ନୂଆଦିଲ୍ଲୀ,୧୫/୦୨; ବାଂଲାଦେଶରେ ନୂଆ ସରକାର ଗଠନ ନେଇ ଦେଶର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । ବିଏନ୍ପି ନେତା ତାରିକ ରହମାନ ଫେବ୍ରୁଆରି ୧୭ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ନିକଟରେ ଅନୁଷ୍ଠିତ ୧୩ତମ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ ) ଅଧ୍ୟକ୍ଷ ତାରିକ ରହମାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ଶପଥ ଗ୍ରହଣ ସମାରୋହକୁ ଏକ ମହାନ ଅନ୍ତର୍ଜାତୀୟ ଓ କୂଟନୈତିକ ଫର୍ମାଟ ଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଏହି ଅବସରରେ ବିଶ୍ୱକୁ ଏକ ନୂଆ ବାର୍ତ୍ତା ପଠାଇବା ପାଇଁ ଅନେକ ପଡ଼ୋଶୀ ତଥା ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ଭାରତ ସମେତ ୧୩ ଦେଶକୁ ନିମନ୍ତ୍ରଣ ଦିଆଯାଇଛି ।

ଭାରତ ସମେତ ଏହି ଦେଶକୁ ସ୍ୱତନ୍ତ୍ର ନିମନ୍ତ୍ରଣ- ଶପଥ ଗ୍ରହଣ ସମାରୋହକୁ ଭାରତ, ଚୀନ୍, ସାଉଦି ଆରବ ଓ ପାକିସ୍ତାନ ସମେତ ୧୩ଟି ପ୍ରମୁଖ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ତାଲିକାରେ ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ନେପାଳ, ମାଳଦ୍ୱୀପ ଓ ଭୁଟାନ ଆଦି ଦେଶ ରହିଛନ୍ତି। ଦକ୍ଷିଣ ଏସିଆରୁ ଆରମ୍ଭ କରି ପଶ୍ଚିମ ଏସିଆ ଦେଶଗୁଡ଼ିକୁ ଗୋଟିଏ ମଞ୍ଚରେ ଏକାଠି କରିବା ପ୍ରୟାସକୁ ନୂତନ ସରକାରଙ୍କ କୂଟନୈତିକ ରଣନୀତିର ଏକ ଅଂଶ ଭାବରେ ଦେଖାଯାଉଛି ।

ଏହା ବି ପଢନ୍ତୁ...ତାରିକ ରହମାନ ଇନ୍, କେୟାରଟେକର ପିଏମ୍ ଆଉଟ୍, ପଦରୁ ହଟିବା ପରେ କଣ କରିବେ ମହମ୍ମଦ ୟୁନୁସ୍ ?

​​​​​​​ପିଏମ୍ ମୋଦିଙ୍କ ଢାକା ଯିବା ମୁସ୍କିଲ- ନୂଆ ସରକାର ଶପଥ ଗ୍ରହଣ ସମାରୋହରେ ଭାରତକୁ ନିମନ୍ତ୍ରଣ ମିଳିଛି ସତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାରୋହରେ ସାମିଲ ହୋଇନପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଢାକା ଗସ୍ତ ସମ୍ଭାବନା କମ୍ । ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ବୈଠକ ପୂର୍ବରୁ ନିର୍ଦ୍ଧାରିତ ରହିଛି । ଏମିତିରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ଅନ୍ୟ କୌଣସି ଅଧିକାରୀଙ୍କୁ ପଠାଯାଇପାରେ । ବାଂଲାଦେଶ ନିର୍ବାଚନ ଫଳାଫଳରେ ବିଏନପିର ଜବରଦସ୍ତ ବିଜୟରେ ପ୍ରଧାନମନ୍ତ୍ରୀ ମୋଦି ତାରିକଙ୍କୁ ଶୁଭେଚ୍ଛା ଜଣାଇବା ତାଲିକାରେ ଥିଲେ ହେଲେ ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନପାରନ୍ତି ।

​​​​​​​କହି ରଖୁଛୁ କି, ବାଂଲାଦେଶ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ବିପୁଳ ବିଜୟ ହାସଲ କରିଛି । ମୋଟ ୨୯୯ଟି ଆସନରେ ମତଦାନ ହୋଇଥିବାବେଳେ ସେଥିମଧ୍ୟରୁ ୨୯୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି । ଫଳାଫଳରେ ବିଏନପିକୁ ଏକାକୀ ୨୦୯ଟି ଆସନ ମିଳିଛି । ବିଏନ୍‌ପି ଏବଂ ସହଯୋଗୀଙ୍କ ମେଣ୍ଟ ୨୧୨ଟି ଆସନରେ ବାଜିମାତ୍ କରିଛି । ଏହା ବହୁମତ ଲାଗି ଜରୁରି ସଂଖ୍ୟା ୧୫୦ ଠାରୁ ବେଶ୍ ଅଧିକ । ବିଏ ଦୀର୍ଘ ୨୦ ବର୍ଷ ପରେ ବାଂଲାଦେଶରେ ସରକାର ଗଠନ କରିବ ।