ପଟ୍ଟାମୁଣ୍ଡାଇ ସଦର,୨୭/୩(ଚିତ୍ତରଞ୍ଜନ ମଲ୍ଲିକ): ବ୍ରାହ୍ମଣୀ ଉପତ୍ୟକା ଅଞ୍ଚଳକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ୧୯୭୨ ମସିହାରେ ନିର୍ମାଣ କରାଯାଇଥିଲା ରେଙ୍ଗାଲି ବନ୍ଧ । ସଂପ୍ରତି ଏହି ବନ୍ଧ କିନ୍ତୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ବିସ୍ତୃତ ବ୍ରାହ୍ମଣୀ ଉପତ୍ୟକା ଅଞ୍ଚଳର ଦୁଃଖର କାରଣ ପାଲଟିଛି । ହଜାର ହଜାର ହେକ୍ଟର ଉର୍ବର ଚାଷ ଜମି ସମୟକ୍ରମେ ବନ୍ଧ୍ୟା ହୋଇଗଲାଣି । ପଟୁମାଟି ଆସୁନଥିବାରୁ ଏକଦା ଶସ୍ୟଶ୍ୟାମଳା ରହୁଥିବା ତଥା ଚାଷୀର ‘ସୁନା ଥାଳ’ କୁହାଯାଉଥିବା ନଈକୂଳିଆ ଜମିରେ ଫସଲ ଉତ୍ପାଦନ ହ୍ରାସ ପାଇଛି । ସେହିଭଳି ନଦୀଶଯ୍ୟା ଓ ମୁହାଣ ମଧ୍ୟ ପୋତି ହୋଇଗଲାଣି । ଏତଦ୍‌ବ୍ୟତୀତ ବ୍ରାହ୍ମଣୀରେ କିଛି ବର୍ଷ ତଳେ ମିଳୁଥିବା ଇଲିଶି ମଧ୍ୟ ସାତ ସପନ ହେଲାଣି । ଚାଷ ଓ ବେଉସା ଉଜୁଡ଼ିବାରୁ ଏପଟେ ଜୀବିକା ହରାଇ ଚାଷୀ ପୁଅ ଏବେ ଦାଦନ ଖଟିବାକୁ ବିଦେଶ ଯାଉଥିବା ଦେଖିବାକୁ ମିଳୁଛି । ଅଞ୍ଚଳର ପୁରୁଖା ଚାଷୀଙ୍କ କହିବାନୁସାରେ, ଗତ ୩ ଦଶନ୍ଧି ହେବ ଏହି ଅଞ୍ଚଳରେ ହଜାର ହଜାର ହେକ୍ଟର ଜମି ପଡ଼ିଆ ରହୁଛି । ଏପରିକି ପାରମ୍ପରିକ ଧୂଆଁପତ୍ର ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । 

ଆକାର ଓ ସ୍ୱାଦ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଓ ଆଗରୁ ବହୁଳ ଭାବେ ଚାଷ ହେଉଥିବା ଗୋଲ ପାଳ ବାଇଗଣ, ପୋଟଳ, କଲରା, କଖାରୁ ଓ କନ୍ଦମୂଳ ପ୍ରଭୃତି ଅର୍ଥକରୀ ଫସଲ ପୂର୍ବଭଳି ଆକାରରେ ଆକର୍ଷଣୀୟ ବା ସ୍ୱାଦିଷ୍ଟ ହେଉନଥିବାରୁ ଖାଉଟି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଥିସହିତ କେବଳ ଦେଖିବାକୁ ସୁନ୍ଦର ଦିଶୁଥିବା ସ୍ୱାଦହୀନ ହାଇବ୍ରିଡ୍‌ ପନିପରିବା ବଜାର ସାରା ଛାଇ ହୋଇଯାଉଛି । ଚାଷ ଉପରେ ନିର୍ଭର କରି କୁଟୁମ୍ବ ପୋଷୁଥିବା ଚାଷୀମାନେ ଏବେ ଭିଟାମାଟି ଛାଡ଼ି ଦାଦନ ଶ୍ରମିକ ଭାବରେ ବେଙ୍ଗାଲୁରୁ, ଚେନ୍ନାଇ, ସୁରଟ, ହାଇଦ୍ରାବାଦରେ ଜୀବନ ସଂଗ୍ରାମ କରିବାକୁ ବାଧ୍ୟ ହେଉଛନ୍ତି । 

