ବିଧାନସଭା ଦେଖିଲା ଆଉ ଲେଖିଲା ନୂଆ ଅଧ୍ୟାୟ । ଅଭାବନୀୟ ସ୍ଥିତି ଦେଖି ଅପବାଦ ମୁଣ୍ଡାଇଲା । ମହାମହିମଙ୍କ ଐତିହାସିକ ଆଗମନ ଓ ଅଭିଭାଷଣର ସାକ୍ଷୀ ହେଲା । ସ୍ୱର୍ଣ୍ଣିମ ଇତିହାସ ବି ଯୋଡ଼ିଲା । ୨୦୨୫ ଓଡ଼ିଶା ବିଧାନସଭା ପାଇଁ ଚିରକାଳ ସ୍ମରଣୀୟ ହୋଇ ରହିବ ।
ପ୍ରସ୍ତୁତି: ମୁକେଶ ପରିଡ଼ା, ରାମଜୀବନ ଗୋଛାୟତ
ଦରମା ପାଇଁ ସବୁ ଏକ
ଆରମ୍ଭରୁ ତତଲା । ତଗଡ଼ା ପ୍ରସଙ୍ଗ ଧରି ଧମାଧମ ଆକ୍ରମଣ କରୁଥିଲେ ବିରୋଧୀ ଦଳ । ବିଧାନସଭା ଉଠୁଥିଲା ପଡ଼ୁଥିଲା, କମ୍ପୁଥିଲା । ବିରୋଧୀ ଦଳ ବିଧାୟକଙ୍କ ଗର୍ଜନ ବିଧାନସଭା ସରହଦ ଡେଇଁ ସଚିବାଳୟ ସଡ଼କକୁ ବି ତତାଇ ଦେଇଥିଲା । ଲମ୍ବା ବଜେଟ ଅଧିବେଶନ ଏମିତି କମ୍ପିଲା, ଲାଗିଲା ବିରୋଧୀ କିଛି ବି ପ୍ରସଙ୍ଗ ଛାଡ଼ିବେ ନାହିଁ । କିନ୍ତୁ, ଋତୁ ଗଡ଼ିବା ସହ ନରମିଲେ ବିରୋଧୀ । ମାର୍ଚ୍ଚର ବଜେଟ ଅଧିବେଶନ ତାତି ସେପ୍ଟେମ୍ବର ମୌସୁମୀ ଅଧିବେଶନ ବେଳକୁ ସାମାନ୍ୟ କମିଥିଲା । ଶୀତ ଆସୁ ଆସୁ ପୂରା ଥଣ୍ଡା ପଡ଼ିଗଲେ ବିରୋଧୀ ଦଳ । ଶୀତ ଅଧିବେଶନରେ ନା କଂଗ୍ରେସ ନା ବିଜେଡି, କାହାରି ସ୍ୱର ଶାଣିତ ନଥିଲା । ନାରୀ ନିର୍ଯାତନା, ସଂରକ୍ଷଣ ପ୍ରସଙ୍ଗରେ ଯେଉଁ ବିରୋଧୀ ସଭ୍ୟମାନେ ଆକାଶ ପାତାଳ ଏକ୍ କରି ଦେଉଥିଲେ, ବର୍ଷ ଶେଷକୁ ଏକଦମ୍ କାଲୁଆ ପଡ଼ି ଯାଇଥିଲେ । ସବୁ ପ୍ରସଙ୍ଗକୁ ମୋଡ଼ି ମକଚି ଫିଙ୍ଗିଦେଲେ । ଶୀତକାଳୀନ ଅଧିବେଶନ ସମୟରେ ନାଁକୁ କିଛି ପ୍ରମୁଖ ପ୍ରସଙ୍ଗ ଉଠାଇ ହାଲୁକା ସ୍ୱରରେ ନିଜ ଉପସ୍ଥିତି ଜାହିର କରିଥିଲେ ବିରୋଧୀ ଦଳ । ମୂଳ ଲକ୍ଷ୍ୟ ଥିଲା ଶୀତ ଅଧିବେଶନରରେ ବର୍ଦ୍ଧିତ ବେତନ ଓ ଭତ୍ତା ବିଲ୍ ପାସ୍ କରିବା । ସ୍ୱରରେ ସ୍ୱର ମିଶାଇ ଏକ୍ ହୋଇଗଲେ ଶାସକ-ବିରୋଧୀ ଦଳ । ନିଜ ଦରମା କଥା ଉଠିବା ମାତ୍ରେ ସବୁ ପ୍ରସଙ୍ଗକୁ ପାସୋରି ଦେଲେ । ବାଜିଲା ସର୍ବସମ୍ମତି ମୋହର । ଅହେତୁକ ଦରମା, ଭତ୍ତା ବୃଦ୍ଧି ବିଲ୍ ପାସ୍ ହେଲା । ଗଦଗଦ ହୋଇଗଲେ ସବୁ ଦଳର ବିଧାୟକ । ଶୀତ ଅଧିବେଶନ ୧୮ ଦିନ ଆଗରୁ ସରିଲେ ବି କେହି ଉଁ କି ଚୁଁ କଲେନି । ସାଧାରଣରେ ଚର୍ଚ୍ଚା ହେଲା-କୁଆଡ଼େ ଗଲେ ବଜେଟ ଅଧିବେଶନ ବେଳର ଟାଣୁଆ ବିରୋଧୀ ଦଳ? ଶୀତ ଅଧିବେଶନରେ ବିରୋଧୀ ଦଳ କ’ଣ ସରକାରଙ୍କ ସହଯୋଗୀ ଦଳ ପାଲଟିଗଲେ କି? ନିଜ ଦରମା ବୃଦ୍ଧି ପାଇଁ ମାଲକାନଗିରି, ଧାନ ମଣ୍ଡି ସମସ୍ୟା, ନିଯୁକ୍ତି ବିଭ୍ରାଟ ଭଳି ପ୍ରସଙ୍ଗ କ’ଣ ଗୌଣ ହୋଇଗଲା?
ସ୍ୱାଗତମ୍ ମହାମହିମ
ନଭେମ୍ବର ୨୭, ୨୦୨୫ । ଓଡ଼ିଶା ବିଧାନସଭା ଇତିହାସ ପାଇଁ ଚିରସ୍ମରଣୀୟ ହୋଇ ରହିଗଲା । ବିଧାନସଭାର ନଥିରେ ଯୋଡ଼ି ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ । ଗଣତନ୍ତ୍ର ମନ୍ଦିରର ପବିତ୍ର ଗୃହରେ ପାଦ ରଖିଲେ ମହାମହିମ ରାଷ୍ଟ୍ରପତି ତଥା ଆମ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ବିଧାୟକମାନଙ୍କୁ ଶୃଙ୍ଖଳା ଓ ଦାୟିତ୍ୱବୋଧର ଶିକ୍ଷା ଦେଲେ । ସଂଯମତାର ଶିକ୍ଷା ଦେଇ ଜନତାଙ୍କ ରୋଲ୍ ମଡେଲ ହେବାକୁ ପରାମର୍ଶ ଦେଲେ । କହିଲେ, ନାଗରିକଙ୍କ ସ୍ୱପ୍ନକୁ ସାକାର କରନ୍ତୁ । ଜନପ୍ରତିନିଧି ଉଚ୍ଚାରଣ, ଆଚରଣରେ ସଂଯମତା ରକ୍ଷା କରିବା ଉଚିତ । ଆହ୍ୱାନ ଦେଇ କହିଲେ, ରାଷ୍ଟ୍ର ସର୍ବୋପରି ମନୋଭାବ ନେଇ ଏକାଠି କାମ କରନ୍ତୁ । ବିଧାନସଭାର ସେଇ ପୁରୁଣା ପ୍ରକୋଷ୍ଠ ଓ ସହକର୍ମୀଙ୍କ ଗହଣରେ କିଛି ସମୟ ବିତାଇବା ସହ ପୁରୁଣା ଦିନର ସ୍ମୃତି ମନେ ପକାଇଥିଲେ ରାଷ୍ଟ୍ରପତି ।
ନବୀନଙ୍କ ଉପସ୍ଥିତି କମ୍
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥର ବିଧାନସଭାରେ ବହୁ କମ୍ ସମୟ ଉପସ୍ଥିତ ରହିଛନ୍ତି । ହାତଗଣତି କିଛି ଆଲୋଚନାରେ ଭାଗ ନେଇଛନ୍ତି । ଗତ ଶୀତ ଅଧିବେଶନରେ ନବୀନଙ୍କ ଅନୁପସ୍ଥିତିକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଗୃହରେ ବିରୋଧୀ ଦଳ ନେତାଙ୍କର ୨ ମିନିଟ ବସିବାର ଧୈର୍ଯ୍ୟ ନାହିଁ । ହେଲେ ନିର୍ବାଚନ ପ୍ରଚାରକୁ ଘଣ୍ଟା ଘଣ୍ଟା ଯାଉଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ
ବିରୋଧୀ ଦଳ ଯାହା ବି ପ୍ରଶ୍ନ ଉଠାଉଥିଲେ, ବିଧାନସଭାରେ ତା’ର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୋଟିଏ ଗୋଟିଏ କରି ସବୁ ପ୍ରଶ୍ନର ଜବାବ ଦେଇ ବିରୋଧୀଙ୍କୁ ଚୁପ କରାଇ ଦେଉଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଉଦ୍ଦେଶ୍ୟରେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ କହୁଥିଲେ, ଆପଣମାନେ ଭଲ ପ୍ରସ୍ତାବ ଦେଉଛନ୍ତି । ହେଲେ ସରକାରରେ ଥିବାବେଳେ କାହିଁକି କାର୍ଯ୍ୟକାରୀ କରୁନଥିଲେ? ସେତେବେଳେ କହିବାର ସ୍ୱାଧୀନତା ନ ଥିଲା । ଆମ ସରକାର ଉପରେ ସମସ୍ତେ ଆସ୍ଥା ପ୍ରକଟ କରୁଛନ୍ତି । ସରକାର ଯଦି କିଛି ଭଲ କାମ କରୁଛନ୍ତି, ପ୍ରଶଂସା କରିବାର ସତ ସାହସ ରଖନ୍ତୁ।
ସବୁବେଳେ ରାଜା, ଅରୁଣ, ଗଣେଶ୍ୱର
ଯାହା ବି ପ୍ରସଙ୍ଗ ହେଉ, ପ୍ରମୁଖ ବିରୋଧୀ ଦଳ ବିଜେଡିରୁ ତିନି ଅଭିଜ୍ଞଙ୍କୁ ଦେଖିବାକୁ ମିଳେ । ସବୁଠାରୁ ଅଭିଜ୍ଞ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଏବଂ ଗଣେଶ୍ୱର ବେହେରା । ଏହି ତିନି ନେତା ଦଳର ସ୍ୱରକୁ ଗୃହରେ ଉପସ୍ଥାପନ କରିଛନ୍ତି ପ୍ରାୟତଃ । ରାତି ତମାମ ବିଲ୍ ଆଲୋଚନାବେଳେ ବି ଏହି ତ୍ରିମୁଖୀ ଯୋଡ଼ି ସରକାରଙ୍କୁ ବେଶ୍ ନୟାନ୍ତ କରିଥିଲେ । ରଣେନ୍ଦ୍ରଙ୍କ ଠୋଠା ଆକ୍ରମଣାତ୍ମକ ବକ୍ତବ୍ୟ, କବିତା ଛଳରେ ଅରୁଣଙ୍କ ତେର୍ଛା ସମାଲୋଚନା ଓ ଗଣେଶ୍ୱରଙ୍କ ଲମ୍ବା କଥନ ବେଶ୍ ଚର୍ଚ୍ଚା ସାଉଁଟିଛି । ଶୀତ ଅଧିବେଶନରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ କେତେକ ପ୍ରମୁଖ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ।
ଧସ୍ତାଧସ୍ତି, ନିଲମ୍ବନ, ହାଇଡ୍ରାମା
