ନୂଆଦିଲ୍ଲୀ,୨୪/୩ : ଆପଣ ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡ଼ର କରୁଛନ୍ତି କି ? ତେବେ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ଖବର ଆପଣଙ୍କୁ ଝଟକା ଦେଇପାରେ । ଆଜ୍ଞା ହଁ ଏହା ଏଭଳି ଖବର ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କ’ଣ ରହିଛି କାରଣ ଯାହା ଆପଣଙ୍କୁ ଝଟକା ଦେବ ।

ଜୋମାଟୋ ପରେ ସ୍ୱିଗି ମଧ୍ୟ ଏହାର ପ୍ଲାଟଫର୍ମ ଫି’କୁ ଯଥେଷ୍ଟ ବୃଦ୍ଧି କରିଛି । ଗ୍ରାହକମାନଙ୍କୁ ଏବେ ପ୍ରତି ଅର୍ଡ଼ର ପାଇଁ ୧୭.୫୮ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ, ଏହି ଫି’୧୪.୯୯ଟଙ୍କା ଥିଲା। ଜୋମାଟୋ ଏହାର ଫି’ ବୃଦ୍ଧି କରିବାର କିଛି ଦିନ ପରେ ଏହି ପରିବର୍ତ୍ତନ ଆସିଛି । ଏବେ, ଉଭୟ କମ୍ପାନୀ ସମାନ ପରିମାଣରେ ଚାର୍ଜ କରିବେ ।

କିଛିଦିନ ପୂର୍ବରୁ ଜୋମାଟୋ ତାର ପ୍ଲାଟଫର୍ମ ଚାର୍ଜ ୧୨.୫୦ଟଙ୍କାରୁ ୧୪.୯୦ଟଙ୍କାକୁ ବୃଦ୍ଧି କରିଛି । GST ସହିତ, ଗ୍ରାହକଙ୍କ ତରଫରୁ ଜୋମାଟୋରେ ବି ୧୭.୫୮ଟଙ୍କା ଦେଉଛନ୍ତି । ଏହାର ଅର୍ଥ ହେଉଛି ଉଭୟ ପ୍ରମୁଖ କମ୍ପାନୀ, ସ୍ୱିଗି ଏବଂ ଜୋମାଟୋ ସମାନ ଶୁଳ୍କ ନେଉଛନ୍ତି । ଏହି କାରଣରୁ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହୋଇଯାଇଛି । ସ୍ୱିଗି ତରଫରୁ ଏକାଥରକେ ଏହାର ଡେଲିଭରି ଚାର୍ଜ ପ୍ରାୟ ୧୭ପ୍ରତିଶତ ବୃଦ୍ଧି କରାଯାଇଛି ।

ପୂର୍ବରୁ, ସେପ୍ଟେମ୍ବର ୨୦୨୫ରେ, ସ୍ୱିଗି ଏହାର ଫି’ ୧୨ଟଙ୍କାରୁ ୧୪.୯୯ଟଙ୍କାକୁ ବୃଦ୍ଧି କରିଥିଲା । ଗତ ୭ ମାସରେ ଏହା ଚତୁର୍ଥ ଥର ପାଇଁ ସ୍ୱିଗି ତାର ଫି’ ବୃଦ୍ଧି କରିଛି । କମ୍ପାନୀ କହିଛି ଯେ, ଏହି ଫି’ ପ୍ଲାଟଫର୍ମକୁ ଚଳାଇବା ଏବଂ ରକ୍ଷଣାବେକ୍ଷଣ କରିବାରେ ସାହାଯ୍ୟ କରିବ। ଖାଦ୍ୟ ବିତରଣ ଉଭୟ କମ୍ପାନୀ ପାଇଁ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ସ୍ୱିଗି ଏବଂ ଜୋମାଟୋ ଦ୍ରୁତଗତିରେ ସେମାନଙ୍କର କ୍ୱିକ୍ କମର୍ସ ବ୍ୟବସାୟକୁ ବିସ୍ତାର କରୁଛନ୍ତି। ଲାଭ ବୃଦ୍ଧି ଏବଂ ନୂତନ ବ୍ୟବସାୟକୁ ପାଣ୍ଠି ଯୋଗାଇବା ପାଇଁ କମ୍ପାନୀଗୁଡ଼ିକ ପ୍ଲାଟଫର୍ମ ଫି’ ବୃଦ୍ଧି କରୁଛନ୍ତି। ବୃଦ୍ଧି ପାଉଥିବା ପରିଚାଳନା ଖର୍ଚ୍ଚ, ଇନ୍ଧନ ମୁଦ୍ରାସ୍ଫୀତି ଏବଂ ପ୍ରତିଯୋଗିତାକୁ ମଧ୍ୟ ବୃଦ୍ଧିର କାରଣ ଭାବରେ ଦର୍ଶାଯାଉଛି।