ନୂଆଦିଲ୍ଲୀ, ୧୯/୨ : ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଗୁରୁବାର ଖେଳାଯାଉଛି ଅନ୍ତିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ୨୦ ଦଳଙ୍କୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ସୁପର-୮ରେ ୮ ଦଳ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ତେବେ ୧୨ ଦଳ ଏହି ରେସରୁ ବାଦ୍ ପଡ଼ିଥିବାବେଳେ ଯେଉଁଥିରେ ରହିଛି ଅଷ୍ଟେ୍ରଲିଆ ଭଳି ଶକ୍ତିଶାଳି ଦଳ । ତେବେ ପ୍ରଥମ ପର୍ଯ୍ୟାୟରୁ ବାଦ୍ ପଡ଼ିଥିବା ଦଳମାନଙ୍କୁ ମଧ୍ୟ ଆଇସିସି ଦେବ ଉପହାର । ଆଇସିସି ଏହି ଦଳମାନଙ୍କୁ ମଧ୍ୟ ଟଙ୍କା ଦେବ । ୯ ନମ୍ବରୁ ୧୨ ନମ୍ବର ମଧ୍ୟରେ ରହିଥିବା ଦଳମାନଙ୍କୁ ଆଇସିସି ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏହାସହ ୧୩ ନମ୍ବରରୁ ୨୦ ନମ୍ବର ଭିତରେ ଥିବା ବାକି ଦଳମାନେ ୨ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇବେ । ଏହାସହ ଆଇସିସି ପ୍ରତ୍ୟେକ ମ୍ୟାଚ ବିଜୟ ପାଇଁ ଅଲଗା ରାଶି ମଧ୍ୟ ଦେଇଥାଏ । ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ ବିଜୟ ପାଇଁ ୨୮ ଲକ୍ଷ ଟଙ୍କା ମିଳିଥାଏ । ତେବେ ଏହା ସେମିଫାଇନାଲ ଏବଂ ଫାଇନାଲକୁ ଛାଡ଼ି ମିଳିଥାଏ । ଗ୍ରୁପ୍ ଷ୍ଟେଜ୍ ଏବଂ ସୁପର-୮ରେ ପ୍ରତ୍ୟେକ ମ୍ୟାଚ ବିଜୟ ପରେ ଏହି ରାଶି ମିଳିଥାଏ । ଅଷ୍ଟେ୍ରଲିଆ ଭଳି ଦଳ ମଧ୍ୟ ପରାଜୟ ବରଣ କରିଥିବାବେଳେ ଆଇସିସି ଦ୍ବାରା ପ୍ରଦାନ କରାଯାଉଥିବା ରାଶିରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ।

ତେବେ ସୁପର-୮ରୁ ବାଦ ପଡ଼ିଥିବା ଦଳମାନେ ହେଲେ ୟୁଏସ,ନାମିବିଆ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ଓମାନ, ଇଟାଲୀ, ନେପାଳ, ସ୍କଟଲ୍ୟାଣ୍ଡ, ଆଫଗାନିସ୍ତାନ, କାନାଡା ଏବଂ ୟୁଏଇ ଅନ୍ତର୍ଭୁକ୍ତ। ସେପଟେ ସୁପର-୮ରେ ସ୍ଥାନ ପକ୍କା କରିଥିବା ଦଳ ମଧ୍ୟରେ ରହିଛନ୍ତି ଭାରତ,ପାକିସ୍ତାନ, ଶ୍ରୀଲଙ୍କା, ଜିମ୍ବାଓ୍ବେ, ନ୍ୟୁଜିଲାଣ୍ଡ, ଦକ୍ଷିଣଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ । ଏବେ ଅସଲ ମୁକାବିଲା ହେବାକୁ ଥିବାବେଳେ କଡ଼ା ଟକ୍କର ହେବ । ସୁପର-୮ରେ ଅଲଗା ଗ୍ରୁପରେ ଭାରତ ପାକିସ୍ତାନ ରହିଥିବାବେଳେ ସେମିଫାଇନାଲରେ ଭେଟ ହେବାର ଆଶଙ୍କା ରହିଛି ।

ଏହାସହ ପଢ଼ନ୍ତୁ :AI କ୍ଷେତ୍ରରେ କିଏ ଆଗରେ ? ଜାଣନ୍ତୁ କେତେ ନମ୍ବର ସ୍ଥାନରେ ରହିଛି ଭାରତ...