ନାରାବାଜି, ହଟ୍ଟଗୋଳ ବିଧାନସଭାରେ ନୂଆ ନୁହେଁ । ବିରୋଧୀ ଦଳରୁ ଅଭିଯୋଗ ବର୍ଷିଲେ, ଶାସକ ଦଳ କ୍ୟାମ୍ପରୁ ବି ଜବାବୀ ଆକ୍ରମଣରେ ଅଭିଯୋଗର ପାହାଡ଼ ଛିଡ଼ା ହୁଏ । କିନ୍ତୁ, ଏଥର ସୀମା ଟପିଗଲେ ଉଭୟ ବିରୋଧୀ ଓ ଶାସକ ଦଳ । ଡେଇଁଗଲେ ଶୃଙ୍ଖଳାର ଲକ୍ଷ୍ମଣ ଗାର । ଏ ବର୍ଷ ବଜେଟ ଅଧିବେଶନରେ କଥା କଟାକଟିରୁ ଠେଲାପେଲା ସ୍ଥିତି ଉପୁଜିଲା । ଗୃହ ମୁଲତବୀ ପରେ ବି କେହି ଥମୁନଥିଲେ । ବରଂ ବଢ଼ିଥିଲା ଠେଲାପେଲା, ଧସ୍ତାଧସ୍ତି । କଂଗ୍ରେସ ଓ ବିଜେପି ସଭ୍ୟ ଯେମିତି ମୁହାଁମୁହିଁ ଅବସ୍ଥାରେ ଥିଲେ । ହୋହାରେ କମ୍ପୁଥିଲା ବିଧାନସଭା । କେହି କାହାକୁ ଛାଡ଼ିବା ସ୍ଥିତିରେ ନଥିଲେ । କଲାର୍ ଧରାଧରି ଓ ହାତାହାତି ଅଭିଯୋଗ ଆସିଲା । ଗୃହ ଭିତରେ ପୋଷ୍ଟର ଚିରାଚିରା ଓ ମାଇକ ଟଣାଓଟଣରା ହେଲା । ଗାଳିଗୁଲଜ ଅଭିଯୋଗ ମଧ୍ୟ ଉଠିଲା । ବିଶୃଙ୍ଖଳା ଆଚରଣ ନେଇ ବଜେଟ ଅଧିବେଶନରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଗଲା । କଥା ଏତିକିରେ ସରିଗଲାନି । ରାତିରେ ଗୃହରେ ଧାରଣା ଚଳାଇଥିବା ବିଧାୟକଙ୍କୁ ସୁରକ୍ଷା କର୍ମୀ ଉଠାଇ ଦେଲେ । ଏହାକୁ ନେଇ ବିଧାନସଭା ପରିସର ଓ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଲା । ବିଜେଡି ବିଧାୟକମାନେ ବି ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ଫାଟକରେ ଧସେଇ ରାସ୍ତାକୁ ଆସିଥିଲେ ।
ଭରସା ଟଙ୍କଧର, ବାବୁ
ବିଧାନସଭାରେ ବିରୋଧୀ ଦଳର କୌଣସି ବଡ଼ ଅଭିଯୋଗ ଆସିଲେ ସରକାରୀ ଦଳ ପାଇଁ ବାହାରୁଥିଲେ ବିଜେପିର ଦୁଇ ନବାଗତ ତଥା ଭରସାଯୋଗ୍ୟ ବିଧାୟକ ଟଙ୍କଧର ତ୍ରିପାଠୀ ଓ ବାବୁ ସିଂ । ବିରୋଧୀର ଦଳର ଯେତେ ଅଭିଜ୍ଞ ବିଧାୟକ ହୋଇଥାଆନ୍ତୁ ନା କାହିଁକି, ଟଙ୍କଧର ଓ ବାବୁ ଉପଯୁକ୍ତ ସମ୍ମାନ ସହ ଶାଣିତ ସ୍ୱରରେ ଜବାବ ଫେରାଇଥାନ୍ତି । ୨୪ ବର୍ଷର ଶାସନ କଥା କହି ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ବାରମ୍ବାର ପାଲଟା ଆକ୍ରମଣ କରି ଅକଳରେ ପକାଇଛନ୍ତି ବାବୁ ଓ ଟଙ୍କଧର । କଂଗ୍ରେସ ଅଭିଯୋଗ ଆଣିଲେ ନବେ ଦଶକର ବିଭିନ୍ନ ଚର୍ଚ୍ଚିତ ଘଟଣା ଉପସ୍ଥାପନ କରି ଉଭୟ ବିଧାୟକ କଡ଼ା ଜବାବ ଦେଇଥିବା ଦେଖିବାକୁ ମିଳିଥିଲା । ଇରାଶିଷ ଆଚାର୍ଯ୍ୟ, ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡା ବି ସରକାରୀ ଦଳ ତରଫରୁ ଦମ୍ଭିଲା ସ୍ୱରରେ ବିରୋଧୀ ଦଳଙ୍କୁ ଜବାବ ଦେଇଛନ୍ତି ।
ଆସିପାରିଲାନି ଅନାସ୍ଥା
ମୌସୁମୀ ଅଧିବେଶନ ଆଗରୁ ହିଁ କଂଗ୍ରେସ ଦଳ ଅନାସ୍ଥାକୁ ନେଇ ବେଶ୍ ରାଜନୀତି ତେଜିବାକୁ ଚେଷ୍ଟା କରିଥିଲା । ସରକାର ବିରୋଧରେ ଅନାସ୍ଥା ଆଣିବାକୁ ସହଯୋଗ ମାଗି ପିସିସି ସଭାପତି ଭକ୍ତ ଦାସ ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଥିଲେ । କଂଗ୍ରେସକୁ ରାଜନୈତିକ ଫାଇଦା ଦେବାକୁ ଚାହିଁଲାନି ବିଜେଡି । ଏହି ପ୍ରସଙ୍ଗରୁ ବିଜେଡି ଦୂରେଇ ରହିଲା । ଅପରପକ୍ଷରେ କଂଗ୍ରେସର ଅନାସ୍ଥା ନୋଟିସ ବି ଗ୍ରହଣ ହେଲାନି । ରାଜନୈତିକ ଚର୍ଚ୍ଚାରୁ ଆଗକୁ ବଢ଼ିପାରିଲାନି କଂଗ୍ରେସର ଅନାସ୍ଥା ଚାଲ୍ ।
ବିଲ୍ ପାଇଁ ରାତି ପାହିଗଲା
ରାତି ପାହିଗଲା ବିଧାନସଭାରେ । ଆଖି ମାଡ଼ି ମାଡ଼ି ଆସୁଥାଏ । ତଥାପି ଅନେଇ ରହିଥାନ୍ତି ସମସ୍ତେ । ପ୍ରତି ୬୦ ମିନିଟରେ ଘଣ୍ଟାଏ ଲେଖାଏଁ ବଢ଼ୁଥାଏ ଅବଧି । ଆପତ୍ତି, ପ୍ରଶ୍ନରେ ଛନ୍ଦୁଥିଲେ ବିରୋଧୀ ଦଳର ଅଭିଜ୍ଞ ସଭ୍ୟମାନେ । ବେଶ୍ ପ୍ରସ୍ତୁତିର ସହ ସବୁର କଡ଼ା ଗଣ୍ଡା ଜବାବ ରଖୁଥିଲେ ନବାଗତ ମନ୍ତ୍ରୀ । ଅପରାହ୍ନରୁ ଆରମ୍ଭ ବିତର୍କ ସରୁ ସରୁ ସକାଳ ହୋଇଗଲା । ସାଢ଼େ ୧୪ ଘଣ୍ଟାର ଆଲୋଚନା ପରେ ପାରିତ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ଓ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ । ସକାଳ ୭ଟା ୪ ମିନିଟରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ । ସକାଳ ୭ଟା ୬ରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କଲେ- ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଲା । ଚଳିତବର୍ଷ ବଜେଟ ଅଧିବେଶନର ଏହି ଅଧ୍ୟାୟ ଆଗାମୀ ପିଢ଼ି ଉଦାହରଣ ହୋଇ ରହିଲା ।
ବାପାଙ୍କ ପରେ ପୁଅ
ସପ୍ତଦଶ ବିଧାନସଭାରେ ନୂଆପଡ଼ାରୁ ପୁନର୍ବାର ନିର୍ବାଚିତ ହୋଇ ଆସିଥିବା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଥିଲା ଗତ ସେପ୍ଟେମ୍ବର ମାସରେ । ବିଧାନସଭା ଜଣାଇଥିଲା ଶୋକାଞ୍ଜଳି । ତାଙ୍କ ପରଲୋକ ପରେ ଖାଲି ହୋଇଥିବା ନୂଆପଡ଼ା ଆସନରେ ଉପନିର୍ବାଚନ ହେଲା । ସେଇ ଆସନରୁ ତାଙ୍କ ପୁଅ ଜୟ ଢୋଲକିଆ ବିଜେପି ଟିକଟରେ ବିଧାୟକ ନିର୍ବାଚିତ ହୋଇ ଆସିଲେ । ବିଜେଡି ସଂଖ୍ୟା ବିଧାନସଭାରେ କମିଲା, ବିଜେପିର ବଢ଼ିଲା ।
ଶାଣିତ ଜବାବ, ସ୍ମାର୍ଟ ହୋମ୍ୱାର୍କ
କଂଗ୍ରେସର କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିୟମିତ ସେ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିଥିବା ଦେଖିବାକୁ ମିଳିଥିଲା । ସେ ଯେବେ ବି କୌଣସି ଚର୍ଚ୍ଚା କିମ୍ବା ଆଲୋଚନାରେ ଭାଗ ନିଅନ୍ତି, ତା ପୂର୍ବରୁ ଆବଶ୍ୟକ ହୋମୱାର୍କ କରି ଆସିଥିବା ଜଣାପଡ଼େ । ଆସିବା ବେଳେ ହାତରେ କିଛି କାଗଜ ମଧ୍ୟ ଧରି ଆସିଥାନ୍ତି । ସେହିପରି ବିଜେଡିର ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନବାଗତ ହେଲେ ମଧ୍ୟ ବେଶ ଚର୍ଚ୍ଚା ସାଉଁଟିଛନ୍ତି ନିଜ ଦକ୍ଷତା ବଳରେ । ଶାସକ ଦଳ ଯେବେ ୨୪ ବର୍ଷ ଶାସନ କଥା କହି ବିଜେଡିକୁ କଟାକ୍ଷ କରିଛନ୍ତି, ସେବେ ଅରବିନ୍ଦ ବେଶ୍ ଶାଣିତ ଜବାବ ଦେଇଛନ୍ତି । ଅରବିନ୍ଦ ବାରମ୍ବାର କହୁଥିଲେ, ଯଦି ପୂର୍ବ ସରକାରରେ କ’ଣ ଦୁର୍ନୀତି ହୋଇଛି, ତୁମେ ବାନ୍ଧୁନ କାହିଁକି? ଥରେ ଦୋଷୀକୁ ବାନ୍ଧି ଦେଖାନ୍ତୁ, ଭିଜିଲାନ୍ସ କେସ୍ କରନ୍ତୁ । ନହେଲେ ବିଧାନସଭା ଆସିଲେ, ଲାଇଭ୍, କ୍ୟାମେରା ଆକ୍ସନ୍ କରନ୍ତୁ ନାହିଁ ।
