ଯାଜପୁର ୧୮।୪: ଚଢାଉ ବେଳେ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ଦେଲେ ମାଫିଆ । ଏହିଥିରେ ଗୁରୁତର ହୋଇଛନ୍ତି ବ୍ୟାସନଗର ତହସିଲଦାର। ଗୁରୁତର ତହସିଲଦାର ଜଣକ ହେଲେ ପ୍ରଶାନ୍ତ ପଣ୍ଡା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଅବୈଧ ମାଟି ଚୋରିକୁ ରୋକିବା ପାଇଁ ଘଟଣାସ୍ଥଳରେ ନିଜ ଟିମ୍ ସହିତ ପହଞ୍ଚିଥିଲେ ତହସିଲଦାର ପ୍ରଶାନ୍ତ ପଣ୍ଡା। ତେବେ ମାଫିଆଙ୍କ ନିର୍ଦ୍ଦେଶରେ ଟ୍ରାକ୍ଟର ଚାଳକ ଓ ଅନ୍ୟ ଅଭିଯୁକ୍ତ ମାନେ ଟ୍ରାକ୍ଟର ଚଢ଼ାଇ ତାଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତହସିଲଦାର ପ୍ରଶାନ୍ତ ପଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ। ସେପଟେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ସହ ଜଡିତ ଅଭିଯୁକ୍ତ ମାନଙ୍କୁ ଧରିବା ଓ ବ୍ୟବହୃତ ମେସିନ ଜବତ କରିବା ପାଇଁ ଚେଷ୍ଟା ଚାଲିଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅବୈଧ ମାଟି ଖନନ ସମେତ ବିଭିନ୍ନ ସମୟରେ ଲଘୁଖଣିଜ ଚୋରା କାରବାର ଓ ବେଆଇନ ପରିବହନକୁ ନେଇ ଏପରି ଆକ୍ରମଣ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏଡିଏମ । ସେପଟେ ଟ୍ରାକ୍ଟର ଜବତ ହୋଇଥିବା ବେଳେ ମେସିନ ଜବତ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ କହିଛନ୍ତି।