ନୂଆଦିଲ୍ଲୀ : ବିମାନ ଟିକେଟ୍ ଗୁଡ଼ିକର ଦାମରେ ହଠାତ୍ ବୃଦ୍ଧିରେ ହେଉଥିବା ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ନଜରରେ ରଖି, ଆଜି ଏସ୍. ଲକ୍ଷ୍ମୀନାରାୟଣନଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲା (WP(C) NO. 1124/2025)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆବେଦନର ତଥ୍ୟକୁ ବିଚାର କରି ସୁପ୍ରିମକୋର୍ଟ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଯାତ୍ରୀ ଅଧିକାର, ସ୍ୱଚ୍ଛତା ଏବଂ ନ୍ୟାୟପୂର୍ଣ୍ଣ ଭଡ଼ା ନିର୍ଦ୍ଧାରଣ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରସଙ୍ଗ ପାଲଟିଛି।

ଭାରତରେ ଘରୋଇ ବିମାନ କମ୍ପାନୀଗୁଡ଼ିକ ପର୍ଯ୍ୟାପ୍ତ ନିୟମରେ ଡାଇନାମିକ ପ୍ରାଇସିଂ ଆପଣାଇ ଯାତ୍ରୀମାନଙ୍କ ଠାରୁ ଅତ୍ୟଧିକ ଭଡ଼ା ଆଦାୟ କରୁଛନ୍ତି, ଯାହା ଗ୍ରାହକ ଅଧିକାରକୁ ପ୍ରଭାବିତ କରୁଛି । ଏହି ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଏସ. ଲକ୍ଷ୍ମୀନାରାୟଣନ ବନାମ ୟୁନିଅନ ଅଫ୍ ଇଣ୍ଡିଆ ଆଣ୍ଡ ଓର୍ସ ଶୀର୍ଷକ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରାଯାଇ ଥିଲା।

ଆବେଦନର ନିର୍ଦ୍ଦିଷ୍ଟ ଦାବି ଗୁଡ଼ିକ ଥିଲା...

୧- ଆଲଗୋରିଦମ-ଆଧାରିତ ଡାଇନେମିକ ପ୍ରାଇସିଙ୍ଗର ନିରୀକ୍ଷଣ ଓ ନିୟନ୍ତ୍ରିତ କରାଯିବା ଉଚିତ।

୨-ଏୟଆ ଟିକେଟର ଭଡ଼ାରେ ହଠାତ୍ ଏବଂ ଅତ୍ୟଧିକ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସ୍ପଷ୍ଟ ନିୟମ ପ୍ରଣୟନ କରାଯିବା ଉଚିତ।

୩-ଏୟାରଲାଇନ୍ସ ଦ୍ୱାରା ଆଦାୟ କରାଯାଉ ଥିବା ଅତିରିକ୍ତ ଶୁଳ୍କ (ଯେପରିକି ସିଟ୍ ଚୟନ, ଲଗେଜ୍, ପ୍ରାଥମିକତା ସେବା, ଇତ୍ୟାଦି) ସ୍ୱଚ୍ଛ କରାଯିବା ଉଚିତ।

୪- ଯାତ୍ରୀମାନଙ୍କ ଅଭିଯୋଗର ସମାଧାନ ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା କରାଯିବା ଉଚିତ।

୫- ଏକ ସ୍ୱାଧୀନ ଆଭିଏସନ ଟାରିଫ୍ ଆଣ୍ଡ କଞ୍ଜୁମର ପ୍ରୋଟେକ୍ସନ କମିଶନ କିମ୍ୱା ଏହି ପ୍ରକାରର ନିୟାମକ ସଂସ୍ଥା ପ୍ରତିଷ୍ଠା କରାଯିବା ଉଚିତ।

୬-ଘରୋଇ ଉଡ଼ାଣରେ ଇକୋନୋମି କ୍ଲାସ ପାଇଁ ସର୍ବନିମ୍ନ ୨୫ କିଲୋଗ୍ରାମ ମାଗଣା ଚେକ୍-ଇନ୍ ବ୍ୟାଗେଜକୁ ପୁନଃସ୍ଥାପିତ କରିବାକୁ ମଧ୍ୟ ଦାବି ହୋଇଛି।

