ନୂଆଦିଲ୍ଲୀ, ୧।୪: ଟେନିସ୍ କୋର୍ଟରୁ ରାଜନୀତିର ମଇଦାନ । ପ୍ରେମରୁ ପଲିଟିକ୍ସ । ଟିଏମ୍ସି ଛାଡ଼ି ବିଜେପିରେ ସାମିଲ ହେଲେ ଲିଆଣ୍ଡର ପେସ୍ । ପଦ୍ମ ଧରିବା ପରେ ତାଜା ହେଲା ପୁରୁଣା ପ୍ରେମ କାହାଣୀ । ସଞ୍ଜୁ ବାବାଙ୍କ ପତ୍ନୀଙ୍କ ପ୍ରେମରେ ପଡ଼ିଥିଲେ ଲିଆଣ୍ଡର ! ଜାଣନ୍ତୁ କାହିଁକି ଅଧାରେ ରହିଗଲା ଏହି ଫିଲ୍ମି ପ୍ରେମ କାହାଣୀ... । ଭାରତୀୟ ଟେନିସ୍ ଜଗତର 'ପୋଷ୍ଟର ବୟ' ଲିଆଣ୍ଡର ପେସ୍ ଏବେ ଚର୍ଚ୍ଚାରେ । କେବଳ ଟେନିସ୍ କୋର୍ଟରେ ନୁହେଁ, ବରଂ ରାଜନୀତିର ପିଚ୍ରେ ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ପୂର୍ବରୁ ଟିଏମ୍ସି ଧରିଥିବା ପେସ୍ ଏବେ 'ପଦ୍ମ' ଶିବିରରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କିନ୍ତୁ ପେସ୍ଙ୍କ ଏହି ରାଜନୈତିକ ଲମ୍ଫ ସହ ପୁଣି ଥରେ ତାଜା ହୋଇଛି ତାଙ୍କ ବ୍ୟକ୍ତିଗତ ଜୀବନର ସେହି ରୋମାଞ୍ଚକର ପୃଷ୍ଠା, ଯେଉଁଠି ପ୍ରେମ, ପ୍ରତାରଣା ଏବଂ ବଲିଉଡର ଗ୍ଲାମର ଭରି ରହିଛି ।
ଏହା ବି ପଢ଼ନ୍ତୁ... ୫-୬ ବର୍ଷରେ ୧୩୦ ୱିକେଟ୍, ତଥାପି ଟି-ଟ୍ୱେଣ୍ଟି ବୋଲର ନୁହେଁ, ଯନ୍ତ୍ରଣା କହିଲେ ମହମ୍ମଦ ଶାମି
ଲିଆଣ୍ଡର ପେସ୍ଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମଠୁ କମ୍ ନୁହେଁ । ବଲିଉଡ୍ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ରିୟା ପିଲ୍ଲାଇଙ୍କ ସହ ତାଙ୍କର ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲା । ସଞ୍ଜୟଙ୍କ ସହ ବିବାହ ବିଚ୍ଛେଦ ପରେ ରିୟା ଓ ଲିଆଣ୍ଡର ଦୀର୍ଘ ଦିନ ଧରି ଲିଭ୍-ଇନ୍ରେ ରହିବା ପରେ ବିବାହ କରିଥିଲେ । ସେମାନଙ୍କର ଅୟାନା ନାମକ ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ୨୦୧୪ରେ ଏହି ସମ୍ପର୍କରେ ବଡ଼ ଝଡ଼ ଆସିଲା, ଘରୋଇ ହିଂସା ଭଳି ସାଙ୍ଘାତିକ ଅଭିଯୋଗ ଆଣିଲେ ରିୟା ଏବଂ ପରେ ଦୁହେଁ ଅଲଗା ହୋଇଗଲେ । କେବଳ ରିୟା ନୁହନ୍ତି, ବେଶ୍ ରଙ୍ଗୀନ ଥିଲା ପେସ୍ଙ୍କ ଲଭ୍ ଲାଇଫ୍ । 