ନୂଆଦିଲ୍ଲୀ: ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କଝଗମ (AIADMK) ଏହାର ଇସ୍ତାହାର ଜାରି କରିଛି । ଏଥିରେ ଅନେକ ମାଗଣା ଉପହାର ଘୋଷଣା କରିଛି। ମହିଳାଙ୍କ ପାଇଁ ପୂର୍ବରୁ ଥିବା ମାଗଣା ବସ୍ ସେବାକୁ ପୁଣି ବିସ୍ତାର କରିଛି ଦଳ । ସେହିଭଳି ଦଳ ଏବେ ପୁରୁଷ ମାନଙ୍କ ପାଇଁ ମଧ୍ୟ ମାଗଣା ବସ୍ ଯାତ୍ରା ପ୍ରତିଶ୍ରୁତି ଦେଇଛି। ଚେନ୍ନାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ AIADMK ମହାସଚିବ ଏଡପ୍ପାଡି କେ. ପଲାନିସ୍ୱାମୀ ଜାରି କରିଥିବା ଇସ୍ତାହାରରେ ମୋଟ ୨୯୭ଟି ପ୍ରତିଶ୍ରୁତିକୁ ସ୍ଥାନ ଦେଇଛନ୍ତି।
ଡାଲି-ତେଲ ଠାରୁ ଆରମ୍ଭ କରି ମାଗଣା ରେଫ୍ରିଜରେଟର ପର୍ଯ୍ୟନ୍ତ ପ୍ରତିଶ୍ରୁତି…
ପଲାନିସ୍ୱାମୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ଯଦି ତାଙ୍କ ଦଳ ଏପ୍ରିଲ ୨୩ ବିଧାନସଭା ନିର୍ବାଚନରେ ବିଜୟୀ ହୁଏ ଏବଂ କ୍ଷମତାକୁ ଆସେ, ତେବେ ସମସ୍ତ ଚାଉଳ ରାସନ କାର୍ଡ ଧାରକଙ୍କୁ ମାଗଣା ରେଫ୍ରିଜରେଟର ମିଳିବ। ସେ ତାମିଲନାଡୁରେ ଚାଉଳ ରାସନ କାର୍ଡ ଧାରକଙ୍କୁ ପ୍ରତି ମାସରେ ଏକ କିଲୋଗ୍ରାମ ଡାଲି ଏବଂ ଏକ ଲିଟର ଖାଇବା ତେଲ ମାଗଣାରେ ଯୋଗାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
AIADMK ଇସ୍ତାହାରରେ କ’ଣ ଘୋଷଣା କରିଛି ?
୧- ଚାଉଳ ରାସନ କାର୍ଡ ଧାରକ ପରିବାରର ମହିଳା ମୁଖ୍ୟ ମାନଙ୍କୁ ମାଗଣା ରେଫ୍ରିଜରେଟର ପ୍ରତିଶ୍ରୁତି…
୨-ଚାଉଳ ବ୍ୟତୀତ, ରାସନ କାର୍ଡ ଧାରକ ମାନଙ୍କୁ ୧ କିଲୋ ଲଙ୍କା ଏବଂ ୧ ଲିଟର ଖାଇବା ତେଲ ମଧ୍ୟ ମାଗଣାରେ ମିଳିବ…
୩-ଟିକସ ବୋଝ ଏବଂ ମୁଦ୍ରାସ୍ଫୀତିକୁ ଦୂର କରିବା ପାଇଁ, ପ୍ରତ୍ୟେକ ପରିବାର ପାଇଁ ୧୦,୦୦୦ ଟଙ୍କାର ଏକ ସ୍ୱତନ୍ତ୍ର ସହାୟତା ଘୋଷଣା କରାଯାଇଛି…
୪-ମହିଳାଙ୍କ ପରି ପୁରୁଷ ମାନଙ୍କ ପାଇଁ ମଧ୍ୟ ଏକ ମାଗଣା ବସ୍ ଯାତ୍ରା ଯୋଜନା ଏବଂ ଗ୍ରାମୀଣ ନିଯୁକ୍ତି ଯୋଜନାକୁ ୧୫୦ ଦିନ ପର୍ଯ୍ୟନ୍ତ ବିସ୍ତାର କରିବାର ପ୍ରତିଶ୍ରୁତି…
୫-୫୦୦,୦୦୦ କର୍ମଜୀବୀ ମହିଳାଙ୍କୁ ୨୫,୦୦୦ ଟଙ୍କାର ସବସିଡି ସହିତ "ଆମ୍ମା" ଦୁଇ ଚକିଆ ଯାନ ଯୋଗାଇ ଦିଆଯିବ…
୬-ବୃଦ୍ଧ ଏବଂ ଅନ୍ୟ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନକୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି…
୭-ପ୍ରତ୍ୟେକ ପରିବାର ପାଇଁ ପ୍ରତିବର୍ଷ ତିନୋଟି ମାଗଣା ଗ୍ୟାସ ସିଲିଣ୍ଡର, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଚାଷୀଙ୍କ ପାଇଁ ବିଶେଷ ଯୋଜନା…
ପଲାନିସ୍ୱାମୀଙ୍କ ଘୋଷଣା ଗୁଡ଼ିକ ଦଳର ଦିବଂଗତ ନେତ୍ରୀ ଜେ. ଜୟଲଳିତାଙ୍କ ନୀତି ସହିତ ସମାନ, ଯିଏ ୨୦୧୧ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେର ନିର୍ବାଚନୀ ଇସ୍ତାହାରରେ ମାଗଣା ଫ୍ୟାନ୍ ଏବଂ ମିକ୍ସର-ଗ୍ରାଇଣ୍ଡର ଯୋଗାଇବାର ଏକ ଲୋକପ୍ରିୟ ଯୋଜନା ଘୋଷଣା କରିଥିଲେ। ୨୦୧୧ରେ କ୍ଷମତାକୁ ଆସିବା ପରେ, ଜୟଲଳିତା ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍. ଅନ୍ନଦୁରାଇଙ୍କ ଜନ୍ମବାର୍ଷିକୀରେ ଏହି ମାଗଣା ସାମଗ୍ରୀ ବଣ୍ଟନ ଆରମ୍ଭ କରିଥିଲେ। ୨୩ ଏପ୍ରିଲ ନିର୍ବାଚନ ପାଇଁ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ପଲାନିସ୍ୱାମୀ କହିଛନ୍ତି ଯେ ମାଗଣା ରେଫ୍ରିଜରେଟର ଗୁଡ଼ିକ ଗୃହିଣୀଙ୍କ ଉପରେ ଘରର କାମର ବୋଝ କମ କରିବା ପାଇଁ ଉଦ୍ଦିଷ୍ଟ ହେବ।
ଏହା ସହ ପଢନ୍ତୁ : ‘ରାଜନୀତିରେ ମତ ପାର୍ଥକ୍ୟ ଥାଏ’…ଉଦ୍ଧବଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନାରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