ପ୍ରଥମ ବଲରେ ହିଁ ଆଉଟ୍, କ୍ରମାଗତ ଦୁଇଟି ମ୍ୟାଚ୍ରେ ଖାତା ଖୋଲି ପାରିଲେନି ସୂର୍ଯ୍ୟକୁମାର ଯାଦବ

ବିଶାଖାପଟ୍ଟନମ୍ ୧୯/ ୦୩: ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ପୁଣି ଆତ୍ମସମର୍ପଣ କରିଛନ୍ତି ଭାରତୀୟ ଦଳର ଟପ୍ ଅର୍ଡର ବ୍ୟାଟର୍ । ମିଚେଲ୍ ଷ୍ଟାର୍କଙ୍କ ଦମଦାର ବୋଲିଂ ଭାରତୀୟ ଉପରକ୍ରମ ଓ ମଧ୍ୟକ୍ରମ ବ୍ୟାଟରଙ୍କୁ ପୂରାପୂରି ବିଫଳ କରିଥିଲା । ପ୍ରଥମ ମ୍ୟାଚ୍ରେ ମାତ୍ର ଗୋଟିଏ ବଲ ଖେଳି ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ସୂର୍ଯ୍ୟକୁମାର ଯାଦବ ୨ୟ ମ୍ୟାଚରେ ବି ବିଫଳ ହୋଇଛନ୍ତି । କେବଳ ବିଫଳ ହୋଇନାହାନ୍ତି, ପ୍ରଥମ ମ୍ୟାଚ୍ ଭଳି ୨ୟ ମ୍ୟାଚରେ ବି ମାତ୍ର ଗୋଟିଏ ବଲରେ ହିଁ ଆଉଟ ହୋଇଛନ୍ତି ।
୨ୟ ଦିନିକିଆରେ ଭାରତୀୟ ଦଳର ଉପରକ୍ରମ ବ୍ୟାଟର୍ ପୂରାପୂରି ଭାବେ ବିଫଳ ହୋଇଥିଲେ । ଅଧିନାୟକ ରୋହିତ ଶର୍ମା ମାତ୍ର ୧୩ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଗିଲ୍ ଓ ସୂର୍ଯ୍ୟ କୁମାର ଯାଦବ ଖାତା ମଧ୍ୟ ଖୋଲି ପାରିନାହାନ୍ତି । ଗିଲ୍ ଓ ରୋହିତଙ୍କୁ କ୍ୟାଚ୍ ଆଉଟ କରିବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ ଷ୍ଟାର୍କ । ପ୍ରଥମ ମ୍ୟାଚରେ ଦୁଇଟି ବଲରେ କୋହଲି ଓ ସୂର୍ଯ୍ୟଙ୍କୁ ଆଉଟ କରିଥିବା ଷ୍ଟାର୍କ ଦ୍ବିତୀୟ ମୁକାବିଲାରେ ଦୁଇଟି ବଲରେ ରୋହିତ ଓ ସୂର୍ଯ୍ୟଙ୍କୁ ଆଉଟ୍ ନେଇଥିଲେ ।
ଗତ ୧୦ଟି ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ଥର ୧୦ ରନ୍ କିମ୍ବା ତତୁର୍ଦ୍ଧ୍ବ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ଦିନିକିଆରେ ତାଙ୍କର ବ୍ୟାଟିଂ ଆଭରେଜ୍ ମାତ୍ର ୧୫ ରହିଛି । ଆଗକୁ ବିଶ୍ବକପ୍ ଥିବାରୁ ସୂର୍ଯ୍ୟଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ତାଙ୍କ ସ୍ଥାନରେ ଇଶାନ କିଷନ କିମ୍ବା ଦୀପକ ହୁଡ୍ଡାଙ୍କ ଭଳି ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିପାରେ । ତେବେ ଆଶ୍ବର୍ଯ୍ୟକର କଥା ହେଉଛି ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ବିଶ୍ବର ଶ୍ରେଷ୍ଠ ବ୍ୟାଟର୍ ଦିନିକିଆରେ ସୁପର୍ ଫ୍ଲଫ୍ ହେଉଛନ୍ତି କେମିତି? ଓ୍ବାନ୍ ଡେ’ ବିଶ୍ବକପରେ ସ୍ଥାନ ପାଇବାକୁ ହେଲେ ସୂର୍ଯ୍ୟ କୁମାର ଯାଦବଙ୍କୁ କିଛି ଭଲ ପ୍ରଦର୍ଶନ କରିବାକୁ ହେବ ।