ସୁକିନ୍ଦା, ୩/୧୨ : ଘଞ୍ଚ ସବୁଜ ବନାନି ମଧ୍ୟରେ କୁଳୁ କୁଳୁ ନାଦରେ ବହି ଯାଉଛି ଚିରସ୍ରୋତା ଝରଣା । ପ୍ରାୟ ୫ହଜାର ଫୁଟ୍‌ ଉଚ୍ଚରେ ରହିଛି ବିଶାଳ ଗୁମ୍ଫା ଓ ଦେବସଭା । ବୁଢ଼ା ରାଜାଙ୍କ ସମୟରେ ଆସିଥିବା ଜଣେ ନାଗା ବାବା ଏହାକୁ ଉଦ୍ଭାବନ କରିଥିଲେ । ଔଷଧୀୟ ଅଶୋକ ଗଛରେ ପରିପୂର୍ଣ୍ଣ ଓ ତହିଁ ମଧ୍ୟରେ ବହି ଯାଉଥିବା ଚିରସ୍ରୋତା ଝରଣା କୂଳରେ ମାତା ଅଶୋକେଶ୍ୱରୀଙ୍କ ମନ୍ଦିର ସ୍ଥାପନ କରି ନାଗାବାବା ‘ଅଶୋକଝର’ର ନାମକରଣ କରିଥିଲେ । ସେବେଠାରୁ ଅପରୂପା ‘ଅଶୋକଝର’ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଆକର୍ଷଣର କେନ୍ଦ୍ରବିଜୁ ସାଜିଛି ।

୯୦ଦଶକ ବେଳକୁ ଏଠାରେ ବଣଭୋଜି ପାଇଁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିବା ଆରମ୍ଭ କରିଥିଲେ । ଏହି ପର୍ଯ୍ୟଟନ କ୍ଷେତ୍ରରେ ମା' ଅଶୋକେଶ୍ୱରୀ ମନ୍ଦିର, ମହାଦେବ ମନ୍ଦିର, ନାଗାବାବାଙ୍କ ସମାଧି, ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର, ନିର୍ମାଣାଧୀନ ଗଣେଶ ମନ୍ଦିର ପ୍ରଭୃତି ସହିତ ୫ହଜାର ଫୁଟ ଉଚ୍ଚରେ ଥିବା ପ୍ରାକୃତିକ ଗୁମ୍ଫାକୁ ଚଲାପଥ ତିଆରି କରାଯାଇଛି । ଗୁମ୍ଫା ଭିତରେ ଥିବା ଗୁପ୍ତଗଙ୍ଗାରୁ ପର୍ଯ୍ୟଟକ ଜଳ ସଂଗ୍ରହ କରିବା ସହିତ କିମ୍ବଦନ୍ତୀ ଅନୁଯାୟୀ ସପ୍ତଶାଳ, ବିଶାଳ ପ୍ରସ୍ତର ଉପରେ ପ୍ରଭୁ ରାମଚନ୍ଦ୍ରଙ୍କ ଦେବସଭା ଦେଖିବାର ସୁଯୋଗ ପାଇବେ । ଉପର ଗୁମ୍ଫାକୁ ଯିବାକୁ ହେଲେ ଝରଣାର କଡ଼େ କଡ଼େ ଯିବାକୁ ପଡ଼ିଥାଏ । ଏହି ସମୟରେ ଶହେ ଫୁଟ୍‌ ଉଚ୍ଚରୁ ପଡ଼ୁଥିବା ଝରଣା ପାଣି ଅତ୍ୟନ୍ତ ମନୋରମ ଅନୁଭୂତ ହୁଏ ।

ଟମକାରୁ ଟାଟା ମାଇନ୍ସ୍‌ ପର୍ଯ୍ୟନ୍ତ ଲମ୍ବିଥିବା ୨୮ କିଲୋମିଟର ମହାଗିରି ପର୍ବତ ଶୃଙ୍ଖଳରେ ଅଶୋକଝର ପର୍ଯ୍ୟଟନ କ୍ଷେତ୍ର ଅବସ୍ଥିତ ଥିବାରୁ ଏଠାକୁ ଆସିବା ପାଇଁ ବିଭିନ୍ନ ଦିଗରୁ ଏବେ ରାସ୍ତା ନିର୍ମାଣ ହୋଇ ସାରିଛି । ପାଣିକୋଇଲିରୁ ଡୁବୁରୀ ଦେଇ ସୁକିନ୍ଦା, ଚଣ୍ଡିଖୋଲରୁ ୫୩ ନଂ ଜାତୀୟ ରାଜପଥ ଦେଇ ସୁକିନ୍ଦା କିମ୍ବା କେନ୍ଦୁଝର ପଟୁ ନରଣପୁର ଦେଇ ବ୍ରାହ୍ମଣୀପାଳ ଓ ସେଠାରୁ ଡୁବୁରୀ ଦେଇ ସୁକିନ୍ଦା ଏବଂ ଢ଼େଙ୍କାନାଳ, ଅନୁଗୁଳରୁ ଭୁବନ ଦେଇ ସୁକିନ୍ଦାରୁ ୧୧ କିଲୋମିଟର ଗଲେ ଆଶୋକଝର ପଡ଼େ । ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ଲକ୍ଷାଧିକ ପର୍ଯ୍ୟଟକ ପ୍ରାକୃତିକ ଶୋଭାରାଜିରେ ଆକର୍ଷିତ ହୋଇ ଏଠାକୁ ଛଟି ଆସନ୍ତି । ଏହି ପର୍ବତ ଶୃଙ୍ଖଳର ଉଭୟ ପାଶ୍ୱର୍ରେ ୧୧ଟି କ୍ରୋମ ଓ ଲୁହା ପଥର ଖଣି ଖନନ ହେଉଛି । ଏଠାରେ ବହୁ ପ୍ରକାରର ବନ୍ୟଜନ୍ତୁ ମଧ୍ୟ ଦେଖା ଯାଆନ୍ତି । ଏବେବି ଏଠି ୧୪ଟି ହାତୀ ରହି ଆସୁଛନ୍ତି ।

