- ପୁସ୍ତକ ଉତ୍ପାଦନ, ବିକ୍ରିୟ ନିର୍ଦ୍ଦେଶାଳୟକୁ ଘରୋଇ ପ୍ରେସ୍ ଭରସା
- କୋଟି କୋଟି ଟଙ୍କାର ପ୍ରିଣ୍ଟିଂ ମେସିନ୍ ସର୍ତ୍ତ୍ବେ ଘରୋଇ ସଂସ୍ଥାକୁ କାମ
- କାମ କରୁନି ପ୍ରୁଫ୍ ରିଡିଂ ସେକ୍ସନ
- କର୍ମଚାରୀ, ଭିତ୍ତିଭୂମି ଅଭାବ ଦର୍ଶାଇ ବାହାରେ ହେଉଛି ମୁଦ୍ରଣ
- ୨୦୧୨ରେ ହୋଇଥିଲା ପ୍ରେସ୍ର ନବକଳେବର
- ଆଗରୁ ୩ଟି ସିଫ୍ଟ ସ୍ଥାନରେ ଏବେ ୨ଟି ସିଫ୍ଟରେ ହେଉଛି ଛପା
- ଗୋଟିଏ ସିଫ୍ଟରେ ୨୦ହଜାର ପୁସ୍ତକ ଉତ୍ପାଦନ କ୍ଷମତା ଥିବା ମେସିନ୍ ରହିଛି
ଭୁବନେଶ୍ବର, ୨୧/୦୬: ସରକାରଙ୍କ ନଜସ୍ବ ପ୍ରେସ୍ ରହିଛି କୋଟି ଟଙ୍କାର ଅତ୍ୟାଧୁନିକ ପ୍ରିଣ୍ଟିଂ ମେସିନ୍ ରହିଛି । ହେଲେ ପ୍ରତିବର୍ଷ କୋଟି କୋଟି ପାଠ୍ୟପୁସ୍ତକର ମୁଦ୍ରଣ ଭାର ଘରୋଇ ସଂସ୍ଥାକୁ ଟେକି ଦିଆଯାଉଛି । ସରକାରୀ ବହିର ଆବଶ୍ୟକତାର ମାତ୍ର ୨୦ ପ୍ରତିଶତ ଏଠାରେ ଛପା ଯାଉଛି । ଏଠାରେ ରହିଥିବା ପ୍ରୁଫ୍ ରିଡିଂ ସେକ୍ସନ୍ ବି ଏକ ପ୍ରକାର ବନ୍ଦ ହୋଇଯାଇଛି । ଏସ୍ସିଇଆର୍ଟିରୁ ପ୍ରସ୍ତୁତ ହୋଇ ସିଡି ବା ପେନ୍ ଡ୍ରାଇଭ୍ରେ ଆସୁଥିବା ପାଠ୍ୟପୁସ୍ତକକୁ ପ୍ରୁଫ୍ ରିଡିଂ ନକରି ସିଧାସଳଖ ଛପାଯାଉଛି । ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଭୁଲ ମଧ୍ୟ ଏହାର ଏକ କାରଣ ବୋଲି ଅଭିଯୋଗ ହେଉଛି । ସୂଚନାଯୋଗ୍ୟ, ୧୯୬୨ରେ ରାଜ୍ୟ ସରକାର ଖାରବେଳନଗର ଠାରେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍) ପ୍ରତିଷ୍ଠା କରିଥିଲେ । ୧୯୭୮ ମସିହାରେ ପ୍ରିଣ୍ଟିଂ ପ୍ରେସ୍ ବ୍ୟବସ୍ଥା ଏଠାରେ ହେଲା । ଏହି ସଂସ୍ଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମଧ୍ୟ ରହିଛି । ଉଦ୍ଦେଶ୍ୟ ଥିଲା, ସରକାରୀ ବିଦ୍ୟାଳୟ ପାଇଁ ଆବଶ୍ୟକ ପାଠ୍ୟପୁସ୍ତକ ଛପାଯିବ । ହେଲେ ଏହି ସଂସ୍ଥାକୁ କୋମାକୁ ନେବାକୁ ଏକ ପ୍ରକାର ଷଡ଼ଯନ୍ତ୍ର ହେଉଛି । ଅର୍ଥାତ୍ ବହୁ ମୂଲ୍ୟର