ଘଣ୍ଟ, ତୂରୀ, ଲଣ୍ଠନ, ଗଙ୍ଗାଜଳ : କଂଗ୍ରେସର ତାରା ବଳ
କଂଗ୍ରେସ ବିଧାୟକ ବିଧାନସଭାରେ ଘଣ୍ଟ, ତୂରୀ ବଜାଇଲେ । ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଏଭଳି ନିଆରା ପ୍ରତିବାଦ କରିଥିଲା । ସେହିପରି ବିଧାନସଭା କରିଡରରେ ବିଜେଡି ସଭ୍ୟମାନେ ଦିନରେ ଲଣ୍ଠନ ଧରି ବୁଲିଲେ । ସରକାର କୁଆଡ଼େ ଗଲେ ବୋଲି କହି ଖୋଜିଲେ । ବିଧାନସଭା ଗୃହ ଭିତରକୁ ପୁଲିସ ପଶିଥିବାରୁ ଗୃହ ଅପବିତ୍ର ହୋଇଥିବା ବିଜେଡି ଅଭିଯୋଗ କରିବା ସହ କଳସରେ ଗଙ୍ଗା ଜଳ ଆଣି ସିଞ୍ଚନ କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗ ହେଉ କି ଚାଷୀ ପ୍ରସଙ୍ଗ । ଯେଉଁ ପ୍ରସଙ୍ଗ କଂଗ୍ରେସ ଉଠାଉଥିଲା, ବିଧାୟକ ତାରା ପ୍ରସାଦ ବାହିନୀପତି ଆଗକୁ ମାଡ଼ି ଆସୁଥିଲେ । ଶାଣିତ ବକ୍ତବ୍ୟ ଓ ଆକ୍ରାମଣାତ୍ମକ ଆଭିମୁଖ୍ୟରେ ସରକାରଙ୍କୁ ନାକେଦମ୍ କରୁଥିଲେ ତାରା । ଅସୁସ୍ଥତା ଯୋଗୁ ଶୀତ ଅଧିବେଶନ ବେଳକୁ ତାରା ଗୃହକୁ ଆସିପାରିନଥିଲେ । ତାରାଙ୍କ ଅନୁପସ୍ଥିତି ବାରି ହେବା ସହିତ କଂଗ୍ରେସ ବି ବ୍ୟାକ ଫୁଟ୍ରେ ରହିବା ଭଳି ଅନୁଭୂତ ହୋଇଥିଲା ।
ପ୍ରତି ଥର ଆଗୁଆ ଶେଷ
କୌଣସି ଅଧିବେଶନ ନିର୍ଦ୍ଧାରିତ ସମୟ ସୀମା ପୂର୍ଣ୍ଣ କରିପାରିନଥିଲା । ବଜେଟ ଅଧିବେଶନରେ ମୋଟ କାର୍ଯ୍ୟ ଦିବସ ଥିଲା ୨୮ଟି । ୩ ଦିନ ଆଗରୁ ସରିଲା । ମୌସୁମୀ ଅଧିବେଶନର ମୋଟ କାର୍ଯ୍ୟ ଅବଧି ମାତ୍ର ୭ ଦିନ ପାଇଁ ଧାର୍ଯ୍ୟ କରାଯାଇଥିଲା । ସରିଗଲା ୬ଷ୍ଠ ଦିନରେ । ଏବେ ଏବେ ସରିଥିବା ଶୀତ ଅଧିବେଶନରେ ବିଧାନସଭା ଚାଲିଲା ମାତ୍ର ୧୧ ଦିନ । ମୋଟ ୨୯ଟି କାର୍ଯ୍ୟ ଦିବସ ଥିଲା, ଚାଲିଥାନ୍ତା ଡିସେମ୍ବର ୩୧ ଯାଏ । ହେଲେ ସରିଗଲା ୧୮ ଦିନ ଆଗରୁ ।