ସୁପ୍ରିମକୋର୍ଟରେ ଶୁଣାଣି ଏବଂ ନିଷ୍ପତ୍ତି-

  • ସୁପ୍ରିମକୋର୍ଟ, ତଥ୍ୟଗୁଡ଼ିକୁ ବିଚାର କରି, ଏହାକୁ ଏକ ବ୍ୟାପକ ଜନସ୍ୱାର୍ଥର ବିଷୟ ବୋଲି ବିବେଚନା କରି ଥିଲେ ଏବଂ ଆବେଦନର ଶୁଣାଣି କରି ଥିଲେ। ଏହି ଆବେଦନ ଉପରେ ଶୁଣାଣି ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ କରିଥିଲେ।
  • ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଡ୍ରାଫ୍ଟ ନିୟମ ପ୍ରସ୍ତୁତ ହୋଇଛି ଏବଂ ଅନୁବାଦ କରାଯାଉଛି, ଏହାସହ ସେ କହିଛନ୍ତି ଯେ, ସେଗୁଡ଼ିକୁ ସଂସଦରେ ମଧ୍ୟ ଉପସ୍ଥାପନ କରିବାକୁ ପଡିବ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ରେ ହେବ।
  • ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ଯେ ନୂତନ ଆଇନ ( ଭାରତୀୟ ବିମାନ ଆଇନ, ୨୦୨୪ ) ଅନୁଯାୟୀ ତିଆରି ନିୟମ କେବେ ସୁଦ୍ଧା ଲାଗୁ ହେବ ? କେବଳ ପ୍ରତିଶ୍ରୁତିରେ କାମ ହେବ ନାହିଁ।
  • କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁଇ ସପ୍ତାହ ମଧ୍ୟରେ ନିୟମଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନିୟମଗୁଡ଼ିକ ସଂସଦରେ ଆଗତ ହେଉ କି ନ ହେଉ, ଏକ ବନ୍ଦ ଲଫାପାରେ ଦାଖଲ କରନ୍ତୁ।

ଉଲ୍ଲେଖନୀୟ ଯେ, ଭାରତୀୟ ବାୟୁସେନା ଅଧିନିୟମ ୨୦୨୪ , ଭାରତର ସଂସଦ ଦ୍ୱାରା ପାରିତ ଏକ ପ୍ରମୁଖ ଆଇନ ,ଯାହା ୧ ଜାନୁଆରୀ ୨୦୨୫ରୁ ଲାଗୁ ହୋଇଛି। ଏହୈ ୯୦ ବର୍ଷ ପୁରୁଣା ଏୟାରକ୍ରାଫ୍ଟ ଆକ୍ଟ , ୧୯୩୪ର ସ୍ଥାନ ନେଇଛି। ଏହି ନୂଆ ଅଧିନିୟମର ଉଦ୍ଦେଶ୍ୟ ଆଧୁନିକ ବିମାନ ପ୍ରଯୁକ୍ତିବିଦ୍ୟା ,ସୁରକ୍ଷା ଓ ବିଶ୍ୱ ମାନଦଣ୍ଡ ସହ ଭାରତର ଚଳାଚଳ କ୍ଷେତ୍ରକୁ ଉନ୍ନତ ଓ ନିୟନ୍ତ୍ରଣ କରିବା।

ହେଲେ ଭାରତର ଆଭିଏସନ ସେକ୍ଟରକୁ ଆଧୁନିକ କରିବା ଉଦ୍ଦେଶ୍ୟରେ ଅଣାଯାଇ ଥିବା ଭାରତୀୟ ବାୟୁଯାନ ଅଧିନିୟମ , ୨୦୨୪ ଜାନୁଆରୀ ୨୦୨୫ରେ ଲାଗୁ ତ ହୋଇଛି ,ହେଲେ ଏହାସହ ଜଡ଼ିତ ନିୟମ ଗୁଡ଼ିକୁ ଏବେ ବି ଅନ୍ତିମ ରୂପ ଦିଆଯାଉଛି। ଏଥିପାଇଁ ସୁପ୍ରିମକୋର୍ଟ ଜୋର ଦେଇ ଏହି କଥା କହିଛନ୍ତି ଯେ, ଏହି ନିୟମ ଏକ ବନ୍ଦ ଲଫାପାରେ ଜମା କରାଯାଉ। ଏବେ ଆଗାମୀ ଶୁଣାଣିକୁ ଅପେକ୍ଷା।

ଆହୁରି ମଧ୍ୟ ପଢନ୍ତୁ - ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲା: ଟ୍ରଷ୍ଟକୁ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍,ଏସଆଇଟିକୁ ମାଗିଲେ ରିପୋର୍ଟ