ଗୁରୁବାର ଠାରୁ ଚତୁର୍ଥ ଟେଷ୍ଟ: ଟିମ୍ ଇଣ୍ଡିଆ ପାଇଁ ବିଜୟ ଗୁରୁତ୍ବପୂର୍ଣ୍ଣ, ଏମିତି ରହିପାରେ ପ୍ଲେଇଂ ଇଲେଭେନ୍

ଅହମଦାବାଦ ୦୮/ ୦୩: ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ୪ର୍ଥ ତଥା ଅନ୍ତିମ ଟେଷ୍ଟ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ଠାରୁ ଆରମ୍ଭ ହେବ । ଭାରତ ଏବେ ୨-୧ରେ ଆଗୁଆ ରହିଥିବା ବେଳେ ଅନ୍ତିମ ଟେଷ୍ଟ ଜିତି ସିରିଜ୍ କବ୍ଜା କରିବା ସହିତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବ ଭାରତ । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଶେଷ ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ପ୍ରଚେଷ୍ଟା କରିବ । ଚତୁର୍ଥ ଟେଷ୍ଟରେ ଭାରତ ପରାଜୟ କିମ୍ବା ଡ୍ର’ କଲେ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ରାସ୍ତା କଷ୍ଟକର ହେବ । କାରଣ ଶ୍ରୀଲଙ୍କା ମଧ୍ୟ ଫାଇନାଲ ଦୌଡରେ ରହିଛି । ତେବେ ଶେଷ ଟେଷ୍ଟରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ଓପନର୍ ଏବଂ ଓ୍ବିକେଟ୍ କିପର । ପୂରା ସିରିଜରେ ଫେଲ୍ ମାରିଛନ୍ତି ଓପନର୍ ଏବଂ ଓ୍ବିକେଟ୍ କିପର । ଋଷଭ ପନ୍ତଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି ଭାରତୀୟ ଦଳ । ଓ୍ବିକେଟ କିପର ଶ୍ରୀକର ଭରତ ସିରିଜରେ ଫେଲ୍ ମାରିଛନ୍ତି । ୪ର୍ଥ ଟେଷ୍ଟରେ ତାଙ୍କ ସ୍ଥାନରେ ଇଶାନ କିଷନଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । କାରଣ ଭରତ ଲଗାତାର ଭାବେ ଖରାପ ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ଶେଷ ଟେଷ୍ଟରେ ଇଶାନ କିଷନଙ୍କୁ ସୁଯୋଗ ଦେଇପାରେ ଦଳୀୟ ମ୍ୟାନେଜମେଣ୍ଟ । ଓପନର ଶୁବମାନ ଗିଲ୍ ତୃତୀୟ ଟେଷ୍ଟରେ ଫେଲ ମାରିଥିଲେ ବି ଶେଷ ମ୍ୟାଚରେ ତାଙ୍କ ଉପରେ ପୁଣି ଭରଷା କରିପାରେ ଦଳ ।
ସେହିଭଳି ବୋଲିଂ ବାହିନୀରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି । ମହମ୍ମଦ ସିରାଜ ସାମାନ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । ତୃତୀୟ ଟେଷ୍ଟରେ ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଥିଲା ଏବଂ ସେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷ ଟେଷ୍ଟରେ ମଧ୍ୟ ଉମେଶଙ୍କୁ ସାମିଲ କରାଯାଇପାରେ । ସେହିଭଳି ସିରାଜଙ୍କ ସ୍ଥାନରେ ପୁଣି ଫେରିପାରନ୍ତି ମହମ୍ମଦ ସାମି ।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଚେତେଶ୍ବର ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଶ୍ରୀକର ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ଉମେଶ ଯାଦବ ଏବଂ ମହମ୍ମଦ ସାମି