ପ୍ରିଣ୍ଟିଂ ମେସିନ୍ ଥିବା ସତ୍ତେ୍ୱ କର୍ମଚାରୀ ଅଭାବ ଓ ଭିତ୍ତିଭୂମିର ଅଭାବ ଦର୍ଶାଇ ୮୦ ପ୍ରତିଶତ ପୁସ୍ତକ ମୁଦ୍ରଣ କାର୍ଯ୍ୟକୁ ଘରୋଇ ପ୍ରେସ୍ ସଂସ୍ଥା ହାତକୁ ଖୋଦ୍ ଏହି ଟିବିପିଏମ୍ ଟେକି ଦେଉଛି । ଏଠାରେ ଥିବା ପ୍ରୁଫ୍ ରିଡିଂ ସେକ୍ସନ ବାବଦରେ ସମସ୍ତେ ଅନଭିଜ୍ଞ । ସେଠାରେ ବରିଷ୍ଠ ରିଡର, କନିଷ୍ଠ ରିଡରଙ୍କ ସମେତ କପି ହୋଲଡର ଓ ଆଟେଣ୍ଡାଣ୍ଟ ରହିବା କଥା । ମାତ୍ର ଏମାନେ ଅଛନ୍ତି କି ନାହିଁ କାହାକୁ ଜଣାନାହିଁ ।
ଏସ୍ସିଇଆର୍ଟିରୁ ଯାହା ସବୁ ଛପା ହେବାକୁ ସିଡିରେ ଆସୁଛି ତାହାକୁ କୌଣସି ରିଡର ପଢ଼ୁନାହାନ୍ତି କି ପ୍ରୁଫ୍ ରିଡିଂ କରୁନାହାନ୍ତି, ସିଧାସଳଖ ପ୍ଲେଟ୍ କରି ଛାପିବାକୁ ପଠାଇ ଦେଉଛନ୍ତି । ଯାହା ଜଣାପଡ଼ିଛି, ଏହି ଟିବିପିଏମ୍ ୧୯ ଏକର ଜମିରେ ରହିଛି । ଏଠାରେ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ସମେତ ମୁଦ୍ରଣ ପାଇଁ ପ୍ରିଣ୍ଟିଂ ମେସିନ୍, ପୁସ୍ତକ ରଖିବା ପାଇଁ ଗୃହ ସହ ଷ୍ଟାଫ୍ କ୍ୱାର୍ଟର୍ସ ରହିଛି । ମୁଦ୍ରଣ ଆରମ୍ଭ ସମୟରେ ୧୬ଟି ଲେଟର ମେସିନ୍ ସହ ୨୫ ଲକ୍ଷ ନୋଟ୍ ବୁକ୍ ଛାପିବାର କ୍ଷମତା ଥିଲା । ୧୯୭୮ରେ ଏତେମାତ୍ରାରେ ଏଠାରେ ଛପାର ଭାର ନଥିଲା । ବର୍ତ୍ତମାନ ପ୍ରତିବର୍ଷ ଉଭୟ ସରକାରୀ ଓ ଘରୋଇ ସ୍କୁଲକୁ ମିଶାଇ ସରକାର ୪ରୁ ୫ କୋଟି ମାଗଣା ପୁସ୍ତକ ବଣ୍ଟନ କରୁଛନ୍ତି ।
ମୁଦ୍ରଣକୁ ଅଧିକ ସରଳ ଓ ଅଧିକ ମାତ୍ରାରେ ଉତ୍ପାଦନ କିପରି ହୋଇପାରିବ ସରକାର ୨୦୧୨ ମସିହାରେ ଏହି ଟିବିପିଏମ୍ର ନବକଳେବର କରିଛନ୍ତି । ହାଇ ପ୍ରିଣ୍ଟିଂ ମେସିନ୍, କମ୍ପ୍ୟୁଟର ଟୁ ପ୍ଲେଟ୍ ମେସିନ୍, ଫୋର୍କଲିଫ୍ଟ ମେସିନ୍, ୱେବ୍ ଅପ୍ସେଟ୍ ମେସିନ୍ ସହ ବାଇଣ୍ଡିଂ ମେସିନ୍ ଆଣି ସ୍ଥାପନ କରିଛନ୍ତି । ୨.୩୮ କୋଟି ଟଙ୍କାରେ ବ୍ୟୟରେ ବହି ଛପା, କଟିଂ, ବାଇଣ୍ଡିଂ ଓ ପ୍ୟାକିଂ ପାଇଁ ୫ଟି ଅତ୍ୟାଧୁନିକ ମେସିନ୍ ସ୍ଥାପନ କରାଯାଇଛି । ଏଥିରୁ କେବଳ ୧ କୋଟି ୮୦ ଲକ୍ଷ ଟଙ୍କାରେ ୨ଟି ଅପସେଟ୍ ମଲ୍ଟି କଲର ପ୍ରିଣ୍ଟିଂ ମେସିନ୍ ସ୍ଥାପିତ କରାଯାଇଛି । ଏହି ଅପସେଟ୍ ମେସିନ୍ ଘଣ୍ଟାକୁ ୨୦ ହଜାର ବହି ଛାପିପାରିବ ।
