ନୂଆଦିଲ୍ଲୀ: ମେଡିସନ୍‌, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପରେ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ଦକ୍ଷିଣ କୋରିଆର ବିଶିଷ୍ଟ ଲେଖିକା ହାନ୍ କାଙ୍ଗ୍ । ହାନ୍‌ କାଙ୍ଗ ଦକ୍ଷିଣ କୋରିଆର ନାଗରିକ ହୋଇଥିବା ବେଳେ ତାଙ୍କୁ ଚଳିତ ବର୍ଷ ସମ୍ମାନସ୍ପଦ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ । 

ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି । ତାଙ୍କ ଗଦ୍ୟ ମାନବ ଜୀବନର ଆଘାତ ଏବଂ ଜଟିଳତାକୁ ଉଜାଗର କରିଥାଏ । ଦକ୍ଷିଣ କୋରିଆର ଗ୍ବାଙ୍ଗଜୁ ପ୍ରଦେଶରେ ୧୯୭୦ରେ ଜନ୍ମଗ୍ରହଣ କରିଥିଲେ ହାନ୍‌ କାଙ୍ଗ । ନିଜର ସଶକ୍ତ ଲେଖା ଲାଗି ତାଙ୍କୁ ବିଶ୍ବସ୍ତରରେ ପରିଚୟ ମିଳିଛି । ତାଙ୍କର ସବୁ ଲେଖା ବ୍ୟକ୍ତିଗତ ଏବଂ ସାମୂହିକ ଆଘାତ ମଧ୍ୟରେ ଥିବା ସମ୍ବନ୍ଧ ଉପରେ କେନ୍ଦ୍ରୀତ । ଐତିହାସିକ ଘଟଣାରୁ ପ୍ରେରଣା ନେବା ସହ ଏହାର ବ୍ୟକ୍ତି ଏବଂ ସାମାଜ ଉପରେ ଥିବା ସ୍ଥାୟୀ ପ୍ରଭାବ ଉପରେ ଆଲୋକପାତ କରି ଚର୍ଚ୍ଚାକୁ ଆସିଛନ୍ତି ହାନ୍‌ କାଙ୍ଗ । 

ସାହିତ୍ୟ ସହିତ ହାନ୍‌ କାଙ୍ଗଙ୍କ ପୈତୃକ ସମ୍ପର୍କ ରହିଛି । ଅର୍ଥାତ୍ ତାଙ୍କ ବାପା ଜଣେ ପ୍ରଖ୍ୟାତ ଔପନ୍ୟାସିକ। ହାନ୍‌ କାଙ୍ଗ ୧୯୯୩ରେ ମୁହ୍ନାକ-ଗ୍ୱା-ସାହୋ (ସାହିତ୍ୟ ଏବଂ ସମାଜ) ଶୀତକାଳୀନ ଏଡିସନରେ "ୱିଣ୍ଟର ଇନ ସିଓଲ୍‌" ନାଁରେ ପାଞ୍ଚଟି କବିତା ପ୍ରକାଶ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ସାହିତ୍ୟିକ ଜୀବନ। ୧୯୯୪ରେ ସେ ରେଡ୍ ଆଙ୍କର ନାଁରେ ପ୍ରଥମ ଉପନ୍ୟାସ ଲେଖିଥିଲେ। ସେହିପରି ୧୯୯୫ରେ ‘ୟେଓସୁ’ ନାମକ ପ୍ରଥମ ଲଘୁ କାହାଣୀ ଲେଖିଥିଲେ । ୨୦୧୪ରେ ତାଙ୍କ ଦ୍ବାରା ଲିଖିତ ‘ହ୍ୟୁମାନ ଆକ୍ଟସ୍’ ହାନ କାଙ୍ଗଙ୍କୁ ବିଶ୍ବରେ ପରିଚିତ କରାଇଥିଲା ।  ତେବେ ଏହା ପୂର୍ବରୁ ୨୦୧୬ରେ ମ୍ୟାନ୍‌ ବୁକର ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଥିଲେ ହାନ୍‌ କାଙ୍ଗ । 


ନୋବେଲ୍ ପ୍ରାଇଜର ନିୟମ ଅନୁସାରେ, ଅକ୍ଟୋବର ୭ରୁ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଉଛି । ବର୍ତ୍ତମାନ ସୁଦ୍ଧା ମେଡିସିନ, ଫିଜିକ୍ସ ଏବଂ କେମିଷ୍ଟ୍ରି ପାଇଁ ବିଜେତାଙ୍କ ନାମ ଘୋଷଣା ସରିଛି । ଆଜି ସାହିତ୍ୟରେ ହାନ୍ କାଙ୍ଗଙ୍କ ଲାଗି ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।