ନୂଆଦିଲ୍ଲୀ : ସାରା ବିଶ୍ୱରେ ଟେକ୍ କମ୍ପାନୀଗୁଡ଼ିକରେ ବର୍ତ୍ତମାନ ଏକ ବଡ଼ ପରିବର୍ତ୍ତନ ଚାଲିଛି ଏବଂ ଏହାର ସବୁଠାରୁ ବଡ଼ ପ୍ରଭାବ ଚାକିରି ଉପରେ ପଡୁଛି। ୨୦୨୬ର ଆରମ୍ଭରୁ, ୭୩ ହଜାର ଅଧିକ ଲୋକ ଚାକିରି ହରାଇଛନ୍ତି। ଏହି ସଂଖ୍ୟା କେବଳ ଗୋଟିଏ କିମ୍ବା ଦୁଇଟି କମ୍ପାନୀର ନୁହେଁ, ବରଂ ୯୦ରୁ ଅଧିକ ଟେକ୍ କମ୍ପାନୀର।
ସବୁଠାରୁ ବଡ଼ କଥା ହେଲା ଯେ, ଏହା କେବଳ ଏକ ନର୍ମାଲ ଛଟେଇ ନୁହେଁ। ଏହାକୁ ଟେକ୍ ଇଣ୍ଡଷ୍ଟ୍ରିର ରିସେଟ୍ କୁହାଯାଉଛି। ଅନେକ କମ୍ପାନୀ କେବଳ AI ନାମରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଅର୍ଥାତ୍ କମ୍ପାନୀଗୁଡ଼ିକ ସେମାନଙ୍କର କାମ କରିବାର ଶୈଳୀକୁ ପରିବର୍ତ୍ତନ କରୁଛନ୍ତି ଏବଂ ସେହି ହିସାବରେ କର୍ମଚାରୀଙ୍କ ଆବଶ୍ୟକତା ମଧ୍ୟ ପରିବର୍ତ୍ତନ ହେଉଛି। ଏହି ପରିବର୍ତ୍ତନ ପଛରେ ସବୁଠାରୁ ବଡ଼ କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (AI)। ପୂର୍ବରୁ ଯେଉଁ କାମ ପାଇଁ ବଡ଼ ଟିମ୍ର ଆବଶ୍ୟକ ହେଉଥିଲା, ତାହା ଏବେ AI ଟୁଲ୍ସ (ଉପକରଣ) ସାହାଯ୍ୟରେ କମ୍ ଲୋକଙ୍କ ଦ୍ୱାରା ସମ୍ପାଦିତ ହେଉଛି। କମ୍ପାନୀଗୁଡ଼ିକ ଏବେ ଅଧିକ ଦ୍ରୁତ, ଶସ୍ତା ଏବଂ ଅଧିକ ଦକ୍ଷ ହେବାକୁ ଚେଷ୍ଟା କରୁଛନ୍ତି।
ଯଦି ଏହି ତଥ୍ୟକୁ ଧ୍ୟାନର ସହ ବୁଝିବା , ତ ସର୍ବ ପ୍ରଥମେ ନଜର ଆସେ ମେଟା ପ୍ଲାଟଫର୍ମ ଉପରେ। ରିପୋର୍ଟ ମୁତାବିକ, ମେଟା ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହା ତାହାର ମୋଟ କର୍ମଚାରୀଙ୍କ ପ୍ରାୟ ୧୦ ପ୍ରତିଶତ ଭାଗ କୁହାଯାଉଛି।
ଉକ୍ତ ଛଟେଇ ଗୋଟିଏ ଥରରେ ନୁହେଁ , ବରଂ ବିଭିନ୍ନ ପର୍ଯ୍ୟାୟରେ କରାଯାଉଛି, ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କମ୍ପାନୀ ଦୀର୍ଘକାଳୀନ ପାଇଁ ଏହାର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛି। ଏହା ପରେ ଆମାଜନର ନାମ ଆସିଛି, ଯେଉଁଠାରେ ଗତ କିଛି ମାସ ମଧ୍ୟରେ ବହୁ ସଂଖ୍ୟାରେ ଚାକିରି ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ପ୍ରାୟ ୩୦ ହଜାର ଯାଏ ଥିବା କୁହାଯାଉଛି। ଆମାଜନର ଏହି ପଦକ୍ଷେପ ଗୁରୁତ୍ତ୍ୱପୂର୍ଣ୍ଣ, କାରଣ ଏହା ଏକାକୀ ଏହି ପୂରା ୭୩୦୦୦ସଂଖ୍ୟାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶକୁ ପ୍ରତିନିଧିତ୍ୱ କରେ। ଏହିପରି Block Inc. ମଧ୍ୟ ପ୍ରାୟ ୪ହଜାର କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀ ଏହାର ବ୍ୟବସାୟକୁ ଆଗକୁ ବଢାଇବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି।
ସୋସିଆଲ ମିଡିଆ କମ୍ପାନୀ Snap Inc. ମଧ୍ୟ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ସ୍ନାପ୍ ସ୍ପଷ୍ଟ କହିଛି ଯେ, ସେ AI ଏବଂ ଅଟୋମେସନ ଉପରେ ଅଧିକ ଫୋକସ କରୁଛି, ଯେଉଁଥିରେ କିଛି ରୋଲ୍ସର ଆବଶ୍ୟକତା କମି ଯାଇଛି।
ଏହି ବଡ଼ କମ୍ପାନୀ ଗୁଡ଼ିକ ବ୍ୟତୀତ ଓରାକଲ୍ ଓ ଆଉ ଅନେର କମ୍ପାନୀ ଗୁଡ଼ିକରେ ମଧ୍ୟ ହଜାର ହଜାର ସଂଖ୍ୟାରେ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି, ହେଲେ ପ୍ରତି କମ୍ପାନୀ ସଠିକ୍ ସଂଖ୍ୟା ସାର୍ବଜନିକ କରି ନାହାନ୍ତି। ସମ୍ପ୍ରତି ଓରାକଲ୍ କେବଳ ଭାରତରେ ୧୦ ହଜାର ଲୋକଙ୍କୁ କମ୍ପାନୀରୁ କାଢି ଦେଇଛି। ଭବିଷ୍ୟତରେ ଆହୁରି ୨୦ ହଜାର ଚାକିରି ଯାଇପାରେ।
ଏହି ପୂରା ଟ୍ରେଣ୍ଡ ପଛରେ ଅନେକ କାରଣ ଏକାଠି କାମ କରୁଛି। ସର୍ବ ପ୍ରଥମେ କରୋନା ମହାମାରୀ ସମୟରେ କମ୍ପାନୀଗୁଡ଼ିକ ଦ୍ରୁତ ଗତିରେ ନିଯୁକ୍ତି ଦେଇଥିଲେ। ସେହି ସମୟରେ ଡିଜିଟାଲ୍ ସେବାର ଚାହିଦା ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ଅଭିବୃଦ୍ଧି ମନ୍ଥର ହୋଇ ଯାଇଛି। ଫଳସ୍ୱରୂପ, କମ୍ପାନୀଗୁଡ଼ିକ ଅତିରିକ୍ତ କର୍ମଚାରୀଙ୍କୁ ହ୍ରାସ କରୁଛନ୍ତି। ଆଉ ଏକ ପ୍ରମୁଖ କାରଣ ହେଉଛି ଖର୍ଚ୍ଚ ହ୍ରାସ। ବିଶ୍ୱ ଅର୍ଥନୀତି ନିରନ୍ତର ପରିବର୍ତ୍ତନ ହେଉଛି, ମୁଦ୍ରାସ୍ଫୀତି ଏବଂ ନିବେଶରେ ହ୍ରାସ କମ୍ପାନୀଗୁଡ଼ିକୁ ଅଧିକ ସତର୍କ କରିଛି। ସେମାନେ ଏବେ ପ୍ରତ୍ୟେକ ଖର୍ଚ୍ଚକୁ ସତର୍କତାର ସହ ତଦାରଖ କରୁଛନ୍ତି ଏବଂ ଅନାବଶ୍ୟକ ସ୍ଥାନରେ ଛଟେଇ କରୁଛନ୍ତି।
ତୃତୀୟ ଏବଂ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ହେଉଛି AI ର ଦ୍ରୁତ ଗତିରେ ବଢୁଥିବା ବ୍ୟବହାର। ଏବେ କମ୍ପାନୀଗୁଡ଼ିକ ଅନୁଭବ କରିଛନ୍ତି ଯେ, ଅନେକ କାର୍ଯ୍ୟ ମେସିନ୍ ଦ୍ୱାରା ପରିଚାଳନା କରାଯାଇ ପାରିବ। ଏହା ସେମାନଙ୍କୁ କମ୍ ଲୋକଙ୍କ ସହିତ ଅଧିକ କାର୍ଯ୍ୟ ହାସଲ କରିବାକୁ ଅନୁମତି ଦେଉଛି।