ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ବଣ୍ଡି ବିଚ୍ ଗୁଳିକାଣ୍ଡ ଘଟଣାର ଭୟଙ୍କର ଥିଲା। ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡା ୪୦ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସେହି ସମୟରେ ହୋଇଥିଲା ଯେତେବେଳେ ଯିହୁଦୀ ସମ୍ପ୍ରଦାୟର ଲୋକ ‘ହନୁକା’ ଉତ୍ସବ ପାଳନ କରିବାରେ ବ୍ୟସ୍ତ ଥିଲେ। ଆକ୍ରମଣ ସମୟରେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦୁଇ ଆତଙ୍କୀ କଳାରଙ୍ଗର କପଡା ପିନ୍ଧିଛନ୍ତି। ଆଉ ଏହି ଦୁଇ ଜଣ ସମ୍ପର୍କରେ ବାପା-ପୁଅ। ଦୁହେଁ ବିଚ୍‌ରେ ଥିବା ଏକ ବ୍ରିଜ୍ ଉପରେ ଠିଆ ହୋଇ ଫାୟାରିଂ କରୁଛନ୍ତି। ବ୍ରିଜ୍ ଅଳ୍ପ ଉଚ୍ଚତାରେ ଥିଲା,ଯାହାଫଳରେ ଲୋକଙ୍କୁ ଆକ୍ରମଣ କରିବା ସହଜ ହେଉଥିଲା। ଏହି ଆତଙ୍କୀଙ୍କ ଟାର୍ଗେଟରେ ଥିଲେ କେବଳ ଯିହୁଦୀ ଲୋକେ।

ଆକ୍ରମଣ ସମୟରେ ଦୁହେଁ କେବଳ ଯିହୁଦୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଅନ୍ୟ ଧର୍ମର ଲୋକଙ୍କୁ ପଳାଇ ଯିବାକୁ କହୁଥିଲେ। ଆକ୍ରମଣକାରୀଙ୍କ ପରିଚୟ ମିଳିଛି। ସେମାନେ ପାକିସ୍ତାନୀ ବଂଶୋଦ୍ଭବ ୫୦ବର୍ଷର ସାଜିଦ ଅକରମ୍ ଓ ତା’ର ୨୪ ବର୍ଷୀୟ ପୁଅ ନାଭିଦ ଅକରମ୍। ସାଜିଦ୍ ଜଣେ ଫଳ ଦୋକାନୀ। ବାପ-ପୁଅ ଦୁର୍ହେ ପ୍ରାୟ ୬ ମିନିଟ୍ ପର୍ଯ୍ୟନ୍ତ ନିରୀହ ଲୋକଙ୍କ ଉପରକୁ କଂସେଇଙ୍କ ଭଳି ଗୁଳି ମାଡ଼ କରିବାରେ ଲାଗିଥିଲେ। ଏହି ସମୟରେ ଦୁହିଁଙ୍କୁ କୌଣସି ପ୍ରକାର ଡର ଭୟ ନଥିଲା। ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହା ପୂର୍ବରୁ ମଧ୍ୟ ଆମେରିକା ସହିତ ବହୁ ଦେଶରେ ଯିହୁଦୀ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ହୋଇସାରିଛି।

ଏହି ଆକ୍ରମଣର ଭିଡିଓ ଜଣେ ପ୍ରତ୍ୟକ୍ଷଦର୍ଶୀ ନିଜ ମୋବାଇଲରେ ସୁଟ୍ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଯେ, ଦୁଇ ଆକ୍ରମଣକାରୀ ବନ୍ଧୁକ ଉଠାଇ ଆକ୍ରମଣ କରୁଛି। ସାଜିଦ୍ ଅକରମ୍ ବ୍ରିଜର ସିଡିରୁ ତଳକୁ ଓହ୍ଲାଇ ଆକ୍ରମଣ କରୁଛି। ତା’ର ୨୪ ବର୍ଷୀୟ ପୁଅ ନଭିଦ ପଛରେ ଓ ଡାହଣ ପଟେ ଠିଆ ହୋଇଥିବା ଲୋକଙ୍କ ଆଡକୁ ଚାହିଁ ପଳାଇ ଯିବାକୁ ଇଶାରା କରୁଛି। ଏହାପରେ ସେ ପାର୍କରେ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଗୁଳି ମାଡ କରିବାକୁ ବୁଲିପଡେ। କୁହାଯାଉଛି ଯେ,ଦୁଇ ଆକ୍ରମଣକାରୀ ଆଇଏସଆଇଏସ୍ ସହ ଜଡିତ ଥିଲେ। ପୋଲିସ ଆକ୍ରମଣକାରୀଙ୍କ କାରରୁ ଏକ ISIS ପତାକା ପାଇଛି। ଅଷ୍ଟ୍ରେଲିୟ ପୋଲିସ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ସୁନିଶ୍ଚିତ କରିନାହିଁ, ତେବେ ତଦନ୍ତ ଜାରି ରହିଛି।

ଆହୁରି ପଢନ୍ତୁ :ଗୁଳି ବର୍ଷା କରୁଥିଲା ସୁଟ୍‌ର, ହଠାତ ପଛପଟୁ ମାଡ଼ି ବସି ବନ୍ଧୁକ ଛଡାଇ ନେଲେ ଏହି ସାହାସୀ ବ୍ୟକ୍ତି: ଲୋକେ କହୁଛନ୍ତି ‘ରିଅଲ ହିରୋ’

ତଦନ୍ତକାରୀଙ୍କ ଅନୁଯାୟୀ, ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିବାରୁ, ସୁରକ୍ଷା ଏଜେନ୍ସିଗୁଡ଼ିକ ପ୍ରତ୍ୟେକ ଦିଗକୁ ନିକଟରୁ ତଦନ୍ତ କରୁଛନ୍ତି। ସାଜିଦ ଆକ୍ରମ ପୋଲିସ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ବେଳେ ନାଭିଦ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଅଛି। ସୂତ୍ର ଅନୁଯାୟୀ, ନାଭିଦ ପୂର୍ବରୁ ଅଷ୍ଟ୍ରେଲିୟ ଗୁଇନ୍ଦା ସଂସ୍ଥାର ରାଡାରରେ ଥିଲା, କିନ୍ତୁ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାଙ୍କୁ ଛାଡି ଦିଆଯାଇଥିଲା। ବର୍ତ୍ତମାନ, ISIS ସହ ଜଡିତ ସୁରାକ ମିଳିବା ପରେ, ଏହି ଦିଗକୁ ପୁଣି ଥରେ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରାଯାଉଛି।