ପାଟନା : ଜନଶକ୍ତି ଜନତା ଦଳ (ଜେଜେଡି)ର ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ତାଙ୍କର ସରକାରୀ ବଙ୍ଗଳା ଖାଲି କରିଛନ୍ତି। ଏହା ପରେ, ତାଙ୍କ ଉପରେ ସରକାରୀ ବାସଭବନରୁ ଜିନିଷପତ୍ର ଗାଏବ କରିବାର ଅଭିଯୋଗ ଆସିଛି। ପାଟନାର ୨୬ ଏମ୍ ଷ୍ଟାଣ୍ଡ ରୋଡ ସ୍ଥିତ ଏହି ବାସଭବନ ନୀତୀଶ ସରକାରଙ୍କ ମନ୍ତ୍ରୀ ଲଖେନ୍ଦ୍ର ପାସୱାନଙ୍କୁ ଦିଆଯାଇ ଥିଲା। ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେ ବଙ୍ଗଳାରେ ପହଞ୍ଚିଲେ, ତାହାକୁ ଭଙ୍ଗା ଅବସ୍ଥାରେ ଥିବାର ଦେଖିବାକୁ ପାଇଲେ। ବାସଭବନରୁ ସୋଫା, ଚେୟାର, ବଲବ ଏବଂ ପଙ୍ଖା ଭଳି ଅତ୍ୟାବଶ୍ୟକୀୟ ଜିନିଷପତ୍ର ଗାଏବ ଥିଲା।

ଏହାସହ ମଧ୍ୟ ପଢନ୍ତୁ : ବଜେଟ୍‌ରେ ପ୍ରଥମ ଝଟକା ! ମହଙ୍ଗା ହେବ ସିଗାରେଟ୍ ପାନ ମସଲା, ବଢିବ ଏକ୍ସାଇଜ ଡ୍ୟୁଟି

ମନ୍ତ୍ରୀ ପାସୱାନ ଶନିବାର ଗଣମାଧ୍ୟମକୁ ମିଡ଼ିଆ ସହିତ କଥାବାର୍ତ୍ତା ବେଳେ କହିଛନ୍ତି – କୌଣସି ମନ୍ତ୍ରୀ କିମ୍ୱା ବିଧାୟକଙ୍କୁ ଯେତେବେଳେ ବାସଗୃହ ଆବଣ୍ଟନ କରାଯାଏ, ତାଙ୍କୁ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯାଏ। ହେଲେ ଏହି ବଙ୍ଗଳାରୁ, ପଙ୍ଖା, ଏସି ଆଦି ବାହାର କରି ନିଆଯାଇଛି। କିଛି ସ୍ଥାନରେ ଦ୍ୱାରର କୁଣ୍ଡି ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଛାତର ପ୍ଲାଷ୍ଟର ଛାଡ଼ି ଯାଇଛି।

ମିଡ଼ିଆ ରିପୋର୍ଟ ଅନୁସାରେ, ମନ୍ତ୍ରୀ କହିଛନ୍ତି ଯେ, ଏହି ବାସଭବନଟି ବର୍ତ୍ତମାନ ରହିବା ଯୋଗ୍ୟ ନୁହେଁ । ଏ ନେଇ ଭବନ ନିର୍ମାଣ ବିଭାଗକୁ ଅବଗତ କରାଯାଇଛି। ବଙ୍ଗଳାର ମରାମତି ପରେ ହିଁ ସେ ଏଠାକୁ ସିଫ୍ଟ ହେବେ। ଅନ୍ୟପଟେ କୁହାଯାଉଛି ,ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ସରକାରୀ ବାସଭବନରୁ ତାଙ୍କର ଅଧିକାଂଶ ଜିନିଷପତ୍ର ଅଫିସକୁ ସ୍ଥାନାନ୍ତର କରିଛନ୍ତି ।

କହି ରଖୁଛୁ କି , ବିହାରରେ ମହାଗଠବନ୍ଧନ ସରକାର ସମୟରେ ମନ୍ତ୍ରୀ ଥିବା ତେଜ ପ୍ରତାପ ଯାଦବଙ୍କୁ, ପ୍ରାୟ ଦୁଇ ବର୍ଷ ପୂର୍ବେ ଏହି ବଙ୍ଗଳା ଆବଣ୍ଟିତ କରାଯାଇ ଥିଲା। ସେହି ସମୟରେ ସେ ହସନପୁର ଆସନରୁ ବିଧାୟକ ଥିଲେ। ନିକଟରେ ବିହାର ବିଧାନସଭା ନିର୍ବାଚନ ବେଳେ ମହୁଆ ସିଟ୍ରୁ ନିର୍ବାଚନ ହାରିବା ପରେ ତାଙ୍କୁ ଭବନ ନିର୍ମାଣ ବିଭାଗ ପକ୍ଷରୁ ସରକାରୀ ବାସଭବନ ଖାଲି କରିବାର ନୋଟିସ୍ ମିଳି ଥିଲା। ତେଜ ପ୍ରତାପ ବର୍ତ୍ତମାନ କୌଣସି ଗୃହରେ ସଦସ୍ୟ ନାହାଁନ୍ତି କି କୌଣସି ସାମ୍ବିଧାନିକ ପଦବୀରେ ବି ନାହାନ୍ତି।