ମୁମ୍ବାଇ ୦୬/୦୧: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ’ । ମାରୁତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୯ରେ ରିଲିଜ ହେବାକୁ ଯାଉଛି। ଏହି ହରର ଫିଲ୍ମରେ ପ୍ରଭାସ ଏକ ନିଆରା ଅନ୍ଦାଜରେ ନଜର ଆସିବେ, ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସାହ ରହିଛି। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ବୋମନ ଇରାନୀ, ମାଲବିକା ମୋହନନ, ନିଧି ଅଗ୍ରୱାଲ ଏବଂ ରିଦ୍ଧି କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏସବୁ ମଧ୍ୟରେ, ‘ରାଜା ସାବ’ ର ପ୍ରଥମ ସମୀକ୍ଷା ସାମ୍ନାକୁ ଆସିଛି।

ଉମର ସାନ୍ଧୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ 'ରାଜା ସାହେବ'କୁ ଏକ ଗଣ-ମୁଖୀ ମନୋରଞ୍ଜନକାରୀ ଫିଲ୍ମ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ପ୍ରଭାସ ତାଙ୍କ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି। ସେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ‘ସରପ୍ରାଇଜ୍ ପ୍ୟାକେଜ୍’ ବୋଲି କହିଛନ୍ତି ଏବଂ ଦୁଇ ଅଭିନେତାଙ୍କ ମଧ୍ୟରେ ମୁହାଁମୁହିଁ ଦୃଶ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି। ସାନ୍ଧୁଙ୍କ ପୋଷ୍ଟ ଅନୁସାରେ, ଫିଲ୍ମର ଶେଷ ଅଂଶ, ବିଶେଷକରି କ୍ଲାଇମାକ୍ସ ତାଙ୍କୁ ଖାସ୍ ପସନ୍ଦ ଆସିଛି। ଏଥିସହିତ ତାଙ୍କୁ ଭିଜୁଆଲ ଇଫେକ୍ଟ୍ସ ନିର୍ଦ୍ଦେଶନା ଦମ୍ଦାର୍ ଲାଗିଥିବା କହିଛନ୍ତି।

ତେବେ ‘ରାଜା ସାହେବ’ ସମ୍ପ୍ରତି ସମସ୍ତ ସେନ୍ସରସିପ୍ ଔପଚାରିକତା ସମାପ୍ତ କରିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଫିଲ୍ମକୁ ସମୀକ୍ଷା କରିଛି ଏବଂ ଏହାର ମତାମତ ଦେଇଛି। ସବୁକିଛି ଯାଞ୍ଚ କରିବା ପରେ, ସେନ୍ସର ବୋର୍ଡ ଫିଲ୍ମ ଉପରେ ସମ୍ପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିଛି ଏବଂ ଏହାକୁ UA (16+) ପ୍ରମାଣପତ୍ର ମିଳିଛି।