ନୂଆଦିଲ୍ଲୀ, ୯|୧୨: ଭୋଟର ତାଲିକରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟରେ ଲାଗିଥିବା ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ମାମଲାର ଶୁଣାଣି କରି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପଶ୍ଚିମବଙ୍ଗରେ ଭୋଟର ତାଲିକରେ ଏସ୍ଆଇଆର୍ ଏବଂ ବିଏଲ୍ଓଙ୍କ ଆତ୍ମହତ୍ୟା ସହ ଜଡ଼ିତ ମାମଲାରେ ସୁପ୍ରିମ କୋର୍ଟ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ୍ ପଠାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏସ୍ଆଇଆର କାମରେ ଭିନ୍ନ ଭିନ୍ନ ରାଜ୍ୟର ସରକାରଙ୍କ ପକ୍ଷରୁ ସହଯୋଗର ଅଭାବକୁ ଇସି ଗମ୍ଭୀରତାର ସହ ନିଅନ୍ତୁ । ଏପରି ଘଟଣାକୁ ଇସି ସୁପ୍ରିମକୋର୍ଟଙ୍କ ନଜରକୁ ଆଣନ୍ତୁ । ତୁରନ୍ତ ଏଥିଲାଗି ଉଚିତ୍ ଆଦେଶ ଜାରି କରାଯିବ । ଯଦି ସ୍ଥିତି ଅଧିକ ବିଗିଡ଼େ ତେବେ ପୁଲିସ ମୁତୟନ କରିବା ଛଡ଼ା ଅନ୍ୟ କିଛି ବିକଳ୍ପ ରହିବ ନାହିଁ । ଇସିଙ୍କ ପାଖରେ ସମସ୍ତ ସାମ୍ବିଧାନିକ ଶକ୍ତି ରହିଛି, ଯାହା ଦ୍ୱାରା ବିଏଲ୍ଓ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଧମକା ଯିବା ଘଟଣାର ମୁକାବିଲା କରାଯାଇପାରିବ । ଏବେଠାରୁ ସ୍ଥିତି ନ ସମ୍ଭାଳିଲେ ଆଗକୁ ଅରାଜକତା ବ୍ୟାପିବ ବୋଲି ସୁପ୍ରିମକୋର୍ଟ ଇସିଙ୍କୁ ଚେତାଇ ଦେଇଛନ୍ତି ।
୧. ଏସଆଇଆର ନେଇ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
୨. ରାଜ୍ୟ ମାନଙ୍କର ଅସହଯୋଗକୁ ଗମ୍ଭୀରତା ସହ ନିଅନ୍ତୁ
୩. ଇସିଙ୍କ ପାଖରେ ସମସ୍ତ ସାମ୍ବିଧାନିକ ଶକ୍ତି ରହିଛି
୪. ବିଏଲଓ ଓ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ
ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି, ପଶ୍ଚିମବଙ୍ଗରେ ବିଏଲ୍ଓଙ୍କ ବିରୋଧରେ ହିଂସା ଘଟଣା ବଢ଼ୁଛି । ତେଣୁ ଭୋଟର ତାଲିକା ପ୍ରକାଶ ହେବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୁଲିସ ନିର୍ବାଚନ କମିଶନଙ୍କ ଅଧୀନରେ କାମ କରିବ । ଏଥିଲାଗି ସେଠାରେ କେନ୍ଦ୍ରୀୟ ବଳ ମୁତୟନ ହେଉ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ କର୍ମଚାରୀମାନେ ରାଜ୍ୟର ନିର୍ବାଚନ ଅଧିକାରୀ, ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ରାଜ୍ୟ ସରକାର ଯେପରି ଆବଶ୍ୟକ ପଦକ୍ଷେପ ନିଅନ୍ତି ତାହା ଜିଲ୍ଲା ଅଧିକାରୀମାନେ ସୁନିଶ୍ଚିତ କରିବେ । ଏହି ନିର୍ଦ୍ଦେଶ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପୂରା ଦେଶରେ ଲାଗୁ ହେବ । ଏଥିସହ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଏସ୍ଆଇଆର୍ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ରାଜ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ବଳକୁ ମୁତୟନ କରାଯିବା କଥା ଏଥିରେ ଦର୍ଶାଯାଇଛି । ନିର୍ବାଚନ କମିଶନଙ୍କ ତରଫରୁ ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ, ପଶ୍ଚିମବଙ୍ଗରେ ମାନସିକ ଚାପ ଯୋଗୁ ବିଏଲ୍ଓ ଆତ୍ମହତ୍ୟା କରିବାର ପ୍ରଶ୍ନ ହିଁ ଉଠୁନି । କାରଣ ସେମାନଙ୍କୁ ୩୦ରୁ ୩୫ ଭୋଟରଙ୍କର ୬ରୁ ୭ ଘରେ ହିଁ ଗଣତି କାମ ଦିଆଯାଇଛି । ଏ ନେଇ ଜଷ୍ଟିସ୍ ବାଗ୍ଚୀ କହିଥିଲେ, ବିଏଲ୍ଓଙ୍କୁ ଘର ଘର ଯାଇ ଗଣତି କରି ଫର୍ମ ଭରିବାକୁ ପଡ଼ିଥାଏ । ପରେ ତାହାକୁ ଅପ୍ଲୋଡ୍ କରିବାକୁ ହୋଇଥାଏ । ଏହା ଯେତେ ସହଜ ଦେଖାଯାଉଛି ତାହା ସେତେ ସହଜ ନୁହେଁ ।
ନିର୍ବାଚନ କମିଶନ ସୋମବାର ପଶ୍ଚିମବଙ୍ଗରେ ଏସ୍ଆଇଆର କାମର ତଦାରଖ ପାଇଁ ୫ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ରୋଲ୍ ଅବଜରଭର (ଏସ୍ଆର୍ଓ) ଭାବେ ନିଯୁକ୍ତ କରିଛନ୍ତି । ଏସ୍ଆଇଆର୍ ପ୍ରକ୍ରିୟାରେ ପାରଦର୍ଶିତା ବଢ଼ାଇବା ଲାଗି ଏହି ପଦକ୍ଷେପ ନିଆଯାଇଥିବା ଇସିଙ୍କ ପକ୍ଷରୁ କୁହାଯାଇଛି । ପ୍ରକାଶଥାଉ କି, ସନାତନୀ ସଂସଦ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ପିଟିସନ ହୋଇଛି । ପଶ୍ଚିମବଙ୍ଗରେ ବିଏଲ୍ଓଙ୍କୁ ଧମକ ଦିଆଯାଉଥିବା ଏଥିରେ ଦର୍ଶାଯାଇଛି ।