ନୂଆଦିଲ୍ଲୀ,୨୩।୩: ୟୁଜିସିର ନୂଆ ନିୟମ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାର, ୟୁଜିସି ଓ ଅନ୍ୟ ସମ୍ପର୍କିତ ପକ୍ଷକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲାକୁ ସୁପ୍ରିମକୋର୍ଟ ମୂଳ ଆବେଦନ ସହିତ ଟ୍ୟାଗ୍ କରିଛନ୍ତି। ଆବେଦନ ଭାରତୀୟ କ୍ଷେତ୍ରୀୟ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପୂର୍ବତନ ସାଂସଦ କୁୱର ହରିବଂଶ ସିଂହଙ୍କ ଦ୍ବାରା ଦାଖଲ କରାଯାଇଥିଲା। ଆବେଦନକାରୀ ୟୁଜିସି ଉପରେ ଅଭିଯୋଗ କରିଛନ୍ତି ଯେ, ଏହା ମାଧ୍ୟମରେ ସମାଜକୁ ବାଣ୍ଟିବାର ଚେଷ୍ଟା କରାଯାଉଛି।
ଆବେଦନରେ କୁହାଯାଇଛି ଯେ,ଜାତିଗତ ଭେଦଭାବ କେବଳ ସଂରକ୍ଷିତ ବର୍ଗ ପର୍ଯ୍ୟନ୍ତ ସୀମିତ ହେବନି, ବଂର ଏହା ଯେ କୌଣସି ବର୍ଗ ସହିତ ହୋଇପାରେ। ତେଣୁ ଏହାକୁ କିଛି ସମ୍ପ୍ରଦାୟ ପର୍ଯ୍ୟନ୍ତ ହିଁ ସୀମିତ କରି ହେବନି। ଏହା ପୂର୍ବରୁ ସୁପ୍ରିମକୋର୍ଟ ୨୯ ଜାନୁଆରୀରେ ୟୁଜିସି (ଉଚ୍ଚ ଶିକ୍ଷା ସଂସ୍ଥାନରେ ସମାନତାକୁ ପ୍ରୋତ୍ସାହନ ଦେବା) ଉପରେ ରୋକ ଲଗାଇ ଦେଇଥିଲେ। ତାଙ୍କୁ ୧୩ ଜାନୁଆରୀରେ ସୂଚିତ କରାଯାଇଥିଲା। କୋର୍ଟ ଏହାକୁ ପ୍ରାରମ୍ଭିକ ରୂପରେ ଅସ୍ପଷ୍ଟ ବୋଲି କହିଥିଲେ। ଏହା ସହ କହିଥିଲେ, ଏହାର ଖୁବ୍ ବ୍ୟାପକ ପରିଣାମ ହୋଇପାରେ। ଏହା ସମାଜକୁ ବାଣ୍ଟିବାର କାରଣ ହୋଇପାରେ। ଏହି ନିଷ୍ପତ୍ତି ପରେ ନିୟମ ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା। ନିକଟରେ ଜୟପୁରରେ ରାଜପୁତ କରଣୀ ସେନା ୟୁଜିସିର ଏହି ନୂଆ ନିୟମାବଳୀ ବିରୋଧରେ ପ୍ରଦର୍ଶନ କରିଥିଲା। ଏହି ନିୟମକୁ ଫେରାଇ ନେବାର ଦାବି କରିଥିଲା। ସଂଗଠନର ଅଧ୍ୟକ୍ଷ ମହିପାଲ ସିଂହ ମକରାନା କହିଛନ୍ତି ସେ ଯୁବପୀଢିଙ୍କ ସହ କୌଣସି ପ୍ରକାର ଅନ୍ୟାୟ ହେବାକୁ ଦେବେନି।
କାହିଁକି ହେଉଛି ବିରୋଧ ?
ଆବେଦନଗୁଡ଼ିକରେ ଆପତ୍ତି କରାଯାଇଛି ଯେ ଏହି ନିୟମରେ ଜାତିଭିତ୍ତିକ ବୈଷମ୍ୟ କେବଳ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ସଦସ୍ୟଙ୍କ ପାଇଁ ସୀମିତ। ପ୍ରତିବାଦକାରୀମାନେ ଯୁକ୍ତି ଦେଇଛନ୍ତି ଯେ ଏହି ନିୟମ ଭେଦଭାବର ପରିଭାଷା ସୂଚାଉଛି, ଲାଗୁଛି ଯେପରି ଜାତିଭିତ୍ତିକ ବୈଷମ୍ୟ କେବଳ ସାଧାରଣ ବର୍ଗଙ୍କ ବିରୁଦ୍ଧରେ ଘଟେ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ କୌଣସି ସାଂସ୍ଥାଗତ ସୁରକ୍ଷା ଯୋଗାଇ ଦିଆଯାଇନାହିଁ, କିମ୍ବା ସେମାନଙ୍କ ପାଇଁ କୌଣସି ଅଭିଯୋଗର ସମାଧାନ ବ୍ୟବସ୍ଥା ମଧ୍ୟ ନାହିଁ।