ଏ ଦିଗରେ ଓଡ଼ିଶା ସରକାର ଅଦ୍ୟାବଧି କୌଣସି ଠୋସ୍‌ ପଦକ୍ଷେପ ମଧ୍ୟ ନେଲେନି । ଅନ୍ୟପକ୍ଷରେ ପ୍ରତ୍ୟକ୍ଷ ବନ୍ୟାସ୍ରୋତ ପ୍ରବାହିତ ହେଉ ନଥିବାରୁ ନଦୀ ଶଯ୍ୟା ପୋତି ହୋଇଗଲାଣି । ଫଳରେ ନଦୀରେ ସାମାନ୍ୟ ବନ୍ୟା ଆସିଲେ ଏହା କୂଳ ଲଂଘନ କରୁଛି ଓ ପ୍ରତିବର୍ଷ ରବି ଫସଲ ନଷ୍ଟ ହେଉଛି । ନଦୀଶଯ୍ୟା ଓ ମୁହାଣ ମୁହଁ ପୋତି ହୋଇ ପଡୁଥିବାରୁ ସମୁଦ୍ରରୁ ନଦୀକୁ ଆଉ ମାଛ ଆସୁନାହାନ୍ତି । ଏକଦା ସୁଖ୍ୟାତି ଲାଭ କରିଥିବା ‘ବ୍ରାହ୍ମଣୀ ଇଲିଶି’ ଅନେକ ବର୍ଷ ହେବ ସାତ ସପନ ହୋଇଗଲାଣି । ଫଳରେ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାର ସେମାନଙ୍କ କୌଳିକ ମାଛଧରା ବୃତ୍ତି ଛାଡ଼ି ସାରିଲେଣି । ବ୍ରାହ୍ମଣୀ ନଦୀ କୂଳେ କୂଳେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଶେଷ ସୀମା ପର୍ଯ୍ୟନ୍ତ ନଦୀର ଉଭୟ ପାଶ୍ୱର୍ରେ ଏବେ ବେଣା, ଖରୀ ଜଙ୍ଗଲ ହୋଇଗଲାଣି । ଏଭଳି ସ୍ଥିତିରେ ‘ବ୍ରାହ୍ମଣୀ ଉପତ୍ୟକାର ଦୁଃଖର କାରଣ ରେଙ୍ଗାଲି ବନ୍ଧ’ ବୋଲି କଥା ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ବ୍ରାହ୍ମଣୀ-ବିରୂପା-ଖରସ୍ରୋତା ବନ୍ୟା ନିୟନ୍ତ୍ରଣ ସଂଗ୍ରାମ ସମିତି ଓ ଜନମଞ୍ଚର କର୍ମକର୍ତ୍ତାମାନେ ବାସ୍ତବତାକୁ ଅନୁଭବ କରି ଗତ କିଛି ବର୍ଷ ହେବ ସଂଗ୍ରାମ ସମିତିର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ସେମାନେ ପୂର୍ବରୁ ବନ୍ୟା ନିୟନ୍ତ୍ରଣ କରିବାକୁ ଦାବି କରି ଆସୁଥିବା ବେଳେ ଏବେ ଆଉ ବନ୍ୟା ହେଉନଥିବାରୁ ବ୍ରାହ୍ମଣୀ ଉପତ୍ୟକା ବାସୀ କିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ତାହା ଅନୁଭବ କରୁଛନ୍ତି । 

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ରାହ୍ମଣୀ ନଦୀରେ ଯେବେ ବି ପ୍ରଳୟଙ୍କରୀ ବନ୍ୟା ଆସିଛି, ସେଥିରେ ମହାନଦୀର ବନ୍ୟା ଜଳ ମିଶିବା କାରଣରୁ ଏହା ଅଧିକ ଉଗ୍ର ରୂପ ଧାରଣ କରିଛି । କାରଣ ମହାନଦୀର ଶାଖା ବିରୂପା କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁରଠାରେ ବ୍ରାହ୍ମଣୀ ନଦୀରେ ମିଶିଛି । ଅନ୍ୟପକ୍ଷରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବନ୍ଧ ନିର୍ମାଣ କରିଥିବାରୁ ଏହାର ଜଳ ପ୍ରବାହ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି । ତେଣୁ ବ୍ରାହ୍ମଣୀରେ ଆଉ ବନ୍ୟା ଆସୁନଥିବାରୁ ଏହାର ଉପତ୍ୟକା ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି । ରାଜ୍ୟ ସରକାର ବ୍ରାହ୍ମଣୀ ନଦୀ ଅବବାହିକାରେ ସୃଷ୍ଟି ହୋଇଥିବା ବେଣା, କାଶତଣ୍ଡୀ, ଖରୀ ଜଙ୍ଗଲକୁ ବିଲୋପ କରିବା ନିମନ୍ତେ ଠୋସ୍‌ ପଦକ୍ଷପ ନେଲେ ଏହି ଅଞ୍ଚଳର କୃଷକମାନେ ଉପକୃତ ହୋଇପାରିବେ ବୋଲି ଅଞ୍ଚଳର ବହୁ ମୁରବି, ପୁରୁଖା ଚାଷୀ, ବୁଦ୍ଧିଜୀବୀ ମତ ଦେଉଛନ୍ତି ।