ବିଭୂତି ଗଡ଼ରେ ସୁରଙ୍କ ଦବ୍ଦବା

ଭୁବନେଶ୍ୱର,୨୫ ।୬(ବ୍ୟୁରୋ): ଜଟଣୀ ବ୍ଲକର ୭ ନମ୍ବର ଜୋନ୍, ଖୋର୍ଦ୍ଧାର ୭ ପଞ୍ଚାୟତ ଓ ଭୁବନେଶ୍ୱର ବ୍ଲକ । ଏ ସବୁ ହେଉଛି ବିଜେଡିର ଗଡ଼ । ସବୁଥର ଏଠି କଂଗ୍ରେସ ପ୍ରାର୍ଥୀ ସୁର କମ୍ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ହିଁ ଅଧିକ ଭୋଟ ପାଉଥିଲେ । ଏଥର କିନ୍ତୁ ଏହି ଗଡ଼ ଦୋହଲିଛି । ବିଭୂତିଙ୍କ ଦୁର୍ଗ ଭାଙ୍ଗି ଭୋଟ୍ବ୍ୟାଙ୍କକୁ ସୁର ଛଡାଇ ଆଣିଛନ୍ତି । ଯାହା ଜଟଣୀରେ କଂଗ୍ରେସର ବିଜୟକୁ ସହଜ କରି ଦେଇଛି ।
ଭୋଟ୍ ପୂର୍ବରୁ ବିଜେଡିର ହାତ ଛାଡିଥିବା ନେତାମାନେ ହିଁ ଜଟଣୀରେ ଘାତକ ସାଜିଛନ୍ତି । ଭୁବନେଶ୍ୱର, ଖୋର୍ଦ୍ଧା କିମ୍ବା ଜଟଣୀ ବ୍ଲକ ସବୁଠି ଏହି ନେତା ମାନେ ହିଁ ବିଜେଡିର ଗଣିତକୁ ଏପଟ ସେପଟ କରିଛନ୍ତି । ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟ ବିଧାୟକ ହେବା ପୂର୍ବରୁ ଜିଲ୍ଲା ପରିଷଦର ୭ ନମ୍ବର ଜୋନ୍ରୁ ଦୁଇ ଦୁଇ ଥର ସଭ୍ୟ ଥିଲେ । ଏହି ଜୋନ୍କୁ ବିଭୂତିଙ୍କ ଭଲ ଦବଦବା ରହିଥିଲା । ହେଲେ ଏ ଥର ଭୋଟ୍ ପୂର୍ବରୁ ଏହି ଜୋନ୍ରେ ତାଙ୍କର ଅତି ନିକଟତର କୁହାଯାଉଥିବା ପ୍ରମୋଦ ହରିଚନ୍ଦନ ଓ ବିଜୟ ଛୋଟରାୟ ଶଙ୍ଖ ଛାଡି ହାତ ଧରିଥିଲେ । ନିଜର ଦୁଇଜଣ ସହଯୋଗୀ ସରପଞ୍ଚକୁ ମଧ୍ୟ କଂଗ୍ରେସ ଶିବିରକୁ ନେବାରେ ସଫଳ ହୋଇଥିଲେ ପ୍ରମୋଦ ଆଉ ବିଜୟ । ଏହି ସମୀକରଣ ସୁରଙ୍କୁ ଆଗକୁ ନେଇଯାଇଛି । ଯେଉଁଠି ବିଭୂତି ଆଗୁଆ ରହିବା କଥା ସେଠି ୧୩,୪୮୫ ଭୋଟ୍ ପାଇଥିଲେ । ସୁର ଏହି ଜୋନ୍ରୁ ୧୫,୦୨୭ ଭୋଟ୍ ପାଇଛନ୍ତି । ଜୋନ୍ ଅଧୀନରେ ଆସୁଥିବା ୭ ପଞ୍ଚାୟତରୁ ଅଙ୍ଗାରପଡ଼ା, ତରାବୋଇ ଓ ତିରିମଲ ପଞ୍ଚାୟତରେ ବିଜେଡି ଅଧିକ ଭୋଟ ପାଇଥିବା ବେଳେ ଛତାବର, ଗଙ୍ଗପଡା, ପଦନପୁର, ହରିପୁର ଓ ବେଣାପଞ୍ଜରୀ ପଞ୍ଚାୟତରେ କଂଗ୍ରେସ ଆଗୁଆ ରହିଛି ।
