କୋରେଇ,୧୯/୦୪:ସୀମା ଟପିଛି ମାଟି ମାଫିଆଙ୍କ ଆତଙ୍କ । ବ୍ୟାସନଗର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା। ୭ ଜଣଙ୍କୁ ଗିରଫ କଲା କୋରେଇ ଥାନା ପୁଲିସ। ୫ଟି ଟ୍ରାକ୍ଟର, ୨ଟି ଜେସିବି ମେସିନ ଜବତ କରିଛି ପୁଲିସ। ଅନ୍ୟପଟେଗୁରୁତର ଅବସ୍ଥାରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।
କୋରେଇରେ ମାଟି ମାଫିଆଙ୍କ ଉତ୍ପାତ ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ଦମନ କରିବାକୁ ଯାଇଥିବା ତହସିଲଦାର ଶ୍ରୀ ଏ ପଣ୍ଡାଙ୍କ ଉପରେ ବେଆଇନ୍ ମାଟି ବୋଝେଇ କରି ଆସୁଥିବା ଟ୍ରାକ୍ଟରର ଚାଳକ ଗାଡ଼ି ଚଢ଼ାଇ ଦେଇଥିଲା । ଏଥିରେ ତହସିଲଦାର ଗୁରୁତର ହୋଇ ପ୍ରଥମେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କଳିଙ୍ଗନଗର ଏଡିଏମ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ତଦନ୍ତ କରିଥିବା ବେଳେ କୋରେଇ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଗୋଟି ଟ୍ରାକ୍ଟର, ୨ଟି ଜେସିବି ମେସିନ ଜବତ କରିବା ସହ ୭ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଗୁରୁତର ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ :- Heat Wave Alert: ଜଳୁଛି ସାରା ଓଡ଼ିଶା, ପଶ୍ଚିମରୁ ଉପକୂଳ ଯାଏ ଭୀଷଣ ତାତି, ୨୨ ଯାଏ ଗ୍ରୀଷ୍ମପ୍ରବାହରୁ ମିଳିବନି ମୁକ୍ତି
କୋରେଇ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଆଇନ୍ ମାଟି ଉଠାଣ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଶନିବାର ପୂର୍ବାହ୍ନରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ଶ୍ରୀ ପଣ୍ଡା ବ୍ୟାସନଗର ତହସିଲ ଅଧୀନ ସାଦକପୁର ପଞ୍ଚାୟତ ଫାଜଲପୁରରେ ବେଆଇନ୍ ମାଟି ଖନନ ହେଉଥିବା ଖବରପାଇ ସଦଳବଳ ସେଠାକୁ ଯାଉଥିଲେ। ମୀନାବଜାର ଛକ ଉପରେ ତୁଳତୀ ପଟରୁ ମାଟି ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟରକୁ ଦେଖି ତହସିଲଦାର ଅଟକାଇ ଥିଲେ । ଟ୍ରାକ୍ଟର ଚାଳକ ଅଟକିବା ପରିବର୍ତ୍ତେ ତହସିଲଦାରଙ୍କୁ ମାରିଦେବାକୁ ତାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲା । ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଡାହାଣ ଗୋଡ଼ ଉପରେ ଟ୍ରାକ୍ଟର ଚକା ଚଢ଼ି ଯାଇଥିଲା । ଟ୍ରାକ୍ଟର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଉପସ୍ଥିତ ସହକର୍ମୀ ସ୍ଥାନୀୟଲୋକଙ୍କ ସହଯୋଗରେ ଟ୍ରାକ୍ଟର ଚକା ତଳୁ ଗୁରୁତର ଅବସ୍ଥାରେ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ଖବରପାଇ କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତହସିଲଦାରଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।
ଦୁର୍ଘଟଣାର ଖବରପାଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ସମେତ ଅନ୍ୟ କିଛି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଘଟଣାକୁ ନେଇ ତହସିଲ ପ୍ରଶାସନ ପକ୍ଷରୁ କୋରେଇ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ କେସ୍ ନଂ. ୧୫୧/୨୬ରେ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଟି ଟ୍ରାକ୍ଟର, ୨ଟି ଜେସିବି ମେସିନ ଜବତ କରିଛି । ପୁଲିସ ଘଟଣାର ତଦନ୍ତ କରି ମାଟି ଉଠାଯାଇଥିବା ଜମିର ମାଲିକ, ଟ୍ରାକ୍ଟର ଚାଳକ, ମାଟି ମାଫିଆଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି।