ନୂଆଦିଲ୍ଲୀ : ସୁନା ମୂଲ୍ୟ ୨୦୨୦ ପର ଠାରୁ ଏବେସୁଦ୍ଧା ୨୩୦ ପ୍ରତିଶତ ବଢି ସାରିଛି। ପୂରା ଦୁନିଆରେ କେନ୍ଦ୍ରୀୟ ବ୍ୟାଙ୍କ ଖୁବ୍ ଜୋରରେ ସୁନା କ୍ରୟ କରୁଛନ୍ତି। କିଛି ଦେଶ ପାଇଁ ବର୍ତ୍ତମାନର ଭୂ-ରାଜନୀତିକ ବିବାଦ ମଧ୍ୟରେ ସୁନା ରଣନୀତିକ ସଂପତ୍ତି ପାଲଟି ଯାଇଛି। ଏହା ପଛରେ ମୁଦ୍ରାରେ ହ୍ରାସ ଓ ଆମେରିକୀୟ ଡଲାର ବ୍ୟତୀତ ଅନ୍ୟ ମୁଦ୍ରାରେ ବାଣିଜ୍ୟ ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି । ହେଲେ କିଛି ଏମିତି ଦେଶ ମଧ୍ୟ ଅଛନ୍ତି , ଯିଏ ସୁନା ବିକ୍ରି କରୁଛନ୍ତି।
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ତଥ୍ୟ ଅନୁଯାୟୀ ୱେବସାଇଟ୍ ଭିଜୁଆଲ କ୍ୟାପିଟଲିଷ୍ଟ କହିଛି ଯେ, ୨୦୨୦ରୁ ଏବେସୁଦ୍ଧା ୧୫ଟି ଦେଶ ଏମିତି ଅଛନ୍ତି ,ଯିଏକି ନିଜର ଗୋଲ୍ଡ ରିଜର୍ଭରେ ପାଖାପାଖି ୨,୦୦୦ ଟନ୍ ସୁନା ଆହୁରି ଜମା କରିଛନ୍ତି। ଏଥିରେ ଚୀନ ନିଜର ରିଜର୍ଭରେ ସବୁଠୁ ଅଧିକ ସୁନା ଯୋଡ଼ିଛି।
କିଏ କେତେ ମାତ୍ରାରେ ସୁନା କ୍ରୟ କରିଛନ୍ତି :
ୱାର୍ଲ୍ଡ ଗୋଲ୍ଡ୍ କାଉନ୍ସିଲର ଏକ ରିପୋର୍ଟ ଅନୁସାରେ , ୨୦୨୦ରୁ ଏବେସୁଦ୍ଧା ଅର୍ଥାତ୍ ୫ ବର୍ଷରେ ଚୀନ ନିଜର ଗୋଲ୍ଡ ରିଜର୍ଭରେ ୩୫୭ .୧ ଟନ୍ ସୁନା ଯୋଡ଼ିଛି। ସେପଟେ , ଚୀନ ପରେ ଦ୍ୱିତୀୟ ନମ୍ୱରରେ ସୁନା କ୍ରୟରେ ପୋଲାଣ୍ଡ ରହିଛି, ଯିଏକି ଏହି ସମୟରେ ୩୧୪.୬ ଟନ୍ ସୁନା କ୍ରୟ କରିଛି।
ସୁନା କ୍ରୟରେ ତୁର୍କୀ ପରେ ଭାରତର ନମ୍ୱର :
୩ୟ ନମ୍ୱରରେ ୨୫୧.୮ ଟନ୍ ସୁନାର କ୍ରୟ ସହ ତୁର୍କୀ ରହିଛି। ଭାରତ ଏହି ସମୟରେ ୨୪୫.୩ ଟନ ସୁନା ଯୋଡି ପାରିଛି। ୫ମ ନମ୍ୱରରେ ସୁନା କ୍ରୟରେ ବ୍ରାଜିଲ ରହିଛି, ଯିଏକି ନିଜର ଗୋଲ୍ଡ ରିଜର୍ଭରେ ୧୦୫.୧ ଟନ୍ ସୁନା ଯୋଡ଼ିଛି।
୫ ବର୍ଷରେ ସବୁଠୁ ଅଧିକା ସୁନା କିଏ ବିକ୍ରି କରିଛି :
ଗତ ପାଞ୍ଚ ବର୍ଷ ମଧ୍ୟରେ ସୁନା ବିକ୍ରି କରିବାରେ ଫିଲିପାଇନ୍ସ , କାଜାକିସ୍ତାନ , ଶ୍ରୀଲଙ୍କା , ଜର୍ମାନୀ ଓ ମଙ୍ଗୋଲିଆ ଭଳି ଦେଶ ରହିଛନ୍ତି। ଫିଲିପାଇନ୍ସ ଏହି ସମୟରେ ୬୫.୨ ଟନ୍ ଗୋଲ୍ଡ , କାଜାକିସ୍ତାନ ୫୨.୪ ଟନ୍ ଶ୍ରୀଲଙ୍କା ୧୯.୧ ଟନ୍ , ଜର୍ମାନୀ ୧୬.୩ ଟନ୍ ଓ ମଙ୍ଗୋଲିଆ ୧୫.୯ ଟନ୍ ସୁନା ବିକ୍ରି କରିଛନ୍ତି।
ସୁନା ବିକ୍ରି କରିବାରେ ଏହି ଦେଶ ବି ଆଗରେ :
ଗତ ପାଞ୍ଚ ବର୍ଷରେ ସୁନା ବିକ୍ରୟରେ ତାଜାକିସ୍ତାନ , ୟୁରୋ ଏରିଆ, କଲମ୍ୱିଆ, ଫିନଲ୍ୟାଣ୍ଡ , କ୍ୟୁରାକାଓ ଓ ସେଣ୍ଟ ମାର୍ଟିନ , ସୋଲୋମନ ଦ୍ୱୀପ , ସୁରିନାମ , ମାଲଟା, ଇଥିଓପିଆ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟ ଆଗରେ ରହିଛି।
ଘରୋଇ ଅନିଶ୍ଚିତତା ଓ ଆର୍ଥିକ ସଙ୍କଟରେ ଥିବା ଦେଶ ବିକ୍ରି କରୁଛନ୍ତି ସୁନା :
ନିଜର ଗୋଲ୍ଡ ରିଜର୍ଭରେ ସବୁଠୁ ଅଧିକ ହ୍ରାସ ଫିଲିପାଇନ୍ସ , କାଜାକିସ୍ତାନ , ଶ୍ରୀଲଙ୍କା ଭଳି ଦେଶ କରିଛନ୍ତି। ଏହି ସବୁ ଦେଶ ଘରୋଇ ଅନିଶ୍ଚିତତା ଓ ଆର୍ଥିକ ସନ୍ତୁଳନତା ଗଠନ କରିବାରେ ବିଫଳ ରହିବାରେ ସୁନା ବିକ୍ରି କରୁଛନ୍ତି।
ଗୋଲ୍ଡ ରିଜର୍ଭରେ ଆମେରିକା –ଜର୍ମାନୀ ସବୁଠୁ ଆଗରେ :
ଟ୍ରେଡିଂ ଇକୋନମିକ୍ସ ଅନୁସାରେ , ଗୋଲ୍ଡ ରିଜର୍ଭର କଥା ଯଦି କହିବା ତ ଏହି ମାମଲାରେ ୮,୧୩୩ ଟନ୍ ସହ ଆମେରିକା ନମ୍ୱର ୱାନରେ ରହିଛି। ଏହାପରେ ୩,୩୫୧ ଟନ୍ ସହ ଜର୍ମାନୀ ଦ୍ୱିତୀୟ ନମ୍ୱରରେ ରହିଛି।
ଭାରତ ଓ ଚୀନର ଗୋଲ୍ଡ ରିଜର୍ଭରେ ଏହା ରହିଛି ସ୍ଥାନ :
ଆମେରିକା-ଜର୍ମାନୀ ପରେ ୨,୪୫୧.୬ ଟନ୍ ସହ ଇଟାଲୀ ୩ୟ , ୨.୪୩୭ଟନ୍ ସହ ଫ୍ରାନ୍ସ ୪ର୍ଥ, ୨,୩୦୦ ଟନ୍ ସହ ରୁଷ୍ ୫ମ ସ୍ଥାନରେ, ୨,୨୦୦ଟନ ସହ ଚୀନ୍ ୬ଷଷ୍ଠ , ୧,୦୪୦ ଟନ୍ ସହ ସ୍ୱିଜରଲ୍ୟାଣ୍ଡ ୭ମ , ୮୮୦ଟନ୍ ସହ ଭାରତ ୮ମ , ୮୪୬ ଟନ୍ ସହ ଜାପାନ ୯ମ ନମ୍ୱର ଓ ୬୧୪ଟନ୍ ସହ ତୁର୍କୀ ୧୦ମ ନମ୍ୱରରେ ରହିଛି।