ନୂଆଦିଲ୍ଲୀ : ଜୈଶ –ଏ-ମହମ୍ମଦର ଆତଙ୍କବାଦୀଙ୍କ ଠାରେ ଏବେ ବି ଅପରେସନ ସିନ୍ଦୂରର ଆତଙ୍କ ସ୍ପଷ୍ଟ ନଜର ଆସୁଛି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆତଙ୍କୀ ସଙ୍ଗଠନ ଜୈଶ୍ ସେହି ରାତିର ଭୟାନକ ରାତି କଥା କହିଛି। ଜୈଶ୍ ଅପରେସନ ସିନ୍ଦୂରରେ ମୃତକ ଆତଙ୍କୀଙ୍କୁ ସହିଦ ଭାବେ ଦର୍ଶାଇଛି। ସେ ପୋଷ୍ଟରେ ଲେଖିଛି ଯେ, ସେହି ରାତି ବଡ଼ ଅଜବ ଧରଣର ଥିଲା। ଉପରୁ ନିଆଁ ବର୍ଷା ହେଉଥିଲା। ଯେମିତି ଆକାଶରୁ ସୁଗନ୍ଧ ଓହ୍ଲାଉଛି। ଜୋରଦାର ବିସ୍ଫୋରଣ ହେଉ ଥିଲା , କିନ୍ତୁ ଏହି ମଧ୍ୟରେ ‘ଆଲ୍ଲା ହୁ ଆକବର’ ନାରା ଗୁଞ୍ଜରିତ ହେଉଥିଲା।
ଏହା ଏପରି ଅନୁଭବ ହେଲା ଯେପରି ପ୍ରାଚୀନ କାଳର ଦୃଶ୍ୟଗୁଡ଼ିକ ମୋ ଆଖି ଆଗରେ ଝଲସି ଉଠିଲା, ଯେପରି କୋରାନରେ ବର୍ଣ୍ଣିତ ଦୃଶ୍ୟଗୁଡ଼ିକୁ ପୁନର୍ବାର ଦେଖିବାକୁ ମିଳୁଛି। ମୁଁ ସେହି ଦିନ ଜାମିଆ ମସଜିଦ ସୁଭାନ ଆଲ୍ଲାରେ ପ୍ରତିଫଳିତ ହୋଇଥିବା ପଦଗୁଡ଼ିକୁ ଲେଖିବାକୁ ଇଚ୍ଛା କରୁଥିଲି, କିନ୍ତୁ ଏକ ଛୋଟ ଚିଠି ପାଇଁ ଯଥେଷ୍ଟ ସ୍ଥାନ ହେବ ନାହିଁ। ଏହି ସମୟରେ, ଏକ ସୋସିଆଲ ମିଡିଆ ପୋଷ୍ଟରେ ଜୈସର ମହିଳା ଶାଖା ଜମାତ ଅଲ-ମୋମିନାତରେ ଜିହାଦୀ ମହିଳାମାନଙ୍କୁ ନିଯୁକ୍ତି ବିଷୟରେ ଉଲ୍ଲେଖ କରାଯାଇଥିଲା।
ଏହା ବ୍ୟତୀତ ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଛି ଯେ, ଅଲ-ମୋମିନାତର କାମରେ ବିଶେଷ ଆଶୀର୍ବାଦ ହୋଇଛି। ଏହା ସହିତ ଜୈଶ୍ର ମହିଳା ୱିଙ୍ଗ୍ 'ଜମାତ୍-ଅଲ୍-ମୋମିନାତ୍' ରେ ୨୨୦୦ରୁ ଅଧିକ ମହିଳାଙ୍କୁ ନୂତନ ଭାବେ ସାମିଲ କରାଯାଇଥିବା ନେଇ ମଧ୍ୟ ଦାବି କରାଯାଇଛି।
୨୦୨୫ ମସିହାରେ ଭାରତୀୟ ବାୟୁସେନାର 'ଅପରେସନ୍ ସିନ୍ଦୂର'ରେ ପାକିସ୍ତାନର ବାହାୱାଲପୁର ସ୍ଥିତ ଜୈଶ୍ ମୁଖ୍ୟାଳୟ 'ମର୍କଜ ସୁଭାନଅଲ୍ଲା' ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇ ଥିଲା। କିନ୍ତୁ ଏବେ ରିପୋର୍ଟ ଆସୁଛି ଯେ ପାକିସ୍ତାନ ସରକାର ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ କରି ଏହି ଆତଙ୍କବାଦୀ ଗଡ଼ର ପୁନଃନିର୍ମାଣ କରୁଛନ୍ତି। ମାର୍ଚ୍ଚ ୨୦୨୬ରୁ ଏହି ନିର୍ମାଣ କାର୍ଯ୍ୟ ବହୁତ ଜୋରସୋରରେ ଚାଲିଛି।
୭ ମଇ ୨୦୨୫ ରାତିରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମା ଭିତରକୁ ପଶି ଜୈଶ୍ର ଆଡ୍ଡା ଉପରେ ସଠିକ୍ ଏୟାରଷ୍ଟ୍ରାଇକ୍ କରିଥିଲା। ଏହି ମିସାଇଲ୍ ମାଡ଼ରେ ଜୈଶ୍ର ମୁଖ୍ୟାଳୟର ଗମ୍ବୁଜ ଉଡ଼ିଯାଇଥିଲା ଏବଂ ସମଗ୍ର ପରିସର ଛାରଖାର ହୋଇଯାଇଥିଲା।
ଏବେ ଖବର ଅନୁସାରେ ,ବାହାୱାଲପୁରର ଏହି ଆତଙ୍କବାଦୀ କେନ୍ଦ୍ରକୁ ପାକିସ୍ତାନ ସରକାର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହାର ପୁନଃନିର୍ମାଣ ଭାରତର ସୁରକ୍ଷା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ, କାରଣ ଏଠାରୁ ହିଁ ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ ଏବଂ ଡ୍ରୋନ୍ ଗତିବିଧି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥାଏ। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ହାଇ-ଆଲର୍ଟରେ ଅଛନ୍ତି।