ପୂର୍ବରୁ ଏହି ପର୍ବତ ଶୃଙ୍ଖଳରେ ୧୫ରୁ ୧୮ଟି ହାତୀ, ବାଘ, ସମେତ ବହୁ ଜଙ୍ଗଲୀ ପଶୁ ପକ୍ଷୀ ରହି ଆସୁଥିଲେ । ଏବେ ଜଙ୍ଗଲ ପରିସୀମା ଦ୍ରୁତ ଭାବରେ ହ୍ରାସ ପାଇ ଚାଲିଥିବାରୁ କେବଳ କଲରା ପତିରିଆ ବାଘ, ହାତୀ, ବାରହା, ଭାଲୁ, ହରିଣ ଓ ଖୁରିଙ୍ଗ ଭଳି କିଛି ପଶୁଙ୍କୁ ଦେଖିବାକୁ ମିଳୁଛି । ସେହିପରି ଏଠାରେ ବହୁଳ ଭାବେ ମୟୂର ଦେଖିବାକୁ ମିଳିଥାଏ । ସୁକିନ୍ଦା ଖଣି ଅଞ୍ଚଳରୁ ମାଟି ଆଡ଼େଇ ହଜାର ହଜାର କୋଟି ଟଙ୍କା ମୁନାଫା ପାଉଥିବା ଖଣି ମାଲିକ ଜଙ୍ଗଲ ସୃଷ୍ଟି ତଥା ପରିବେଶ ରକ୍ଷା ସହିତ ପରିବେଶ ସନ୍ତୁଳନ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଅଶୋକଝରର ସୌନ୍ଦର୍ଯ୍ୟ ଦିନକୁ ଦିନ କମିବାରେ ଲାଗିଛି । ଅଶୋକଝରକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ୟତା ମିଳିଥିଲେ ହେଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଦ୍ୟାବଧି ସେପରି କିଛି ପଦକ୍ଷେପ ନିଆଯାଇ ନାହିଁ ।

ମନ ମୋହୁଛି ଜୈବ ବିବିଧତା ଉଦ୍ୟାନ 
ଅଶୋକଝରରେ ଜିଲ୍ଲା ପ୍ରାଶାସନ ପକ୍ଷରୁ ବନ ବିଭାଗ ମାଧ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରୁ ୧୦କୋଟି ଟଙ୍କା ବ୍ୟୟରେ ଏକ ସୁନ୍ଦର ପାର୍କ ନିର୍ମାଣ କରାଯାଇଛି । ମହାଗିରି ପର୍ବତ ଶୃଙ୍ଖଳର ଅଶୋକଝର ପାଦଦେଶରେ ନିର୍ମିତ ଏହି ପାର୍କ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲିଟିଛି । ଜିଲ୍ଲା ଖଣିଜ ପାଣ୍ଠିରୁ ଜଙ୍ଗଲ ବିଭାଗ ମାଧ୍ୟମରେ ଏବେ ଏକ ଇକୋ ରିଟ୍ରେଟ ନିର୍ମାଣ ହୋଇଛି । ଯେଉଁଥିରେ ପର୍ଯ୍ୟଟକଙ୍କ ରହିବା ପାଇଁ ୬ଟି କଟେଜ୍‌, ୬ଟି ବଡ଼ ଗାଜିବ, ୯ଟା ଛୋଟ ଗାଜିବ, ଚିଲଡ୍ରେନ ପାର୍କ, ଖୋଲା ଜିମ୍‌ ,୨ଟା ଫାଉଣ୍ଟେନ୍‌, ସୁନ୍ଦର ଲର୍ଣ୍ଣ, ରେଷ୍ଟୁରାଣ୍ଟ, କୃତ୍ରିମ ୱାଟର ଫଲ୍‌, ଲିଲି ପଣ୍ଡ, ଖୋଣ୍ଡେଲାଇଟ ପଥରରେ ସୁନ୍ଦର ଭାବେ ଖୋଦେଇ ହୋଇ ଗଣେଶ, ବିଷ୍ଣୁଙ୍କର ଅନନ୍ତ ଶୟନ ମୂର୍ତ୍ତି, ନର୍ତ୍ତକୀ ମୂର୍ତ୍ତି ସ୍ଥାପନ ହୋଇଛି । ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ୨ଟି ଟେଣ୍ଟ ହାଉସ୍‌ ନିର୍ମାଣ ହୋଇଛି । ଯେଉଁଥିରେ ପର୍ଯ୍ୟଟକ ରାତ୍ରି ଯାପନ କରି ପାରିବେ ।