ୍ତ ଧରାପଡିବା ପରେ ପୁଲିସ ହାଲକା ହୋଇଯାଇଛି । ଅପହରଣ ଓ ହତ୍ୟା ଘଟଣା ଉପରେ ପରଦା ହଟିବା ପରେ ପୁଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ବିଶେଷ ଗୁରୁତ୍ୱ ଦେଉନଥିବା ଚର୍ଚ୍ଚାର ବିଷୟ ହୋଇଛି । ସୁଧୀର ପାତ୍ର ହତ୍ୟା ଘଟଣା ପଛରେ ଆହୁରି କିଛି ମାଷ୍ଟରମାଇଣ୍ଡ ଅଛନ୍ତି । ଅପହରଣ ଓ ହତ୍ୟା ପଛରେ ସେମାନଙ୍କ ଭୂମିକା ଅନେକ ରହିଥିଲା । ସେମାନଙ୍କୁ ଅବଶ୍ୟ ପୁଲିସ ଚିହ୍ନଟ କରିସାରିଛି । କିନ୍ତୁ ସେମାନଙ୍କୁ ଧରିବାରେ ପୁଲିସ ଅସମର୍ଥ ।

ସୂଚନାଯୋଗ୍ୟ ଗତମାସ ୧୫ ତାରିଖରେ ଗୋପାଳପୁର ଥାନା ବଣଗାଁ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କୁ ଅପହରଣ କରି ହତ୍ୟା କରିଥିଲେ ଅଭିଯୁକ୍ତ । ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ସହ ସୁଧୀରଙ୍କ ଝିଆରି ନିବେଦିତା ପାତ୍ର, ପୁତୁରା ତୁଷାର ପାତ୍ର, ସୁପାରି କିଲର୍ ୟୁପି ବାରଣାସି ଅଞ୍ଚଳର ଗୋଲୁ ଓରଫ୍ ଲମ୍ବୁ ଓରଫ ସୂର୍ଯ୍ୟ ପ୍ରତାପ ସିଂହ (୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗ୍ରାମର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗ୍ରାମର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫)ଙ୍କୁ ଗିରଫ କରିଥିଲା ପୁଲିସ । ଏମାନଙ୍କ ମଧ୍ୟରେ କିଏ କ’ଣ କରିଥିଲେ ତାହା ଜାଣିବା ପାଇଁ ପୁଲିସ ପର୍ଯ୍ୟାୟକ୍ରମେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି । ଅନ୍ୟ ଅଭିଯୁକ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ଏପର୍ଯ୍ୟନ୍ତ ଧରିପାରିନି ।