ନୂଆଦିଲ୍ଲୀ : ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ। କୋଲକାତାରେ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳର ବୈଠକରେ ଶୁଭେନ୍ଦୁଙ୍କ ନାଁରେ ମୋହର ଲାଗିଛି। ତାଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି। ସୂତ୍ରାନୁସାରେ , ବଙ୍ଗଳାର ପାର୍ଟି ପ୍ରମୁଖ ସମିକ ଭଟ୍ଟାଚାର୍ଯ୍ୟ ଶୁଭେନ୍ଦୁଙ୍କ ନାମ ପ୍ରସ୍ତାବ ରଖିଥିଲେ। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ବଙ୍ଗଳାରେ ଏହି ଥର ବିଜେପି ପ୍ରଥମ ଥର ବହୁମତ ହାସଲ କରିଛି। ପାର୍ଟି ବଡ଼ ବିଜୟ ହାସଲ କରି ୨୦୭ଟି ଆସନ ଜିତିଛି, ଯାହାକି ଟିଏମସି ୮୦ଟି ଆସନରେ ସୀମିତ ରହିଛି।

ବିଧାୟକ ଦଳର ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ନେତା ଭାବେ ଚୟନ କରାଯାଇଛି। ଏହାର ଘୋଷଣା ଅମିତ ଶାହ କରିଥିଲେ ଏବଂ କହିଥିଲେ , ଏବେ କିଛି ଦିନ ପୂର୍ବରୁ  ନିର୍ବାଚନ ପ୍ରକ୍ରିୟା ସରିଛି। ପାଖାପାଖି ୮ଟି ପ୍ରସ୍ତାବ ଓ ସମର୍ଥନ ପ୍ରାପ୍ତ ହୋଇଥିଲା ଏବଂ ସମସ୍ତେ ଗୋଟିଏ ହିଁ ନାଁ କହିଥିଲେ। ଏହାପରେ ଦ୍ୱିତୀୟ ନାଁ ପାଇଁ ମଧ୍ୟ ସମସ୍ତଙ୍କୁ ସମୟ ଦିଆଗଲା, କିନ୍ତୁ କୌଣସି ଦ୍ୱିତୀୟ ନାଁ ଆସିଲା ନାହିଁ। ଏହି କ୍ରମରେ ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭାର ନେତା ଘୋଷିତ କରୁଛି।

ଶୁଭେନ୍ଦୁ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ ଏବଂ ଦୁଇଟି ଆସନରୁ ହିଁ ବିଜୟ ହାସଲ କରିଛନ୍ତି । ନନ୍ଦିଗ୍ରାମ ବ୍ୟତୀତ , ସେ ଭବାନୀପୁର ଆସନରୁ ମମତା ବାନାର୍ଜୀଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଶୁଭେନ୍ଦୁ ନନ୍ଦିଗ୍ରାମରୁ ମମତା ବାନାର୍ଜୀଙ୍କୁ ପରାଜିତ କରିଥିଲେ। ଏହା ପୂର୍ବରୁ ଅମିତ ଶାହ ଶୁକ୍ରବାର ସକାଳେ କୋଲକାତାରେ ପହଞ୍ଚି ଥିଲେ ଏବଂ ବିଜେପି ବିଧାୟକ ଦଳର ବୈଠକରେ ସାମିଲ ହୋଇଥିଲେ।  

ଏହାସହ ପଢ଼ନ୍ତୁ: ନନ୍ଦିଗ୍ରାମ ନା ଭବାନୀପୁର, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ?

ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନ୍ୟ ବିଜେପି ନେତାମାନେ ନେତାଜା ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶାହଙ୍କ ସ୍ୱାଗତ କରିଥିଲେ। ବିମାନ ବନ୍ଦରରୁ ସେ ନ୍ୟୁ ଟାଉନ୍‌ ସ୍ଥିତ ଏକ ହୋଟେଲ୍‌ ଯାଇଥିଲେ। ଦ୍ୱିପ୍ରହରରେ ଶାହ ବିଶ୍ୱ ବାଂଲା କନଭେସନ ସେଣ୍ଟରରେ ବିଜେପି ବିଧାୟକ ଦଳର ବୈଠକରେ ସାମିଲ ହୋଇ ଥିଲେ। ଶନିବାର ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହର ଆୟୋଜନ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିଜେପି ଅଧ୍ୟକ୍ଷ ନୀତିନ ନବୀନ ଓ ଜାତୀୟ ଗଣତାନ୍ତ୍ରିକ ଗଠବନ୍ଧନ (ଏନଡିଏ) ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।