ସୂଚନାଯୋଗ୍ୟ, ଏଠାରେ ୬୪୨ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ହେଲେ ମାତ୍ର ୨୦୦ଜଣ କର୍ମଚାରୀରେ ସଂସ୍ଥା ଚାଲିଛି । ପୁଣି ସେଥିରୁ ଅଧିକାଂଶ ମେସିନ୍ ଚାଳକ, ବାଇଣ୍ଡର (ବହି ବନେ୍ଧଇ) ଓ ଆଟେଣ୍ଡାଣ୍ଟ ପଦବି ଖାଲି ରହଛି । ନିୟମତି କମଚାରୀଙ୍କୁ ଛାଡ଼ି ଆଉଟ୍ ସୋର୍ସିଂ କର୍ମଚାରୀ ସରକାରୀ ପ୍ରିଣ୍ଟିଂ ପ୍ରେସ୍ ପାଇଁ ଭରସା । ଜଣେ କର୍ମଚାରୀ କହିଛନ୍ତି, ଆଗରୁ ଏହି ପ୍ରେସ୍ରେ ୩ଟି ସିଫ୍ଟରେ ଛପା କାର୍ଯ୍ୟ ହେଉଥିଲା । ମାତ୍ର ଏହାକୁ ୨ଟି ସିଫ୍ଟ କରାଯାଇଛି । ଗୋଟିଏ ସିଫ୍ଟରେ ୨୦ ହଜାର ଅର୍ଥାତ୍ ଦିନକୁ ଯେଉଁଠି ୬୦ ହଜାର ପୁସ୍ତକ ଛପାଯାଉଥିଲା, ସେଠାରେ ଏବେ ଦୁଇଟି ସିଫ୍ଟରେ ୪୦ ହଜାର ପୁସ୍ତକ ଉତ୍ପାଦନ ହେଉଛି । ମୁଦ୍ରିତ ପାଠ୍ୟପୁସ୍ତକ ରଖିବା ପାଇଁ ଭିତ୍ତିଭୂମିର ଅଭାବ ରହିଛି । ସରକାର ନିଜସ୍ୱ ସରକାରୀ ପଣ୍ଟ୍ରିଂ ପ୍ରେସର ଅତ୍ୟାଧୁନକି ମେସନି, ଉପକରଣ ଥାଇ ମଧ୍ୟ କର୍ମଚାରୀ ଅଭାବ ଓ ଆନ୍ତରିକତା ଅଭାବରୁ ଘରୋଇ ପ୍ରେସ୍କୁ ଏହି କାର୍ଯ୍ୟଭାର ଦେଉଛନ୍ତି । ବର୍ଷକୁ ପାଖାପାଖି ୨୦୦ ଘରୋଇ ପ୍ରେସ୍ରେ ସରକାରୀ ପାଠ୍ୟପୁସ୍ତକ ଛପାଯାଉଛି । ୮୦ ପ୍ରତିଶତ ପାଠ୍ୟପୁସ୍ତକ ଘରୋଇ ପ୍ରେସ୍ମାନଙ୍କରେ ଛପାଯାଉଛି । ୧୫୦ରୁ ଅଧିକ ପ୍ରେସ୍ ପ୍ରତିବର୍ଷ ପାଠ୍ୟପୁସ୍ତକ ଛାପିବା ପାଇଁ କାମ ପାଉଛନ୍ତି । କିନ୍ତୁ ସରକାର ଆଣିଥିବା କୋଟି କୋଟି ଟଙ୍କା ମେସିନ୍କୁ ବ୍ୟବହାର କରି ତାର ଫାଇଦା ନେଇପାରୁନାହାନ୍ତି । ଏହି ପ୍ରେସ୍ଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କର୍ମଚାରୀ ଅଭାବ, ଭିତ୍ତିଭୂମି ଅଭାବରୁ ବାହାର ପ୍ରେସ୍ରେ ଛପାଯାଉଛି ।