ନୂଆଦିଲ୍ଲୀ,୧୨/୦୭: ଏଲନ୍‌ ମସ୍କ୍‌ଙ୍କ ଇ-ଯାନ କମ୍ପାନି ଟେସ୍‌ଲା ଜୁଲାଇ ୧୫ରେ  ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି । ଏ ଷ୍ଟୋର ମୁମ୍ବାଇରେ ଖୋଲିବ ଏବଂ  ଲୋକଙ୍କ ପାଇଁ ଏହା ଏକ ଏକ୍ସପେରିଏନ୍ସ ଷ୍ଟୋର  ଭାବେ କାର୍ଯ୍ୟ କରିବ । ଅର୍ଥାତ୍‌ ଏଠାରେ କେବଳ  ଗାଡ଼ି ବିକ୍ରି କରାଯିବ ନାହିଁ ତା’ସହିତ ଲୋକେ  ଟେସ୍‌ଲାର ଟେକ୍ନୋଲୋଜି ଏବଂ ଫିଚର୍‌କୁ ମଧ୍ୟ  ଅତି ନିକଟରୁ ଦେଖିପାରିବେ । ଏକ ଗଣମାଧ୍ୟମ  ସୂତ୍ରରୁ ଏହା ଜଣାପଡ଼ିଛି । 

କମ୍ପାନି ନିକଟରେ ମୁମ୍ବାଇର ବାନ୍ଦ୍ରା କୁର୍ଲା  କମ୍ପେ୍ଲକ୍ସରେ ୪,୦୦୦ ବର୍ଗ ଫୁଟ୍‌ର ରିଟେଲ୍‌ ସ୍ପେସ୍‌  ପାଇଁ ଲିଜ୍‌ ସ୍ୱାକ୍ଷର କରିଥିଲା । ଏହା ସହରସ୍ଥିତ  ଆପଲ୍‌ର ଫ୍ଲାଗ୍‌ସିପ୍‌ ଷ୍ଟୋର ପାଖରେ ରହିଛି ।  ପ୍ରଥମ ପର୍ଯ୍ୟାୟରେ ଟେସ୍‌ଲା ଏହାର ମଡେଲ୍‌ ୱାଇ  ଏସ୍‌ୟୁଭିକୁ ଆଣୁଛି, ଯାହାକୁ ସାଂଘାଇ ଫ୍ୟାକ୍ଟ୍ରିରୁ  ଆମଦାନି କରାଯାଇଛି । ଭାରତରେ ଏହାର ମୂଲ୍ୟ  ପାଖାପାଖି ୪୮ ଲକ୍ଷ ଟଙ୍କା ରହିପାରେ । 

ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ,  ଚୀନ୍‌ର ସାଂଘାଇ ଫ୍ୟାକ୍ଟ୍ରିରୁ ୫ଟି ମଡେଲ ୱାଇ  ଗାଡ଼ି ପୂର୍ବରୁ ମୁମ୍ବାଇର ଟେସ୍‌ଲା ସୋ’ରୁମ୍‌ରେ ପହଞ୍ଚିସାରିଛି । ଟେସ୍‌ଲାର ଏହି ଗାଡ଼ିଗୁଡ଼ିକର  ମୂଲ୍ୟ ୨୭.୭ ଲକ୍ଷ ଟଙ୍କା ଏବଂ ଏହା ଉପରେ  ୨୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆମଦାନି ଶୁଳ୍କ ଲଗାଯିବା  ପରେ ଦର ୪୮ ଲକ୍ଷ ହୋଇଯିବ ।  

ଏହି ଟିକସ ଭାରତର ଉକ୍ତ ୭୦% ଟିକସ  ହିସାବରେ ଲାଗୁ ହେବ, ଯାହା ୪୦,୦୦୦  ଡଲାରରୁ କମ୍‌ ମୂଲ୍ୟର ଆମଦାନି ହେଉଥିବା ଗାଡ଼ିଗୁଡ଼ିକ ଉପରେ ଲାଗିଥାଏ । ଏଥିରେ ଅତିରିକ୍ତ  ଶୁଳ୍କ ବି ସାମିଲ ଅଛି । ନିକଟରେ ଭାରତରେ ନିଜର ନେତୃତ୍ୱ  ପରିବର୍ତ୍ତନ ସତ୍ତେ୍ୱ ଟେସ୍‌ଲା ଏହାର ଯୋଜନା  ଅନୁସାରେ ଗାଡ଼ିର ଲଞ୍ଚିଂ ନେଇ ଆଗକୁ ଅଗ୍ରସର  ହେଉଛି । କମ୍ପାନିର ଭାରତ ମୁଖ୍ୟ ପ୍ରଶାନ୍ତ ମେନନ  ୯ ବର୍ଷର ସେବା ପରେ ଗତ ମାସ ଇସ୍ତଫା  ଦେଇଛନ୍ତି । ବ୍ଲୁମ୍‌ବର୍ଗ ଅନୁସାରେ, ବର୍ତ୍ତମାନ  ଟେସ୍‌ଲାର ଚୀନ୍‌ସ୍ଥିତ ଟିମ୍‌ ଭାରତୀୟ କାରବାରକୁ ପରିଚାଳନା କରୁଛି ଏବଂ ଏଯାବତ୍‌ କୌଣସି ନୂଆ  ଉତ୍ତରାଧିକାରୀ ନିଯୁକ୍ତ ହୋଇନାହାନ୍ତି ।  କମ୍ପାନିର ମଡେଲ ୱାଇ ବିଶ୍ୱର ବିକ୍ରିବହୁଳ ଇଲେକ୍ଟ୍ରିକ୍‌ କାର । ଏହା ଭାରତୀୟ ଗ୍ରାହକଙ୍କୁ ପସନ୍ଦ  ଆସିପାରେ । 

କମ୍ପାନି ଆମେରିକା, ଚୀନ୍‌ ଏବଂ  ନେଦର୍‌ଲାଣ୍ଡ୍‌ରୁ ସୁପର୍‌ଚାର୍ଜର କମ୍ପୋନେଣ୍ଟ, କାର୍‌  ଆସେସରିଜ୍‌, ମର୍ଚ୍ଚାଣ୍ଡାଇଜ୍‌ ଏବଂ ସ୍ପେୟାର୍‌ ପାର୍ଟସ ଆମଦାନି କରିଛି । ଟେସ୍‌ଲା ଭାରତ ଆସିବାର  ପ୍ରମୁଖ କାରଣ ହେଉଛି ଭାରତ ବିଶ୍ୱର ତୃତୀୟ  ବୃହତ୍‌ ଅଟୋମୋବାଇଲ ବଜାର । କମ୍ପାନିକୁ  ୟୁରୋପ ଏବଂ ଚୀନ୍‌ରେ ବିକ୍ରି ହ୍ରାସର ସାମ୍ନା  କରିବାକୁ ପଡ଼ିଥିବାବେଳେ ଭାରତ ଏହା ପାଇଁ  ଏକ ବଡ଼ ସୁଯୋଗ ସାବ୍ୟସ୍ତ ହୋଇପାରେ ।