'ପରଦେଶ' ଗାର୍ଲ ମହିମାଙ୍କ ସହ ପେସ୍ଙ୍କର ୬ ବର୍ଷର ସମ୍ପର୍କ ଥିଲା । କିନ୍ତୁ ୨୦୦୩ରେ ଯେତେବେଳେ ଏହି ସମ୍ପର୍କ ଭାଙ୍ଗିଲା, ମହିମା ପେସ୍ଙ୍କ ବିରୋଧରେ ପ୍ରତାରଣାର ଗୁରୁତର ଅଭିଯୋଗ ଆଣିଥିଲେ । ରିୟାଙ୍କ ସହ ବିବାଦ ପରେ ପେସ୍ଙ୍କ ନାଁ ଅଭିନେତ୍ରୀ କିମ୍ ଶର୍ମାଙ୍କ ସହ ମଧ୍ୟ ଯୋଡ଼ା ହୋଇଥିଲା, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
୧୯୭୩ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ଲିଆଣ୍ଡରଙ୍କ ପରିବାର ବି କ୍ରୀଡ଼ାରେ ନିପୁଣ ଥିଲେ । ବାପା ଭେସ୍ ପେସ୍ ଅଲିମ୍ପିକ୍ସ ପଦକ ବିଜେତା ହକି ଖେଳାଳି ହୋଇଥିବା ବେଳେ ମା’ ଜେନିଫର ଥିଲେ ବାସ୍କେଟବଲ୍ ଦଳର ଅଧିନାୟିକା । ଲିଆଣ୍ଡର ନିଜେ ୧୮ଟି ଗ୍ରାଣ୍ଡସ୍ଲାମ୍ ଜିତି ଭାରତକୁ ବିଶ୍ୱ ଦରବାରରେ ଗର୍ବିତ କରିଛନ୍ତି । ମହେଶ ଭୂପତି ଏବଂ ଲିଆଣ୍ଡର ପେସ୍ଙ୍କ ଯୋଡ଼ି ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ ଭାବେ ଟେନିସ୍ ଜଗତରେ ରାଜ୍ କରୁଥିଲେ । ୧୯୯୯ର ୱିମ୍ବଲଡନ ବିଜୟ ଇତିହାସ ପାଲଟିଥିଲା । କିନ୍ତୁ, ବ୍ୟକ୍ତିଗତ ମନୋମାଳିନ୍ୟ ଯୋଗୁଁ କୋର୍ଟ ଭିତରେ ଜବରଦସ୍ତ ଖେଳୁଥିବା ଏହି ଯୋଡ଼ି କୋର୍ଟ ବାହାରେ ପରସ୍ପରର ଶତ୍ରୁ ପାଲଟିଯାଇଥିଲେ । ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ଖେଳରତ୍ନରେ ସମ୍ମାନିତ ପେସ୍ ଏବେ ବିଜେପି ନେତା କିରନ ରିଜିଜୁଙ୍କ ସହ ହାତ ମିଳାଇଛନ୍ତି । ପଶ୍ଚିମବଙ୍ଗ ରାଜନୀତିରେ ତାଙ୍କର ଏହି ପଦକ୍ଷେପ ବିଜେପି ପାଇଁ କେତେ ପଏଣ୍ଟ ଆଣୁଛି, ତାହା ଦେଖିବାକୁ ବାକି ରହିଲା । ଲିଆଣ୍ଡର ପେସ୍ଙ୍କ ଜୀବନ କୌଣସି ରୋଲର-କୋଷ୍ଟର ରାଇଡ୍ ଠାରୁ କମ୍ ନୁହେଁ । ଚମତ୍କାର ଖେଳ, ରୋମାଞ୍ଚକର ପ୍ରେମ ଆଉ ଏବେ ହଟଚମଟ ସୃଷ୍ଟିକାରୀ ରାଜନୀତି !