ବିଜେଡିର ଗଡ଼ ଭାବେ ପରିଚିତ ଥିବା ଖୋର୍ଦ୍ଧାର ୭ ପଞ୍ଚାୟତରେ ମଧ୍ୟ ବିଜେଡିର ସ୍ଥିତି ଦୋହଲି ଯାଇଛି । ଏହି ୭ ପଞ୍ଚାୟତରେ ବିଜେଡି ପୂର୍ବ ନିର୍ବାଚନରେ ସବୁବେଳେ ଆଗୁଆ ରହୁଥିଲା । ଏଥର କିନ୍ତୁ ବିଜେଡି ୧୧,୫୯୯ ଭୋଟ୍ ପାଇଥିବା ବେଳେ କଂଗ୍ରେସ ୧୩,୩୬୭ ଭୋଟ୍ ହାତେଇଛି । ଟାଙ୍ଗିଆପଡା, ପୁବୁସାହି ଓ ବରସାହି ପଞ୍ଚାୟତରେ ବିଜେଡି କଂଗ୍ରେସଠୁ ସାମାନ୍ୟ ଆଗେଇ ଥିବା ବେଳେ କେରଙ୍ଗ, ହଳଦିଆ, ମଲ୍ଲିପୁର ଓ ଅର୍ଜୁନପୁର ପଞ୍ଚାୟତରେ କଂଗ୍ରେସ ବହୁ ଅଧିକ ଭୋଟ୍ ପାଇଛି ।
ଭୁବନେଶ୍ୱର ବ୍ଲକରେ ଯେଉଁଠି ସବୁବେଳେ ବିଜେଡି ଆଗୁଆ ରହୁଥିଲା । ଏଥର ଆଗେଇବ କ’ଣ କଂଗ୍ରେସଠୁ ସାମାନ୍ୟ ପଛରେ ପଡିଯାଇଛି । କଣ୍ଟାବାଡ଼, ଚନ୍ଦକା, ଦାରୁଠେଙ୍ଗ ଓ ମେଣ୍ଡାଶାଳ ପଞ୍ଚାୟତରେ କଂଗ୍ରେସ ଢେର୍ ଆଗେଇଥିବା ବେଳେ ପାତ୍ରପଡା, ରଣସିଂହପୁର, ପାଇକରାୟପୁର, ତମାଣ୍ଡୋ, ନଁପୁଟ, ମଳିପଡା ଓ ଅନ୍ଧାରୁଆରେ ବିଜେଡି ଆଗୁଆ ରହିଛି । ହେଲେ କଣ୍ଟାବାଡ଼, ଚନ୍ଦକା, ଦାରୁଠେଙ୍ଗ ଓ ମେଣ୍ଡାଶାଳ ପଞ୍ଚାୟତରେ କଂଗ୍ରେସ ଏତେ ଭୋଟ୍ ଭିଡ଼ିଛି ଯେ ୭ ପଞ୍ଚାୟତର ସଂଖ୍ୟା ବି ତା ଠୁ ଅଧିକ ।
ପୌରାଞ୍ଚଳରେ କିନ୍ତୁ କଂଗ୍ରେସ ତା’ର ପୁରୁଣା ଦବ୍ଦବା ଜାରି ରଖିଛି । କଂଗ୍ରେସ ୧୪, ୮୧୬ ଭୋଟ୍ ପାଇଥିବା ବେଳେ ବିଜେଡି ୧୦,୫୪୬ ଭୋଟ୍ ପାଇଛନ୍ତି । ସୁରଙ୍କ ପାଖ ଲୋକଙ୍କୁ ବିଭୂତି ଆଣିବା ପରେ ମଧ୍ୟ ପୌରାଞ୍ଚଳରୁ କଂଗ୍ରେସ ୪,୨୭୦ରୁ ଆଗୁଆ ରହିଛି । ତେବେ ଜଟଣୀ ବ୍ଲକର ମଦନପୁର, କନ୍ତିଆ ଓ କୁଶୁମାଟିରେ କଂଗ୍ରେସ ଆଗେଇଥିବା ବେଳେ ଯାଁଳା, ପଞ୍ଚୁପଲ୍ଲି, ପ୍ରଧାନସାହି ଓ ଜାମୁକୋଳିରେ ବିଜେଡି ଆଗୁଆ ରହିଛି ।