ମୋହନା, ୯/୧୨ : ଗୋଆରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇଗଲେ। ଗଜପତି ଜିଲ୍ଲା ମୋହନ ଥାନା ଡେଙ୍ଗାଆମ୍ବ ଗାଁର ଜୟ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଜୟଙ୍କ ଶବ ଡେଙ୍ଗାଆମ୍ବ ଗାଁକୁ ଫେରୁଛି।
ସୂଚନାନୁଯାୟୀ, ଗଜପତି ଜିଲ୍ଲା ମୋହନ ଥାନା ଡେଙ୍ଗାଆମ୍ବ ଗାଁର ଜୟ ମଲ୍ଲିକ ପ୍ରାୟ ଦେଢ଼ ବର୍ଷ ତଳେ ଗୋଆ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସାମ୍ବାର ନାମକ ଏକ ହୋଟେଲରେ କାମ କରୁଥିଲେ। ଗତ ଶନିବାର ଦିନ ହୋଟେଲ ପରିସରରେ ଥିବା ଏକ ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ଗୋଆ ପୁଲିସ ଓ ହୋଟେଲ କର୍ତ୍ତୃପକ୍ଷ ଜୟଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଜୟଙ୍କ ଶବ ବ୍ୟବଚ୍ଛେଦ ପରେ ଆଜି ଡେଙ୍ଗାଆମ୍ବ ଗାଁକୁ ମୃତଦେହ ଫେରୁଛି।
ଜୟଙ୍କ ମୃତଦେହ ବାଥରୁମ୍ ଭିତରେ ଥିବା ଏକ ପାଣି ଟବ୍ ରେ ଗାମୁଛାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ତେଣୁ ଜୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଜୟ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ସରକାରଙ୍କ ପକ୍ଷରୁ କିଛି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।