ଇସଲାମାବାଦ,୨୧/୦୫: ଭୟଙ୍କର ବିସ୍ଫୋରଣରେ ପୁଣିଥରେ ଥରିଲା ପାକିସ୍ତାନ । ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଖୁଜଦାର୍ ଜିଲ୍ଲାରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଗୋଟିଏ ସ୍କୁଲ ବସ୍କୁ ଟାର୍ଗେଟ କରାଯାଇଛି । ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପାକିସ୍ତାନୀ ନ୍ୟୁଜ ୱେବସାଇଟ୍ ମୁତାବିକ, ସ୍କୁଲ ବସ୍ଟି ପିଲାକୁ ନେଇ ଜିରୋ ପଏଣ୍ଟ ପାଖାପାଖି ଥିଲା । ଏହି ସମୟରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ବସ୍ଟି ଛିନଛତ୍ର ହୋଇଯାଇଥିଲା । ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଥିଲା ଅଞ୍ଚଳ । ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ୪ ଶିଶୁଙ୍କର ମୃତ୍ୟୁ ହୋଇଛି । ୩୮ ଜଣ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ତଥାପି ଏହା ପଛରେ ବଲୁଚିସ୍ତାନ ଲିବରେସନ ଆର୍ମିର ହାତ ଥିବା ପାକିସ୍ତାନ ସୁରକ୍ଷା ଏଜେନ୍ସିଂ ଆନୁମାନ କରୁଛନ୍ତି । କାରଣ ପୂର୍ବରୁ ଅନେକ ଥର ବଲୁଚି ବିଦ୍ରୋହୀ ପାକିସ୍ତାନ ସେନା ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣରେ ଉଡାଇ ଦେଇଛନ୍ତି ।
ଦେଶ ବିରୋଧରେ ଷଡଯନ୍ତ୍ର- ପାକିସ୍ତାନ ଗୃହମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ ସେୟାର କରିଛି । ମୋହସିନ୍ ନକଭି ଏହି ଆକ୍ରମଣକୁ ନିନ୍ଦା କରି ନିଷ୍ପାପ ଶିଶୁଙ୍କ ପ୍ରତି ବର୍ବରତା ବୋଲି କହିଛନ୍ତି । ଶତ୍ରୁ ନୀରିବ ଶିଶୁଙ୍କୁ ଟାର୍ଗେଟ କରିଛନ୍ତି । ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଘୃଣ୍ୟ ଷଡଯନ୍ତ୍ର ହୋଇଛି । ଯିଏ ବି ଏହି ଘଟଣା ପାଇଁ ଦାୟୀ ତଙ୍କୁ କଠୋର ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି ।
କହି ରଖୁଛୁ କି, ବଲୁଚିସ୍ତାନ ସହ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ପାକିସ୍ତାନଠୁ ଅଲଗା ହୋଇ ଅଲଗା ଦେଶ ହେବାକୁ ଚାହୁଁଛି । ବଲୁଚିସ୍ତାନରେ ଅନେକ ସମୟ ଧରି ଆତଙ୍କବାଦୀ ଗତିବିଧି ଜାରି ରହିଛି । ଭାରତ ଓ ପକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ବଲୁଚିସ୍ତାନ ପାକ୍ ସେନାକୁ ଟାର୍ଗେଟ କରିଥିଲା ।