ନୂଆଦିଲ୍ଲୀ: ବେଙ୍ଗାଲୁରୁର ବଡ଼ ପରାଜୟ । ୫୫ ରନରେ ହରାଇଲା ହାଇଦ୍ରାବାଦ । ୨୫୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ RCB ୪ ଓ୍ବିକେଟରେ ୨୦୦ ରନ କରିବାରେ ସକ୍ଷମ ହୋଇଛି । ଫଳରେ ଦଳ ବଡ଼ ରନ ବ୍ୟବଧାନରେ ପରାଜୟ ବରଣ କରିଛି । ପ୍ଲେଅଫ୍ ପୂର୍ବରୁ ଦଳକୁ ଏହା ବଡ଼ ଝଟକା ଲାଗିଛି । ତେବେ ଏହି ମ୍ୟାଚ ଜିତିବା ପରେ ମଧ୍ୟ ହାଇଦ୍ରାବାଦ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ବେଙ୍ଗାଲୁରୁ ନିଜୟ ପ୍ରଥମ ସ୍ଥାନରେ ହିଁ ରହିଛି । କୃନାଲ ପାଣ୍ଡ୍ୟା ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ । ସେ ୩୧ ବଲରୁ ୪୪ ରନ କରିଛନ୍ତି । ସେପଟେ ହାଇଦ୍ରାବାଦ ପକ୍ଷରୁ ଇଶାନ ମଲିଙ୍ଗା ୨ ଓ୍ବିକେଟ ଅକ୍ତିଆର କରିଥିବାବେଳେ ସାକିବ ହୁସେନ ଏବଂ ହେଡ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
୨୫୬ ରନର ବିଶାଳ ଲକ୍ଷ୍ୟକୁ ଆରସିବି ପିଛା କରୁଥିବାବେଳେ ଭେଙ୍କେଟସ ଆୟାର ଦମଦାର ଆରମ୍ଭ କରିଥିଲେ । ମାତ୍ର ସେ ୧୯ ବଲରୁ ୪୪ ରନ କରିଥିଲେ । ବିରାଟ ୧୧ ବଲରୁ ୧୫ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାଡିକଲ ୨୧ ଏବଂ ପଟିଦାର ୫୬ ରନ କରିବାରେ ସକ୍ଷମ ହୋଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ୪ ଓ୍ବିକେଟ ବିନିମୟରେ ୨୫୫ ରନ କରିଥିଲା SRH । ଦଳ ପକ୍ଷରୁ ଇଶାନ କିଷନ, କ୍ଲାସେନ ଏବଂ ଅଭିଷେକ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।
ହାଇଦ୍ରାବାଦର ଦଳର ଦୁଇ ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡ ଆରମ୍ଭରୁ ବିସ୍ଫୋରକ ପାଳି ଆରମ୍ଭ କରିଥିଲେ । ହେଡ ୧୬ ବଲରୁ ୨୬ ରନ କରିଥିବାବେଳେ ଅଭିଷେକ ଶର୍ମା ୨୨ ବଲରୁ ୫୬ ରନ କରିଥିଲେ ।
ସେପଟେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଯିଏ ଆସିଲା ସିଏ ବେଙ୍ଗାଲୁରୁ ବୋଲରଙ୍କୁ ଧୂଲେଇ କରିଥିଲା । ଇଶାନ କିଷନ ୭୯ ରନ କରିଥିବାବେଳେ କ୍ଲାସେନ ୫୧ ରନ କରିଥିଲେ । ଏହାସହ ନୀତିଶ କୁମାର ରେଡ୍ଡି ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେ ୧୨ ବଲରୁ ୨୯ ରନ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ରାସିଖ ୨ ଓ୍ବିକେଟ ନେଇଥିବାବେଳେ ସୂୟସ ଏବଂ କୃନାଲ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।